ମନେପଡ଼େ ମହାବାତ୍ୟା: ଏମିତି ଥିଲା ସେଦିନର କିଛି ଲୋମଟାଙ୍କୁରା ଘଟଣା Sarbeswar

ଭୁବନେଶ୍ୱର- (ତପନ ସ୍ୱାଇଁ)- ଓଡ଼ିଶା ପାଇଁ ମହାବାତ୍ୟା ଆସିଥିଲା ମହାଅଭିଶାପ ହୋଇ। ଓଡିଶା କିଛି ବର୍ଷ ପାଇଁ ପଛକୁ ଠେଲି ହୋଇଯାଇଥିଲା। ମହାବାତ୍ୟା ନାଁ ଶୁଣିଲେ ଆଜି ବି ଲୋକଙ୍କ ଲୋମ ଟାଙ୍କୁରି ଉଠୁଛି। ମହାବାତ୍ୟା ପାଇଁ ୧୯୯୯ ମସିହା ସବୁବେଳେ ଓଡିଶା ଲୋକଙ୍କ ପାଖରେ ମନେରହିବ ଏକ ବିଭୀଷିକାର ବର୍ଷ ଭାବେ। ଠିକ୍ ଆଜିର ଦିନରେ ଆସିଥିଲା ମହାବାତ୍ୟା। ଭାଙ୍ଗି ଦେଇଥିଲା ଓଡିଶାର ଅଣ୍ଟା। ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ପ୍ରାୟ ଦଶ ହଜାରରୁ ଅଧିକ ଲୋକଙ୍କର ପ୍ରାଣହାନି ଘଟିଥିଲା। ଜଗତସିଂହପୁରର ପାରାଦୀପ ଓ କୁଜଙ୍ଗ ଅଞ୍ଚଳରେ ସମୂହ ଶବଦାହ ଘଟଣା ଥିଲା ଅତ୍ୟନ୍ତ ହୃଦୟ ବିଦାରକ। ମହାବାତ୍ୟାକୁ ପୂରିଲା ୨୨ ବର୍ଷ। ମହାବାତ୍ୟା ଉଜାଡି ଦେଇଛି ଅନେକ ପରିବାରକୁ। ଆଜି ପର୍ଯ୍ୟନ୍ତ ବି ଅଣ୍ଟା ସଳଖି ଛିଡାହେବାକୁ ସକ୍ଷମ ହୋଇପାରିନାହାନ୍ତି ବହୁ ପରିବାର।

ଛୁଞ୍ଚି ଫୋଡି ହୋଇଗଲା ଭଳି ବର୍ଷା

୧୯୯୯ ଅକ୍ଟୋବର ୨୮ ତାରିଖରେ ପାରାଦୀପ ଓ କୁଜଙ୍ଗ ଅଞ୍ଚଳରେ ପାଗ ମେଘୁଆ ଥିଲା। ତା ପରଦିନ ପ୍ରବଳ ବର୍ଷା ହେଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏମିତି ବର୍ଷା ଲୋକମାନେ ପୂର୍ବରୁ କେବେ ଦେଖିନଥିଲେ। ଛୁଞ୍ଚି ଫୋଡି ହୋଇଗଲା ଭଳି ହେଉଥିଲା ବର୍ଷା। ଧୀରେ ଧୀରେ ବଢିଥିଲା ବର୍ଷା ଓ ପବନର ବେଗ। ଏଭଳି ହେବ ବୋଲି ଆଗରୁ କେହି ଭାବିପାରିନଥିଲେ। ବର୍ଷା ସାଙ୍ଗକୁ ପ୍ରାୟ ଶହେ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ବଡ ବଡ ଗଛ ଭାଙ୍ଗିଯିବ ବୋଲି କୁହାଯାଇଥିଲା। ଅଳ୍ପ କିଛି ଲୋକଙ୍କ ପାଖରେ ଏ ଖବର ଥିଲା। ଏହା ଯେ ଅତି ଭୟଙ୍କର ରୂପ ନେବ, ତାହା କଳ୍ପନାର ବାହାରେ ଥିଲା।

