
ଭୁବନେଶ୍ୱର: ବାତ୍ୟା ‘ତିତ୍ଲି’ ପ୍ରଭାବରେ ରାଜ୍ୟରେ ୫୨ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଏକ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଆଜି ଗଜପତି ଜିଲ୍ଲା ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ତିତ୍ଲି’ ପ୍ରଭାବରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଦିଆଯିବ ବୋଲି ଘୋଷଣା କରିଛନ୍ତି। ପୂର୍ବରୁ ୪ ଲକ୍ଷ ଟଙ୍କା ଦିଆଯିବା ପାଇଁ ଘୋଷଣା କରାଯାଇଥିଲା।
‘ତିତ୍ଲି’ ଯୋଗୁ ଅନାଥ ହୋଇଯାଇଥିବା ପିଲାଙ୍କ ଦାୟିତ୍ୱ ସରକାର ନେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେ କହିଛନ୍ତି, ସରକାର ଅନାଥ ପିଲାମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ। ସରକାର ଅନାଥ ପିଲାଙ୍କୁ ପାଠ ପଢ଼ାଇବା ସହ ଆତ୍ମନିର୍ଭରଶୀଳ କରାଇବେ।
ଏଥିସହିତ ପାହାଡ଼ ଉପରେ ଥିବା ବାରଘର ଗାଁ ପାହାଡ଼ ତଳକୁ ଆସିବ। ଏଥିପାଇଁ ଗାଁ ଲୋକଙ୍କୁ ସରକାର ପାହାଡ଼ ତଳେ ଜମି ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଜମି ପଟ୍ଟା ବାଣ୍ଟିଥିଲେ। କିଛି ହିତାଧିକାରୀଙ୍କୁ ସେ ଜମି ପଟ୍ଟା ଦେଇଛନ୍ତି।
ସୂଚନାଯୋଗ୍ୟ, ‘ତିତ୍ଲି’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ବାରଘର ଗାଁରେ ପାହାଡ଼ ଧସି ଯିବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ବାତ୍ୟାରୁ ରକ୍ଷା ପାଇବା ପାଇଁ ଏମାନେ ପାହାଡ଼ ଗୁମ୍ଫାରେ ଆଶ୍ରୟ ନେଇଥିଲେ।
ମୁଖ୍ୟ ଶାସନ ସଚିବ ଆଜି ଯେଉଁ ସୂଚନା ଦେଇଛନ୍ତି, ସେହି ଅନୁସାରେ ଗଜପତି ଜିଲ୍ଲାରେ ସର୍ବାଧିକ ୩୯ ଜଣଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲାରେ ୧୨ ଏବଂ କନ୍ଧମାଳରେ ଜଣଙ୍କର ମୃତ୍ୟୁ ଘଟିଛି।
from OTV Khabar https://ift.tt/2CksTlo
No comments: