Mother’s Day: ଦୁଇ ମା’ଙ୍କ କରୁଣ କାହାଣୀ; ପିଲାମାନେ ପର କଲା ପରେ ବୃଦ୍ଧାଶ୍ରମରେ କଟୁଛି ଜୀବନ Pramod Behera

ଦିନେ ସବୁକିଛି ଥିଲା। ସ୍ୱାମୀ ଥିଲେ, ଘର ଥିଲା ଆଉ ସୁଖର ସଂସାର ବି। ସେ ଥିଲେ ପରିବାରର ମେରୁଦଣ୍ଡ। ମୁରବି ଥିଲେ, ପରିବାର ଚଲାଉଥିଲେ। ତାଙ୍କୁ ନ ପଚାରିଲେ କିଛି ବି ହେଉ ନ ଥିଲା। ହେଲେ ପୃଥ୍ୱୀ କ୍ଷଣ କ୍ଷଣ କେ ଆନ। ସମୟ ଚକ ଆଜି ତାଙ୍କୁ ଏମିତି ଦୋ’ ଛକିରେ ପହଞ୍ଚାଇଦେଇଛି, ନା ସେ କାହାକୁ କିଛି କହିପାରୁଛନ୍ତି ନା ନିଜ ପାଇଁ କିଛି କରିପାରୁଛନ୍ତି।

ମା' ମନ ଏବେ ଜରାଶ୍ରମରେ ଗୁମୁରି ଗୁମୁରି କାନ୍ଦୁଛି। କାହାକୁ କହିବେ ତାଙ୍କ ଦୁଃଖ କଥା, ଭଗଵାନଙ୍କୁ ନିନ୍ଦିବା ଛଡ଼ା ତାଙ୍କ ପାଖେ ଅନ୍ୟ କିଛି ଚାରା ନାହିଁ। ଜରାଶ୍ରମରେ ଏଇ ମା ମାନେ ନିଜ ନିଜର ସାହା ହୋଇ ବଞ୍ଚିବାର ରାହା ଖୋଜୁଛନ୍ତି। ପରସ୍ପରର ବନ୍ଧୁ, କୁଟୁମ୍ବ ଓ ଜୀବନସାଥି ସାଜିଛନ୍ତି।

ସେମିତି ଜଣେ ମା’ ହେଲେ ସରସ ପତି। ବୟସ ହେଲାଣି ଷାଠିଏ। ସରସଙ୍କ ଘର ଗଞ୍ଜାମ ଜିଲ୍ଲାରେ ହୋଇଥିବା ବେଳେ ତାଙ୍କର ୨ପୁଅ ଅଛନ୍ତି। ସ୍ୱାମୀ ମଧ୍ୟ କେଉଁଆଡେ ନିଖୋଜ ହେଇଗଲେ। ବଡ ପୁଅ ବାହାଘର ପରେ କୁଆଡେ ଚାଲିଗଲେ। ବଡ ବୋହୁ, ନାତିକୁ ନେଇ ତାଙ୍କ ବାପ ଘରକୁ ପଳେଇଲେ।

ଏହାପରେ ଦୁଇ ବର୍ଷ ତଳେ ସରସ ସାନ ପୁଅ ଓ ବୋହୁ ସହ ଭୁବନେଶ୍ୱର ପଳେଇଆସିଲେ। ସରସ ହୋଟେଲରେ କାମ କରି ନିଜ କଥା ବୁଝୁଥିଲେ।

ଦୁଃଖ କଷ୍ଟେ ଚାଲିଥିଲା ସବୁ କିଛି। ହେଲେ ସରସଙ୍କ ଉପରେ ପୁଣି ଆସିଲା ଯନ୍ତ୍ରଣା। ହଠାତ ଦିନେ ସାନ ପୁଅ-ବୋହୁ ଘରର ଚାବି ସରସଙ୍କୁ ଧରାଇ ନାତିକୁ ନେଇ କେଉଁଆଡେ ଚାଲିଗଲେ ଯେ, ଆଉ ଫେରିଲେ ନାହିଁ। ତାଙ୍କୁ ଯୋଗାଯୋଗ କରିବାକୁ ସରସ ବହୁତ ଚେଷ୍ଟା କରିଥିଲେ ବି ବିଫଳ ହେଲେ। ଝୁରି ଝୁରି ଦେହ ଅସୁସ୍ଥ ହୋଇପଡିଲା। ସ୍ଥାନୀୟ ବସ୍ତିବାସିନ୍ଦା ୬ ନମ୍ବର ମେଡିକାଲରେ ଭର୍ତି କରାଇଲେ।