ଦରିଆ ଉଠିଆସିଲା

ଜଗତସିଂହପୁରର ଏରସମା, ପଦ୍ମପୁର, ଆମ୍ୱିକି, ଝାଟିପାରି, ଖୋଳପ, ଖୁରାଣ୍ଟ, ଗଡକୁଜଙ୍ଗ ଆଦି ଗାଁରେ ହାତଗଣତି ଅଳ୍ପ କୋଠାଘର ଥିଲା। ଚାଳଘର ଓ ଟାଇଲ ଘର ସଂଖ୍ୟା ଥିଲା ଅଧିକ। ଆମ୍ୱିକି ବେଲାରୀରେ ଥିଲା ଏକ ସ୍କୁଲର ୪ ବଖରାବିଶିଷ୍ଟ ଛାତଘର। ଏଇଠି ଆଶ୍ରୟ ନେଇଥିଲେ ବହୁସଂଖ୍ୟାରେ ଲୋକ। ଯେଉଁମାନେ ଘର ଛାଡି ଏହି ସ୍ଥାନକୁ ଆସିନଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରାଣ ହରାଇଥିଲେ। ଏଭଳି ଘଟଣା ସେହି ଅଞ୍ଚଳର ବୟସ୍କ ଲୋକମାନେ ବି ଆଗରୁ କେବେ ଅଙ୍ଗେ ନିଭାଇନଥିଲେ। ସମୁଦ୍ର ପାଣି ଯେତେବେଳେ ମାଡି ଆସିଥିଲା, ଲୋକମାନେ ଭାବିଥିଲେ ପ୍ରଳୟ ନିଶ୍ଚିତ। ଭୟ ଓ ଆତଙ୍କ ଭିତରେ ଲୋକମାନେ କହୁଥିଲେ, ଦରିଆ ଉଠିଆସିଲା। ଅର୍ଥାତ ସମୁଦ୍ର ପାଣି ମାଡି ଆସିଛି। ଆତଙ୍କିତ ଲୋକମାନେ କେବଳ ଭଗବାନଙ୍କୁ ହିଁ ଡାକୁଥିଲେ।

ଆଖି ଆଗରେ ଦେଖୁଥିଲେ ମୃତ୍ୟୁ

ମହାବାତ୍ୟା ସମୟରେ ମୃତ୍ୟୁ ଲୋକଙ୍କ ପାଖେ ପାଖେ ବୁଲୁଥିଲା । ସମୁଦ୍ର ପାଣି ମାଡିଆସିବା ପରେ ନଗରୀ ଗାଁର ଲୋକମାନେ କିଏ ଚାଳ ଉପରେ ତ କିଏ ଗଛରେ ଚଢି ଯାଇଥିଲେ। ବିଭାସ ଚନ୍ଦ୍ର ଫନ୍ଦକାର ନାମକ ଜଣେ ଯୁବକଙ୍କ ପରିବାରରୁ ୧୧ ଜଣ ଲୋକ ପ୍ରାଣ ହରାଇଥିଲେ। ଯୁବକ ବିଭାସ ଚାଳ ଉପରକୁ ଉଠିଯାଇ ଗୋଟିଏ ହାତରେ ମାଆଙ୍କୁ ଓ ଅନ୍ୟ ହାତରେ ନିଜ ଭଉଣୀଙ୍କୁ ଧରିଥିଲେ। ପାଣି ବଢିବାରୁ ମାଆ ତାଙ୍କ ହାତରୁ ଖସିଯାଇ ନିଖୋଜ ହୋଇଯାଇଥିଲେ। ପରେ ସେ ନିଜେ ଓ ତାଙ୍କ ଭଉଣୀ ଗୋଟିଏ ଖଜୁରୀ ଗଛକୁ ଜାବୁଡି ଧରି ରହିଯାଇଥିଲେ। ପରିବାରର ଅନ୍ୟମାନେ କେଉଁଠି ଥିଲେ, ତାହା ଜାଣିବାର ଅବକାଶ ହିଁ ନଥିଲା।

