ଭୁବନେଶ୍ବର ୧|୫: ଅତି ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେଲାଣି ‘ଫନି’ । ୩ ତାରିଖରେ ପୁରୀର ଦକ୍ଷିଣରେ ଉପକୂଳ ଛୁଇଁପାରେ ବୋଲି ଅନୁମାନ କରାଯାଉଛି । ଏହି ସମୟରେ ଘଣ୍ଟା ପ୍ରତି ୧୭୫ରୁ ୧୮୦ କିଲୋମିଟର ବେଗରେ ପବନ ବହିବା ସହ ଭୀଷଣ ବର୍ଷା ମଧ୍ୟ ହେବ । ଏହି ସମୟରେ ବିଭିନ୍ନ ପ୍ରକାର ବିପର୍ଯ୍ୟୟ ଘଟିପାରେ । ମୁଖ୍ୟତଃ ବଡ ବଡ ଗଛ, ବିଜୁଳି ଖୁଣ୍ଟ ଉପୁଡିଯାଇପାରେ । ଦୁର୍ବଳ ଘର ଭାଙ୍ଗିଯାଇପାରେ । ବାତ୍ୟା ଭୟରେ ଦୋକାନ ବଜାର ବନ୍ଦ ରହିପାରେ । ଗଛ ପଡିବା ଏବଂ ବଜୁଳି ଖୁଣ୍ଟ ଉପୁଡିଯିବା ଯୋଗୁଁ ପାଓ୍ବାର କଟ୍ ହୋଇପାରେ, ଜଳ ଯୋଗାଣ ବନ୍ଦ ରହିପାରେ । ଭୀଷଣ ବର୍ଷା ଯୋଗୁଁ ତଳି ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ଉପୁଜିପାରେ । ଓଡିଶା ପାଇଁ ବନ୍ୟା, ବାତ୍ୟା ଭଳି ପରିସ୍ଥିତି କିଛି ନୂଆ କଥା ନୁହେଁ । ମହାବାତ୍ୟା, ଫାଇଲିନ, ହୁଡୁହୁଡୁ, ତିତଲି ଆଦି ନିକଟ ଅତୀତରେ ହୋଇଥିବା ବାତ୍ୟାର ଅନୁଭୂତି ସମସ୍ତଙ୍କର ରହିଛି ।
ତେଣୁ ବାତ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ବ୍ୟକ୍ତିଗତସ୍ତରରେ ଆମକୁ କେତୋଟି ବିଷୟରେ ସଜାଗ ହେବାକୁ ପଡିବ । ସେଗୁଡିକ ହେଲା-
୧. ଗତ ବାତ୍ୟାର ଅନୁଭୂତିକୁ ମନେପକାନ୍ତୁ । କଣ କଣ ଆଗୁଆ ପଦକ୍ଷେପ ନେଇଥିଲେ କେତେକ ଅସୁବିଧାକୁ ଟାଳି ହୋଇଥାନ୍ତା ବୋଲି ସେତେବେଳେ ଆପଣଙ୍କ ମନକୁ ଆସିଥିଲା ତାକୁ ମନେପକାନ୍ତୁ ଏବଂ ଏବେ ତାହା ଆଗୁଆ କରିବା ପାଇଁ ଚେଷ୍ଟା କରନ୍ତୁ ।
୨.ଦୁର୍ବଳ ଘରେ ରହୁଥିଲେ ସୁରକ୍ଷିତ ସ୍ଥାନ ବା ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲିଯାଆନ୍ତୁ ।
୩.ପରିବାରର ସମସ୍ତେ ଏକାଠି ରହିବା ପାଇଁ ଚେଷ୍ଟା କରନ୍ତୁ ।
୪.ଅତି ଜରୁରୀ ନଥିଲେ ଦୂରସ୍ଥାନକୁ ଯାତ୍ରା କରନ୍ତୁନାହିଁ ।
୫.ପାଓ୍ବାର କଟ୍ ହେବାର ସମ୍ଭାବନା ଥିବାରୁ ଘରେ ମହମବତୀ, କିରୋସିନି ମହଜୁଦ ରଖନ୍ତୁ । ଚାର୍ଜର ଲାଇଟ୍ ଥିଲେ ଫୁଲ୍ ଚାର୍ଜ କରି କରନ୍ତୁ । ମୋବାଇଲକୁ ମଧ୍ୟ ଫୁଲ୍ ଚାର୍ଜ କରି ରଖନ୍ତୁ ।