ଦେହ ଭଲ ହେବା ପରେ ଖୋଜି ବୁଲିଲେ ବଞ୍ଚିବାର ରାହା। କୋଉଠି ରହିବେ, କ’ଣ ଖାଇବେ ଏମିତି ଭାବୁ ଭାବୁ ବୃଦ୍ଧାଆଶ୍ରମରେ ପହଞ୍ଚିଥିଲେ ସରସ। ଏବେ ତାଙ୍କ ଘର କହିଲେ ସେହି ବୃଦ୍ଧାଆଶ୍ରମ। ସେଠି ଯାହା ମିଳେ ତାହା ଖାଆନ୍ତି ଆଉ ନିଜ କରମକୁ ଆଦରି କାଟି ଚାଲନ୍ତି ଦିନ।

ପୁଅ ବୋହୂଙ୍କ କଥାକୁ ଭାବି ସରସ କୁହନ୍ତି ଯେ,"ବୁଢ଼ୀ କାଳକୁ ଖାଇବାକୁ ପିଇବାକୁ ଦେବେ ଭାବିଥିଲି, ହେଲେ ସମସ୍ତେ ଛାଡିକି ଚାଲିଗଲେ। ନାତିମାନଙ୍କ ସେବା କରି ମୋ ଦିନ ପଳେଇଥାନ୍ତା। ମୁଁ ଥାଉ ଥାଉ ମୋ ନାତି ବଡ ହେଇଥାଆନ୍ତେ ଆଉ ମୋ ଦୁଃଖ ଯାଇଥାନ୍ତା। ସାନ ନାତି ସାଇକେଲ୍‌ କିଣିବ ବୋଲି ଦଶ ଟଙ୍କା ସବୁଦିନ ମାଗୁଥିଲା। ନାତିକୁ ଚାହିଁ କି ଦୁଃଖ ସବୁ ପାସୋରି ଯାଉଥିଲି। ସାନ ପୁଅଟି ମୋର ତା’ ବାପା ଭଳିଆ ବୁଦ୍ଧିଆ। ସେମାନେ ନ ଭାବିଲେ ନାହିଁ, ପୁଅମାନେ ମୋର ଭଲରେ ଥାଆନ୍ତୁ।”

ଏହାରି ଭିତରେ ନାତିମାନଙ୍କ କଥା ମନେପଡିଲେ ଆଶ୍ରମରେ ଥିବା ଛୋଟ ଛୁଆଙ୍କୁ ଡାକି ଗେଲ କରନ୍ତି ବୋଲି କୁହନ୍ତି ସରସ।

ସେହିପରି ଆଉଜଣେ ମା’ ହେଲେ ମାଳତୀ। ସ୍ୱାମୀ ଓ ଦୁଇଟି ଝିଅକୁ ନେଇ ଚାଲିଥିଲା ସୁଖର ସଂସାର। କିଛି ଦିନ ପରେ ହଠାତ ସ୍ୱାମୀଙ୍କ ମୃତ୍ୟୁହେଲା। ଏହି ଦୁଃଖ ନ ସରୁଣୁ ପରେ ବଡ଼ ଝିଅବି ଚାଲିଗଲା ଆରପାରିକୁ। ଧୈର୍ଯ୍ୟ ଧରି ସାନ ଝିଅକୁ ମଣିଷ କରିଥିଲେ ମାଳତୀ ।

କୋଡିଏ ବର୍ଷ ତଳେ ଭୁବନେଶ୍ୱରରେ ସାନ ଝିଅକୁ ବିବାହ କରେଇଲେ। ପରେ ଦେହ ଖରାପ ହେବାରୁ ଝିଅ ଘରେ ଆସି ଆଶ୍ରୟ ନେଲେ ମାଳତୀ। ଝିଅ ଘରେବି କାମ କରିବାକୁ ପଡୁଥିଲା। ବାର୍ଦ୍ଧକ୍ୟ କାରଣରୁ କାମ କରିବା ନେଇ ପାଉ ନଥିଲା ବଳ।

ଏନେଇ ସମୁଦିଙ୍କ ସହ ମନାନ୍ତର ହେଲା। ନିଜ ସଂସାରକୁ ଦେଖି ଝିଅ ବି ମା’ ପ୍ରତି ମୁହଁ ଆଡେଇ ଦେଲା। କହିଲା ଆଉ ମା’କୁ ରଖିପାରିବ ନାହିଁ। ନିଜ ପିଲା ଛୁଆକୁ ଦେଖିବ ନା ନିଜେ ବଞ୍ଚିବ ନା ମା’କୁ ଦେଖିବ। ସାହି ପଡିଶାଙ୍କ ସହଯୋଗରେ ମାଳତୀ ଶେଷ ବୃଦ୍ଧା ଆଶ୍ରମକୁ ନିଜର ଠିକଣା ଭାବେ ବାଛିନେଲେ। ଝିଅର କଥାକୁ ଭାବି କାନ୍ଦି କାନ୍ଦି ମାଳତୀ କୁହନ୍ତି, “ଝିଅତ ଜନ୍ମ କରିଥିଲି ସେ ନିଜର ହେଲାନି, ଆଉ ଜ୍ୱାଇଁ କ’ଣ କରିବ। କେହି ପଚାରିଲେ ନାହିଁ।”

ଜୀବନର ଶବ୍ଦକୋଶର ପ୍ରଥମ ଶବ୍ଦ ହେଉଛି ମା’। କଥା କହୁ ନଥିବା ଶିଶୁଟିର ଭାଷା ଯେ ବୁଝିପାରେ ବୟସର ଅପରାହ୍ନରେ କିନ୍ତୁ ତା’ ମନର ଭାଷା କେହି ବୁଝି ପାରନ୍ତିନି। ସେ ପରିବାର ଆଉ ତା’ର ଅତି ଆପଣାର ପିଲାମାନଙ୍କ ପାଇଁ ଅଲୋଡା ହୋଇପଡେ। ଏକାକୀ ବଞ୍ଚି ଆଖିରୁ ଲୁହ ଗଡାଏ ସତ, ହେଲେ ଯେତେ କଷ୍ଟ ହେଲେବି ନିଜ ପିଲାମାନଙ୍କ ମଙ୍ଗଳ ପାଇଁ ସବୁବେଳେ ଈଶ୍ୱରଙ୍କ ନିକଟରେ ମୁଣ୍ଡ ପିଟେ। ଅଭିଶାପ ନୁହେଁ, ଯେତେ କଷ୍ଟ ହେଉ ପଛେ ପିଲାମାନଙ୍କ ପାଇଁ ତା’ ପଣତରେ ସବୁବେଳେ ଭରି ରହିଥାଏ ଆଶୀର୍ବାଦ।

(ଭୁବନେଶ୍ୱରରୁ ଶର୍ମିଷ୍ଠା ପ୍ରଧାନଙ୍କ ରିପୋର୍ଟ)



from Latest Odisha News, Breaking News Today | Top Updates on Corona - OTV News https://ift.tt/f0VmRPh
Mother’s Day: ଦୁଇ ମା’ଙ୍କ କରୁଣ କାହାଣୀ; ପିଲାମାନେ ପର କଲା ପରେ ବୃଦ୍ଧାଶ୍ରମରେ କଟୁଛି ଜୀବନ Pramod Behera Mother’s Day: ଦୁଇ ମା’ଙ୍କ କରୁଣ କାହାଣୀ; ପିଲାମାନେ ପର କଲା ପରେ ବୃଦ୍ଧାଶ୍ରମରେ କଟୁଛି ଜୀବନ Pramod Behera Reviewed by SUBHENDU BARAL on May 13, 2023 Rating: 5

No comments:

Powered by Blogger.