ସଜାଇଦେଲା ଦାଦନ ଶ୍ରମିକ

ଏଇ କୁଜଙ୍ଗ ଅଞ୍ଚଳର ଜଣେ ବଡ ଚାଷୀ ଥିଲେ କ୍ଷେତ୍ରମୋହନ ଭୂୟାଁ। ତାଙ୍କର ୪୮ ଏକର ଜମି। ଚାଷ ଜମିରେ ଲୁଣାପାଣି ମାଡି ଯାଇଥିଲା। ଚାଷବାସ ହୋଇପାରିଲାନି। ତାଙ୍କର ଚାଳଛପର ଆଟୁ ଘର ଭାଙ୍ଗିଗଲା। ପରିବାର ଚଳାଇବା କଷ୍ଟକର ହୋଇପଡିଲା। ତାଙ୍କର ୪ ପୁଅଙ୍କ ମଧ୍ୟରୁ ତିନି ଜଣ ଦାଦନ ଖଟିବାକୁ ଚାଲିଗଲେ। କ୍ଷେତ୍ରମୋହନ ଦିନେ ଅନ୍ୟମାନଙ୍କୁ ରୋଜଗାର ଦେଉଥିଲେ। ପରିବାର ଚଳାଇବା ଚାଙ୍କ ପାଇଁ କଷ୍ଟ ହୋଇଗଲା।

ବୀରଗୋହିରାର ଭଙ୍ଗୀ ଅକାଲ ନାମ୍ନୀ ଜଣେ ମହିଳାଙ୍କର ପାଖାପାଖି ୮୦ଟି ଗାଈ ଥିଲେ। ପାଖ ଜଙ୍ଗଲରେ ଚରିବୁଲି ଖାଉଥିଲେ। ମହାବାତ୍ୟାରେ ତାଙ୍କର ସବୁ ଗାଈ ପ୍ରାଣ ହରାଇଲେ। ସୁଖ ସ୍ୱାଚ୍ଛନ୍ଦ୍ୟରେ ଚଳୁଥିବା ଏଇ ମହିଳାଙ୍କ ପାଇଁ ଘର ଚଳାଇବା ବୋଝ ପାଲଟି ଯାଇଥିଲା। ଚାଷବାସ କରି ଜୀବିକା ନିର୍ବାହ କରୁଥିବା ବହୁ ଯୁବକଙ୍କୁ ମହାବାତ୍ୟା ସଜାଇ ଦେଇଥିଲା ଦାଦନ ଶ୍ରମିକ। ଘର ଚଳାଇବା ପାଇଁ ଦାଦନ ଖଟିବାକୁ କୁଜଙ୍ଗ ଅଞ୍ଚଳର ଯୁବକମାନେ ସୁରଟ, ମୁମ୍ୱାଇ, ଚେନ୍ନାଇ,ହାଇଦ୍ରାବାଦ ଆଦି ସହରକୁ ଚାଲିଯାଇଥିଲେ। ଏବେବି ଏହି ଅଞ୍ଚଳର ବହୁ ଯୁବକ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି।

