କଂଗ୍ରେସରେ ଯୋଗଦେଲେ ମାନବେନ୍ଦ୍ର ସିଂହ, ରାଜପୁତ ଭୋଟ୍‌ ଉପରେ ଦଳର ଆଖି

ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା ଶେଷରେ ସେୟା ହେଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଟାଣୁଆ ନେତା ଯଶବନ୍ତ ସିଂହଙ୍କ ପୁଅ ମାନବେନ୍ଦ୍ର ସିଂହ ପଦ୍ମ ଛାଡ଼ି କଂଗ୍ରେସ ହାତ ଧରିଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ମାନବେନ୍ଦ୍ର ହାତ ଦଳରେ ସାମିଲ ହୋଇଛନ୍ତି। ମାନବେନ୍ଦ୍ରଙ୍କୁ ଦଳରେ ସାମିଲ କରି କଂଗ୍ରେସ ରାଜପୁତ ଭୋଟ୍‌କୁ ନିଜ ସପକ୍ଷରେ ଆଣିବାକୁ ଲକ୍ଷ୍ୟ ରଖିଛି।

ମାନବେନ୍ଦ୍ର ୨୦୧୩ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପି ଟିକେଟ୍‌ରୁ ପ୍ରାର୍ଥୀ ହୋଇ ବାରମେର ଜିଲ୍ଲାର ଶେହୋ ନିର୍ବାଚନୀ ମଣ୍ଡଳୀର ବିଧାୟକ ହୋଇଥିଲେ।

ତେବେ ସେପ୍ଟେମ୍ବର ୨୨ରେ ମାନବେନ୍ଦ୍ର ଏକ ନିର୍ବାଚନ ଶୋଭାଯାତ୍ରାରେ ବିଜେପି ଛାଡ଼ିବା ନେଇ ଘୋଷଣା କରିଥିଲେ। ‘କମ୍‌ଲ କା ଫୁଲ୍‌ ହମାରୀ ଭୁଲ୍‌’ ବୋଲି ସେ କହିଥିଲେ।

ରାଜସ୍ଥାନ ନିର୍ବାଚନ ପୂର୍ବରୁ ମାନବେନ୍ଦ୍ରଙ୍କ ଏଭଳି ଦଳ ବଦଳ ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।

କଂଗ୍ରେସରେ ମିଶିବା ପୂର୍ବରୁ ମାନବେନ୍ଦ୍ର ପ୍ରଥମେ ରାହୁଲ ଗାନ୍ଧି ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତାଙ୍କୁ ସାକ୍ଷାତ କରିଥିଲେ।

ବିଜେପି ୨୦୦୪ରେ ରାଜସ୍ଥାନର ବାରମେର ଲୋକସଭା ଆସନ ପାଇଁ ଯଶବନ୍ତ ସିଂହଙ୍କୁ ଟିକେଟ୍‌ ଦେବାକୁ ମନାକରିଥିଲା। ଏହାପରେ ଯଶବନ୍ତ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ।

ଏହି ଘଟଣା ପରେ ବିଜେପିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ତଥା ଅଟଳ ବିହାରୀ ବାଜପେୟୀ ସରକାରଙ୍କ ଶାସନକାଳରେ ମନ୍ତ୍ରୀ ଥିବା ଯଶବନ୍ତ ସିଂହଙ୍କୁ ଦଳକୁ ନିଲମ୍ବନ କରାଯାଇଥିଲା। ଏହାପରେ ତାଙ୍କ ପୁଅ ମାନବେନ୍ଦ୍ର ସିଂହଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ହଟାଇ ଦିଆଯାଇଥିଲା।

ରାଜସ୍ଥାନରେ ଆସନ୍ତା ଡିସେମ୍ବର ୭ରେ ନିର୍ବାଚନ ହେବ। ମାନବେନ୍ଦ୍ରଙ୍କ ସହ ରାଜପୁତ ସଂପ୍ରଦାୟ ରହିଛନ୍ତି। ବିଶେଷ କରି ପଶ୍ଚିମ ରାଜସ୍ଥାନର ଅଧିକାଂଶ ଲୋକ ମାନବେନ୍ଦ୍ରଙ୍କୁ ସମର୍ଥନ କରୁଛନ୍ତି। ପ୍ରତି ନିର୍ବାଚନରେ ରାଜ୍ୟର ରାଜପୁତମାନେ ବିଜେପିକୁ ସମର୍ଥନ କରନ୍ତି, କିନ୍ତୁ ଏଥର ମାନବେନ୍ଦ୍ରଙ୍କ କଂଗ୍ରେସ ମୋହ ପଦ୍ମ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି।



from Odisha Reporter
କଂଗ୍ରେସରେ ଯୋଗଦେଲେ ମାନବେନ୍ଦ୍ର ସିଂହ, ରାଜପୁତ ଭୋଟ୍‌ ଉପରେ ଦଳର ଆଖି କଂଗ୍ରେସରେ ଯୋଗଦେଲେ ମାନବେନ୍ଦ୍ର ସିଂହ, ରାଜପୁତ ଭୋଟ୍‌ ଉପରେ ଦଳର ଆଖି Reviewed by SUBHENDU BARAL on October 17, 2018 Rating: 5

No comments:

Powered by Blogger.