୬.ଜରୁରୀ ଔଷଧ, ଶୁଖିଲା ଖାଦ୍ୟ ଏବଂ ଦିନେ ଦୁଇ ଦିନ ପାଇଁ ରାସନ କିଣି ପାଖରେ ମହଜୁଦ ରଖନ୍ତୁ ।
୭.ବନ୍ୟା ଓ ବାତ୍ୟା ସମୟରେ ବିଷଧର ସରୀସୃପ ବାହାରକୁ ବାହାରିଥାନ୍ତି ଓ ଘର ଭିତରକୁ ମଧ୍ୟ ପଶି ଯାଇପାରନ୍ତି ସେଥିପାଇଁ ସତର୍କ ରୁହନ୍ତୁ ।
୮.ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଉପଦେଶକୁ ମାନନ୍ତୁ । ଜରୁରୀକାଳୀନ ଟେଲିଫୋନ ନମ୍ବର ପାଖରେ ରଖନ୍ତୁ । ନିୟମିତ ବାତ୍ୟା ସଂପର୍କୀତ ଅପଡେଟ୍ ଖବର ରଖିବାକୁ ଚେଷ୍ଟା କରନ୍ତୁ ।
୯.ଗୃହପାଳିତ ପଶୁମାନଙ୍କୁ ଗୁହାଳରେ ନବାନ୍ଧି ନିରାପଦ ସ୍ଥାନକୁ ସ୍ଥାନାନ୍ତର କରନ୍ତୁ ଓ ଦିନେ ଦୁଇ ଦିନ ପାଇଁ ସେମାନଙ୍କ ଲାଗି ଖାଦ୍ୟ ମହଜୁଦ ରଖନ୍ତୁ ।
୧୦.ପ୍ରଚୁର ପରିମାଣର ବିଶୁଦ୍ଧ ପାନୀୟଜଳ ମଧ୍ୟ ଘରେ ମହଜୁଦ ରଖନ୍ତୁ ।
୧୧.ଘରେ ପାଣି ପଶିବାର ସମ୍ଭାବନା ଥିଲେ ଜରୁରୀ କାଗଜପତ୍ର ଏବଂ ଟଙ୍କାପଇସା ଜରିରେ ଭର୍ତ୍ତି କରି ଉଚ୍ଚସ୍ଥାନରେ ରଖନ୍ତୁ । ଏଟିଏମରୁ କିଛି ନଗଦ ଟଙ୍କା ବାହାର କରି ନିଜ ପାଖରେ ରଖନ୍ତୁ ।
୧୨.ଗାଡି ମଟର ଥିଲେ ସେଥିରେ ପେଟ୍ରୋଲ, ଡିଜେଲ ଭର୍ତ୍ତି କରି ରଖନ୍ତୁ । ଆବଶ୍ୟକତା ଦୃଷ୍ଟିରୁ ଯାତାୟତ କରୁଥିବା ବେଳେ ଜୋରରେ ପବନ ବହିଲେ ଗଛ ବା ଖୁଣ୍ଟଠାରୁ ଦୂରକୁ ପଳାନ୍ତୁ ।
୧୩.ସାହିପଡିଶାଙ୍କ ସହ ଯୋଗାଯୋଗରେ ରୁହନ୍ତୁ । ଏହି ସମୟରେ ଗୁଜବ ଉଠିବାର ଆଶଙ୍କା ରହିଥାଏ ତେଣୁ ଗୁଜବକୁ ବିଶ୍ବାସ କରନ୍ତୁନାହିଁ । କେବଳ ସରକାରୀ ଘୋଷଣାକୁ ଗୁରୁତ୍ବ ଦିଅନ୍ତୁ ।
୧୪.କୌଣସି କଥାରେ ବିଶେଷ ଭୟଭୀତ ନହୋଇ ଧର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରନ୍ତୁ ।
୧୫.ବାତ୍ୟା ଦେଖିବା ପାଇଁ ଉତ୍ସୁକ ହୋଇ ସମୁଦ୍ରକୂଳକୁ ଯାଆନ୍ତୁନାହିଁ । ପବନର ବେଗ ବଢିଲେ ଘରର ଝରକା କବାଟ ଭଲଭାବେ ବନ୍ଦ କରି ରଖନ୍ତୁ । ଘରକୁ ଲାଗି ଦୁର୍ବଳ ଗଛ ଥିଲେ ତାହା ଯେମିତି ଭାଙ୍ଗି ନଯାଏ ସେଥିପ୍ରତି ସଜାଗ ରୁହନ୍ତୁ । ଗଛକୁ ଶକ୍ତ ଦଉଡିରେ ଚାରିପଟୁ ବାନ୍ଧି ରଖନ୍ତୁ ।
from News7 http://bit.ly/2PDCY1s
No comments: