କନକ ବ୍ୟୁରୋ : ଲୁଚକାଳି ଖେଳୁଛି ମୌସୁମୀ, ଏଥର ଭିଜି ନପାରେ ରଜ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୩-୪ ଦିନ ପରେ ଦକ୍ଷିଣ-ପଶ୍ଚିମ ମୈାସୁମୀ ବାୟୁ ଓଡିଶା ଛୁଇଁପାରେ । ରାଜଧାନୀ ଭୁବନେଶ୍ୱରର ଏହି ୧୩୩ ଦିନର ପାଣିପାଗର ଚିତ୍ର ବିଶେଷଜ୍ଞଙ୍କ ମୁଣ୍ଡ ଗୋଳମାଳ କରିଦେଇଛି । ଏଥିପାଇଁ ଯେ ଜଳବାୟୁ ପରିବର୍ତ୍ତନର କେତେ ଦ୍ରୁତ ପ୍ରଭାବ ଓଡ଼ିଶାରେ ଅନୁଭୂତ ହେଉଛି, ତାହା ଭାତହାଣ୍ଡିରୁ ଗୋଟିଏ ଚିପିବା ଭଳି କେବଳ ରାଜଧାନୀର ଚିତ୍ରକୁ ବିଶ୍ଳେଷଣ କଲେ ଯେ କେହି ବୁଝିପାରିବ ।
ଏହି ୧୩୩ ଦିନ ମଧ୍ୟରେ ରାଜଧାନୀରେ ମାତ୍ର ୧୧ଦିନ ବର୍ଷା ରେକର୍ଡ କରାଯାଇଛି । ୨୦୨୦ ମସିହାର ପ୍ରାକ୍ ମୌସୁମୀ ବର୍ଷା ସହିତ ତୁଳନା କଲେ ଚଳିତ ବର୍ଷ ବର୍ଷାର ପରିମାଣ ଅଧାରୁ ଅଧିକ କମିସାରିଲାଣି । ଚିନ୍ତାରେ ପକାଇଲା ଭଳି ପ୍ରସଙ୍ଗଟି ହେଉଛି ଯେ ଫେବ୍ରୁଆରି, ମାର୍ଚ୍ଚ, ଏପ୍ରିଲ; ଏହି ୮୯ ଦିନ ମଧ୍ୟରେ ରାଜଧାନୀରେ ବିନ୍ଦୁଏ ବି ବର୍ଷା ହେଲାନାହିଁ। ମେ’ ମାସର ୩୧ ଦିନ ମଧ୍ୟରୁ ୧୦ ଦିନ ବର୍ଷା ହୋଇଛି ଏବଂ ଚଳିତ ଜୁନ୍ ମାସର ପ୍ରଥମ ୧୩ ଦିନ ମଧ୍ୟରେ ଦିନଟିଏ ମାତ୍ର ବର୍ଷା ରେକର୍ଡ ହୋଇଛି। ରାଜଧାନୀର ଚିତ୍ର ଅବଶିଷ୍ଟ ଓଡ଼ିଶାର ପାଣିପାଗ ମଧ୍ୟରେ ଆକାଶପାତାଳ ଫରକ ଦେଖିବାକୁ ମିଳିଲାଣି। ପ୍ରାକ୍ ମୌସୁମୀ ବର୍ଷା ପୂରା ଉଭାନ୍।
ଅନ୍ୟପକ୍ଷରେ ଭୁବନେଶ୍ବରର ଏଭଳି ବିଚିତ୍ର ସ୍ଥିତି ସଂପର୍କରେ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି ଯେ ଜଳବାୟୁ ପରିସ୍ଥିତି ସହିତ ଜଡିତ ବିପଦ ଗୁଡିକ ମଧ୍ୟରେ ଚରମ ପାଣିପାଗ ଘଟଣା ବୋଲି ଅତିବୃଷ୍ଟି ଏବଂ ଅନାବୃଷ୍ଟିକୁ କୁହାଯାଏ । ଋତୁଚକ୍ର ଏବଂ ତାପମାତ୍ରା ପରିବର୍ତ୍ତନର ଏହା ସିଧା ପ୍ରଭାବ । କିନ୍ତୁ ଜଳବାୟୁରେ ଏଭଳି ପରିବର୍ତ୍ତନ ମନୁଷ୍ୟକୃତ ବୋଲି କୁହାଯାଇପାରେ । କଂକ୍ରିଟ ଜଙ୍ଗଲ ସୃଷ୍ଟି, ଆର୍ଦ୍ରଭୂମି ତଥା ଜଙ୍ଗଲ ନଷ୍ଟ ବ୍ୟତୀତ ବ୍ୟାପକ ସହରୀକରଣ ଦ୍ୱାରା ଆମ ଚାରିପାଖ ପରିବେଶ ଗଭୀର ଭାବେ ପ୍ରଭାବିତ ହୋଇଛି । ଏହା ସହିତ ଜଡିତ ପରିସଂସ୍ଥାନ ଏବଂ ଜୈବ ବିବିଧତା ମଧ୍ୟ ବିପଦକୁ ଚାଲି ଆସିଲେଣି । ରାଜଧାନୀ ଭୁବନେଶ୍ବର ଏବେ ଏହାର ଜ୍ବଳନ୍ତ ଉଦାହରଣ ।
ବିଶେଷକରି ଜଳବାୟୁ ସ୍ଥାୟୀ ବିକାଶ ପରିବର୍ତେ ସହରୀକରଣକୁ ଆପଣାଇବା ଦ୍ୱାରା କେବଳ ବୃଷ୍ଟି ନୁହେଁ ବରଂ ତାପମାତ୍ରାରେ ଅହେତୁକ ପରିବର୍ତନ ଲକ୍ଷ କରାଯାଇଛି । ଚଳିତ ବର୍ଷ ପ୍ରାକ ମୋୖସୁମୀ ଋତୁର ତିନି ମାସ ମଧ୍ୟରୁ ଦୁଇମାସ ମାର୍ଚ୍ଚ ଏବଂ ଅପ୍ରେଲରେ ଆଦୌ କାଳବୈଶାଖୀ ଜନିତ ବର୍ଷ ନହେବା, ଫେବ୍ରୁଆରିରେ ପଶ୍ଚିମ ଝଡର ପ୍ରଭାବ ନପଡିବା ଏହାର ଉଦାହରଣ ।
The post ଲୁଚକାଳି ଖେଳୁଛି ମୌସୁମୀ, ଏଥର ଭିଜି ନପାରେ ରଜ : ପାଣିପାଗ ବିଭାଗର ପୂର୍ବାନୁମାନ first appeared on Kanak News.
from Kanak News https://ift.tt/B7wYIvk https://ift.tt/3toTCIQ
No comments: