କେକେଆର ବିରୋଧରେ ପଞ୍ଜାବ କିଙ୍ଗ୍ସର ରୋମାଞ୍ଚକର ବିଜୟ, କେଏଲ ରାହୁଲ ଖେଳିଲେ ଅଧିନାୟକତ୍ଵ ଇନିଂସ

ଦୁବାଇ ୦୧।୧୦: ଭେଙ୍କଟେଶ ଆୟରଙ୍କ ଅର୍ଦ୍ଧଶତକ ଉପରେ ଭାରି ପଡିଲା କେଏଲ ରାହୁଲଙ୍କ ଅର୍ଦ୍ଧଶତକ। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲର ଏକ ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ପଞ୍ଜାବ କିଙ୍ଗ୍ସ। ଏହି ବିଜୟ ସହ ପଞ୍ଜାବ କିଙ୍ଗ୍ସର ପ୍ଲେଅଫ୍ ଆଶା ଉଜ୍ଜୀବିତ ରହିଛି। ଅଧିନାୟକ କେଏଲ ରାହୁଲଙ୍କ ଦମଦାର ଅର୍ଦ୍ଧଶତକ ବଳରେ ପଞ୍ଜାବ କିଙ୍ଗ୍ସ କେକେଆରକୁ ୫ ଓ୍ଵିକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଲୋକକାତା ନାଇଟ୍ ରାଇଡର୍ସ ଭେଙ୍କଟେଶ ଆୟରଙ୍କ ୬୭, ରାହୁଲ ତ୍ରିପାଠୀ ୩୪ ଓ ନୀତିଶ ରାଣାଙ୍କ ୩୧ ରନ ବଳରେ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୬୫ ରନ କରିଥିଲା। ଜବାବରେ ଲୋକେଶ ରାହୁଲଙ୍କ ୬୭ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ୧୯.୩ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ  ଲକ୍ଷ୍ୟ ହାସଲ କରି ନେଇଥିଲା।  ଶାହାରୁଖ ଖାନ ୨୨ ରନର ଉପଯୋଗୀ ଇନିଂସ ଖେଳିଥିଲେ।  ଏହି ମ୍ୟାଚ୍ ପରେ ପଞ୍ଜାବ ୧୨ଟିରୁ ୫ ବିଜୟ ସହ ୧୦ ପଏଣ୍ଟ ହାସଲ କରିଛି। ଅନ୍ୟପଟେ କୋଲକାତା ସମାନ ମ୍ୟାଚ୍‌ରୁ ସପ୍ତମ ପରାଜୟ ଭୋଗିଛି। ପଞ୍ଜାବ ଓ କୋଲକାତା ସମାନ ୫ ମ୍ୟାଚ୍ ଜିତିଥିଲେ ହଁ ଉନ୍ନତ ରନ ରେଟ୍ ଆଧାରରେ କୋଲକାତା ଅଙ୍କ ତାଲିକାର ଚତୁର୍ଥରେ ରହିଛି।

୧୬୬ ରନ ବିଜୟ ଲକ୍ଷ୍ୟ ପିଛା କରିଥିବା ପଞ୍ଜାବ କିଙ୍ଗ୍ସକୁ ଦୁଇ ଓପନର କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ୮.୫ ଓଭରରେ ୭୦ ରନ ଯୋଡି ବିଜୟର ମୂଳଦୁଆ ପକାଇଥିଲେ। ମୟଙ୍କ ଅଗ୍ରଓ୍ଵାଲ ବିସ୍ଫୋରକ ବ୍ୟାଟିଂ କରି ୨୭ ବଲ୍‌ରୁ ୩ ଚୌକା ଓ ୩ ଛକା ସହ ୪୦ ରନ କରି  ଆଉଟ୍ ହୋଇଥିଲେ। ଏହା ପରେ ନିକୋଲାସ ପୁରନ(୧୨) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଏହା ପରେ ରାହୁଲ ଓ ମାର୍କରମ ତୃତୀୟ ଓ୍ଵିକେଟ୍‌ରେ ୪୫ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ମାର୍କରମ ୧୮ ରନ କରି ଆଉଟ୍ ହେବା ପରେ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା।

ଦୀପକ ହୁଡା(୩) ଆଉଟ୍ ହୋଇଥିବା ବେଳେ କ୍ରିଜରେ ଅନ୍ୟ ପାର୍ଶ୍ଵରେ କେଏଲ ରାହୁଲ ଅଧିନାୟକତ୍ଵ ଇନିଂସ ଖେଳିଥିଲେ। ସେ ଅର୍ଦ୍ଧଶତକ ହାସଲ କରି ଦଳକୁ ବିଜୟର ନିକଟତର କରାଇଥିଲେ। ଲୋକେଶ ୫୫ ବଲରୁ ୪ ଚୌକା ଓ ୨ ଛକା ସହ ୬୭ ରନ କରି ଶେଷ ଓଭରରେ ଆଉଟ୍ ହୋଇଥିଲେ। ଶେଷରେ ଶାହାରୁଖ ଖାନ ୧୯.୩ ଓଭରରେ ବିଜୟ ସୂଚକ ଛକା ମାରି ଦଳକୁ ଜିତାଇଥିଲେ। ଶାହାରୁଖ ୯ ବଲ୍‌ରୁ ଦ୍ରୁତ ବ୍ୟାଟିଂ କରି ୧ ଚୌକା ଓ ୨ ଛକା ସହ ୨୨ ରନର ଉପଯୋଗୀ ଇନିଂସ ଖେଳିଥିଲେ।



from Prameya News7 https://ift.tt/3A0AeRh
କେକେଆର ବିରