‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ’… ରଜ ଆସିଲେ ଏହି ଗୀତରେ ଉଛୁଳି ପଡ଼େ ଗାଁ ଦାଣ୍ଡ। କୁଆଁରୀ ଝିଅମାନେ ରଜ ଗୀତ ଗାଇ ଖେଳିଥାଆନ୍ତି ଦୋଳି। ଗାଁ ବରଗଛ, ଆମ୍ବତୋଟାରେ ଝୁଲୁଥାଏ ଏକରୁ ଅଧିକ ରଜ ଦୋଳି। ରଜ ପାନ, ପୋଡ଼ପିଠା ଖାଇ ଆବାଳବୃଦ୍ଧବନିତା ହସଖୁସିରେ ମସଗୁଲ ହୁଅନ୍ତି। ଗାଁ ମଝିରେ ତାସ ମାଡ଼ ସାଙ୍ଗକୁ ବେଶ ଜମିଥାଏ ଲୁଡୁ ଖେଳ ଓ କବାଡି।
ରଜ କେବଳ ଚିତ୍ତବିନୋଦନକାରୀର ପର୍ବ ନୁହେଁ। ଏହା ସହିତ ପ୍ରକୃତି ଉପାସନା, ଈଶ୍ୱର ବିଶ୍ୱାସ, ଧର୍ମ ଦର୍ଶନ, ସାହିତ୍ୟ ସଂସ୍କୃତି ଓ ବିଜ୍ଞାନ ନିହିତ ଅଛି ମାଟିବିନା ଜୀବନ ବିପର୍ଯ୍ୟସ୍ତ। ଏଣୁ ମାଟି ହିଁ ପୂଜ୍ୟ। ଏହା ହିଁ ପ୍ରକୃତି ପୂଜା। ରଜପାଳନର ସମସ୍ତ ନୀତି ଯଥା ଏହାର ଦର୍ଶନ, ରଜସ୍ୱଳା ନାରୀକୁ ସ୍ପର୍ଶ ନ କରି ତଥା ମାଟିମା’କୁ କର୍ଷଣ ନ କରିବା, ୠତୁମତୀ ଦିବସ ପରେ ସ୍ନାନ କରିବା, ହଳଦୀ ଓ ଅନ୍ୟାନ୍ୟ ପ୍ରାକୃତିକ ପ୍ରସାଧନ ବ୍ୟବହାର କରିବା, ଏ ସବୁକିଛି ସ୍ୱାସ୍ଥ୍ୟ ପ୍ରଦାୟକ।
ହେଲେ ଆଜି ଆଉ ସେକାଳ ପଖାଳ ନାହିଁ। ଏବେ ସବୁ କୃତ୍ରିମ। ଗାଁରେ ଆଉ ନାହିଁ ଆମ୍ବତୋଟା; ନାହିଁ ଦୋଳି ଖେଳ ଓ ଦୋଳିଗୀତ। ସମୟର ଗତିରେ ଆଜି ସବୁ କିଛି ହଜିଯାଇଛି। ଗାଁ ଦାଣ୍ଡରେ ଆଉ ଦେଖିବାକୁ ମିଳୁନି ଲୁଡୁ କି କବାଡି ଖେଳ। ଆଧୁନିକ ଜୀବନଶୈଳୀରେ ଲିପ୍ତ ହୋଇ ମଣିଷ ପାଶ୍ଚାତ୍ୟକୁ ବେଶି ଆଦରି ନେଇଛି।
ଯଦିଓ ଗାଁ ଗହଳିରେ ରଜର ପରମ୍ପରା କିଛିଟା ବଞ୍ଚିରହିଛି, ହେଲେ ସହରର କଂକ୍ରିଟ ଜଙ୍ଗଲରେ ନା ଦେଖିବାକୁ ମିଳୁଛି ରଜ ଦୋଳି, ନା ଶୁଭୁଛି ରଜ ଗୀତ। ଲୋକେ ଅନ୍ଲାଇନ୍ରୁ ମଗାଇ ପିଜା, ବର୍ଗର୍ ସାଣ୍ଡ୍ୱିଜ୍ ଆଦି ଖାଉଛନ୍ତି ଓ ଅନ୍ଲାଇନରୁ ମଗାଇ ନୂଆ ଡ୍ରେସ୍ ପିନ୍ଧୁଛନ୍ତି। ଘରେ ଆଉ ଭଙ୍ଗାଯାଉନି ରଜ ପାନ, ଗୋଟିଏ କ୍ଲିକ୍ରେ ଏହା ବି ମିଳିଯାଉଛି ଅନ୍ଲାଇନ୍ରୁ।