ହୋଇପାରିଲାନି ଚାଷ

ଲୁଣାପାଣି ମାଡି ଆସିଥିବାରୁ ଚାଷଜମି ପ୍ରଭାବିତ ହୋଇଥିଲା। ଜମିରେ ପଙ୍କ କାଦୁଅ ଭଳି କିଛି ଜିନିଷ ଜମି ରହିଥିଲା। ଫଳରେ ଚାଷ ଉପଯୋଗୀ ହୋଇପାରିନଥିଲା ଜମି। ମହାବାତ୍ୟାର ସାତ ଆଠ ବର୍ଷ ପର୍ଯ୍ୟନ୍ତ ଚାଷକାମ ଠିକରେ ହୋଇପାରିନଥିଲା। ତିନି ଚାରି ବର୍ଷ ପରେ ପାନ ବରଜ ପୂର୍ବ ଅବସ୍ଥାକୁ ଫେରି ଆସିଥିଲା। ଏଇ ଅଞ୍ଚଳ ପାନର ଡିମାଣ୍ଡ ମୁମ୍ୱାଇରେ ଅଧିକ। ହେଲେ ଗତ ଦୁଇ ବର୍ଷ ହେବ କରୋନା ପାଇଁ ପାନ ବି ଆଉ ସେତେଟା ବାହାର ରାଜ୍ୟକୁ ଯାଇପାରୁନି। ହେଲେ ଚିଙ୍ଗୁଡି ଚାଷ ଏବେ ଭଲ ହେଉଛି। କିନ୍ତୁ ଲିଜରେ ନେଇ ବାହାର ଲୋକମାନେ ଏଇ ଚାଷ କରୁଛନ୍ତି।

ନାହିଁ ସରକାରଙ୍କ ଯୋଜନା

ମହାବାତ୍ୟା ପରେ ଅଧିକାଂଶ ଘର ପକ୍କା ହୋଇଛି। ବାତ୍ୟା ଆଶ୍ରୟସ୍ଥଳ ବି ତିଆରି ହୋଇଛି। ହେଲେ ବହୁ ଯୁବକ ରାଜ୍ୟ ବାହାରକୁ କାମ ପାଇଁ ଦାଦନ ଖଟିବାକୁ ଯାଇଛନ୍ତି। କେହି କେହି ରାଜ୍ୟ ଭିତରେ ବି ଛୋଟବଡ ଚାକିରି କରିଛନ୍ତି। ହେଲେ ମହାବାତ୍ୟା କଥା ମନେ ପଡିଗଲେ, ଆଉ ଗାଁ କୁ ଯିବାକୁ ମନ କରୁନାହାନ୍ତି। ଏଇ ଅଞ୍ଚଳର ଯୁବକମାନଙ୍କୁ କର୍ମନିଯୁକ୍ତି ଦେବାପାଇଁ ନିର୍ଦ୍ଦିଷ୍ଟ ଭାବେ ସରକାରଙ୍କର କୌଣସି ଯୋଜନା ନାହିଁ। ଏଇ ଅଞ୍ଚଳରେ ଜୀବନ ଜୀବିକା ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଆଜି ପର୍ଯ୍ୟନ୍ତ ଅଣ୍ଟା ସଳଖିପାରୁନି।

ବଦଳାଇଦେଲା କ୍ୟାରିଅର୍

ବହୁ ଯୁବକ ଦାଦନ ଖଟିବାକୁ ଯାଇଥିବା ବେଳେ କେହିକେହି ନିଜର କୁଳବେଉଷା ଛାଡିଦେଇଛନ୍ତି। ସମସ୍ତଙ୍କୁ ପରିବାର ଚଳାଇବା ଚିନ୍ତା ଘାରିଛି। ତେବେ ମହାବାତ୍ୟା ଅନେକଙ୍କ କ୍ୟାରିଅର୍ ବି ବଦଳାଇ ଦେଇଛି। ଆମ୍ୱିକି ଗାଁର ଜ୍ୟୋତିରଞ୍ଜନ ବାରିକ ନାମକ ଜଣେ ଯୁବକ ଜଣେ ଭଲ ଓକିଲ ହେବା ପାଇଁ ଏଲଏଲବି ପଢିଥିଲେ। ହେଲେ ମହାବାତ୍ୟାର କରାଳ ରୂପ ଓ ଲୋକମାନେ ପୋକମାଛି ଭଳି ମୃତ୍ୟୁବରଣ କରିଥିବାର ଦୃଶ୍ୟ ତାଙ୍କୁ ବ୍ୟଥିତ କରିଥିଲା। ତେଣୁ ଡିଜାଷ୍ଟର ମ୍ୟାନେଜମେଣ୍ଟ ବା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସେ କାମ କରିବାକୁ ଆଗେଇ ଆସିଥିଲେ। ଏବେ କିଛି ବି ପ୍ରାକୃତିକ ବିପର୍ଯ୍ୟୟ ହେଲେ, ଏହି ଅଞ୍ଚଳରେ ତାଙ୍କ ଟିମ୍ ଲୋକଙ୍କୁ ଉଦ୍ଧାର କରିବାକୁ ଆଗେଇ ଆସୁଛି। ଏପରିକି ରାଜ୍ୟ ତଥା ରାଜ୍ୟ ବାହାରେ ସେ ଡିଜାଷ୍ଟର ମ୍ୟାନେଜମେଣ୍ଟ ସଂପର୍କରେ ସ୍ୱେଚ୍ଛାସେବୀମାନଙ୍କୁ ତାଲିମ ଦେଉଛନ୍ତି।

ପ୍ରାଣ ହରାଇଥିଲେ ଅଧିକାଂଶ ବଙ୍ଗାଳୀ ଲୋକ

ମହାବାତ୍ୟାରେ ନିର୍ଦ୍ଦିଷ୍ଟ ଭାବେ କେତେ ଲୋକଙ୍କର ମୃତ୍ୟୁ ଘଟିଥିଲା, ହିସାବ କରିବା କଷ୍ଟକର ଥିଲା। ଶହ ଶହ ସଂଖ୍ୟାରେ ଶବ ପଡିରହିଥିଲା। ମୃତ୍ୟୁ ବରଣ କରିଥିବା ଅଧିକାଂଶ ଲୋକ ଥିଲେ ବଙ୍ଗାଳୀ। କାରଣ ସମୁଦ୍ର ପାଖ ଜଙ୍ଗଲ କାଟି ସେମାନେ ବେଆଇନ ଭାବେ ଘର କରି ରହିଥିଲେ। ସମୁଦ୍ର ପାଣି ମାଡିଆସିବା ଫଳରେ ସବୁ ଜଳାର୍ଣ୍ଣବ ହୋଇଯାଇଥିଲା। ମହାବାତ୍ୟା ପରେ ଶବ ସତ୍କାର କରାଯିବା ଏକ କଷ୍ଟକର ବ୍ୟାପାର ଥିଲା। ଆନନ୍ଦ ମାର୍ଗୀମାନେ ଶବ ସତ୍କାରରେ ଅଗ୍ରଣୀ ଭୂମିକା ନେଇଥିଲେ। ଖାଦ୍ୟ ପାଇଁ ହାହାକାର ପଡିଯାଇଥିଲା। ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ଅନେକ ସ୍ୱେଚ୍ଛାସେବୀ। କିନ୍ତୁ କ୍ଷତିଗ୍ରସ୍ତଙ୍କ ଆଖିରୁ ଶୁଖୁନଥିଲା ଲୁହ।

ମହାବାତ୍ୟା ଛାଡିଯାଇଛି ବିନାଶର ଛାପ। ପ୍ରକୃତି ଯେ ଏତେ ଭୟଙ୍କର ହୋଇପାରେ ଏଇ ଶିକ୍ଷା ଦେଇଯାଇଛି ସରକାର ଓ ଲୋକଙ୍କୁ।



from Latest Odisha News, Breaking News Today | Top Updates on Corona - OTV News https://ift.tt/3vXaSmJ
ମନେପଡ଼େ ମହାବାତ୍ୟା: ଏମିତି ଥିଲା ସେଦିନର କିଛି ଲୋମଟାଙ୍କୁରା ଘଟଣା Sarbeswar ମନେପଡ଼େ ମହାବାତ୍ୟା: ଏମିତି ଥିଲା ସେଦିନର କିଛି ଲୋମଟାଙ୍କୁରା ଘଟଣା Sarbeswar Reviewed by SUBHENDU BARAL on October 28, 2021 Rating: 5

No comments:

Powered by Blogger.