ଆଜିକାଲି ମୋବାଇଲ୍ ସବୁକିଛିକୁ ସହଜ କରି ଦେଇଛି। ରଜରେ ଦୋଳିର ମଜା ନ ନେଇ ଝିଅମାନେ ସେଲ୍ଫି ନେବାରେ ବ୍ୟସ୍ତ। ସେମାନେ ସେଲ୍ଫି ଉଠାଇ ଷାଟସ୍ ଭର୍ତ୍ତି କରିବାରେ ଲାଗି ପଡୁଛନ୍ତି। ଏଥିପାଇଁ ଚାଲୁଛି ଏକ ପ୍ରକାର ପ୍ରତିଯୋଗିତା। ମୁଣ୍ଡରେ ଆଉ ଟିପିଟିପି ଚନ୍ଦନ ନାହିଁ କି କେଶରେ ନାହିଁ ସେହି ବାସ୍ନା ତେଲ। ପାଦରେ ଅଳତା ନାହିଁ କି ନାହିଁ ଗୁଆ ଖୋଳର ଚପଲ।
ଗାଁ ଗଡିଆ ତୁଠ ବାସ୍ନା ତେଲ ଓ ନାନା ପ୍ରକାର ସାବୁନର ମହକରେ ଆଉ ଫାଟି ପଡୁନି। ଗାଁର ଝିଅ, ବୋହୂମାନେ ହଳଦୀ ମଖା ସ୍ନାନ, ପାଦରେ ଅଳତା, ମଞ୍ଜୁଆତି ପତ୍ରରେ ମେହେନ୍ଦୀ, ମୁଣ୍ଡରେ ବେଣୀ ହୋଇଛି ସାତ ସପନ। ଆଉ ଗାଁ ଯୁବକମାନେ ସର୍କସ ଭଳି ଗଡିଆ ଭିତରକୁ ଲମ୍ଫ ମାରି ଜଳକ୍ରୀଡା କରୁ ନାହାନ୍ତି କି ଗାଁ ଆମ୍ବ ତୋଟାକୁ ଯାଇ ଝିଅମାନେ ପୁଚି, ବୋହୂ ଚୋରୀ, କାଚ କଉଡି ଖେଳରେ ମାତୁ ନାହାନ୍ତି।
ପାଶ୍ଚାତ୍ୟ ଧାରାର ମାୟାଜାଲରେ ପଡ଼ିଯାଇଛି ଯୁବପିଢ଼ି। ସେଦିନରେ ଝିଅମାନଙ୍କ ନାହିଁ ଆଉ ସେହି କୁଞ୍ଚ କରି ଶାଢୀ ପିନ୍ଧା। ଜିନ୍ସ, ଟି-ଶାର୍ଟ ପିନ୍ଧି ଝିଅମାନେ ପାଳୁଛନ୍ତି ରଜ। ରଜ ପୋଡ଼ପିଠା ବଦଳରେ ଘରେ ତିଆରି ହେଉଛି ଇଡ୍ଲି, ଦୋସା। କହିବାକୁ ଗଲେ ବର୍ତ୍ତମାନର ରଜ ଲାଗୁଛି ଫିକା ଫିକା। ନାହିଁ ସେହି ମାଟିର ବାସ୍ନା, ସତେ ଯେମିତି ବଦଳି ଯାଇଛି ଆମ ଉତ୍କଳୀୟ ସଂସ୍କୃତି ଓ ପରମ୍ପରା।
ପ୍ରାଚୀନତାଠୁ ଆରମ୍ଭ କରି ଆଧୁନିକତାର ଯାତ୍ରା ପର୍ଯ୍ୟନ୍ତ ହୋଇଛି ଅନେକ ପରିବର୍ତ୍ତନ। ଆଧୁନିକ ଜୀବନଶୈଳୀ ଢାଞ୍ଚାରେ ମଣିଷ ଭୁଲିଯାଉଛି ତା’ର ପରମ୍ପରାକୁ।
ଆଧୁନିକ ସଭ୍ୟତାର ଛାପରେ ଢାଙ୍କି ହୋଇଯାଇଛି ଆମ ଅଳଙ୍କୃତ ପରମ୍ପରା। ଏବେ ପିଲା ଆମ୍ବ ତୋଟା ଭୁଲି ପାର୍କ ଯାଉଛନ୍ତି। ବାଗୁଡିର ଶବ୍ଦ ଆଉ ଶୁଣିବାକୁ ମିଳୁନି। ପିଲା ଏବେ ମୋବାଇଲ୍ ଧରି ଫ୍ରି-ଫାୟାର ଅଉ ପବ୍ଜି ଖେଳରେ ବ୍ୟକ୍ତ। ପୋଡ ପିଠାର ସ୍ଥାନ ନେଇଛି ଆଧୁନିକ କେକ୍। ହୁଏତ ଏହି ପଲ୍ଲୀ ଓ କୃଷିଭିତ୍ତିକ ପର୍ବକୁ କୋଣଠେସା କରିବାକୁ ଆରମ୍ଭ କରିଛି ଆଧୁନିକ ଜୀବନଶୈଳୀ ତଥାପି ଏହି ପର୍ବର ସ୍ୱତନ୍ତ୍ରତା କୋଉଠି ନା କୋଉଠି ଲୁଚି ରହିଛି।
from Latest Odisha News, Breaking News Today | Top Updates on Corona - OTV News https://ift.tt/BsyYKNc
No comments: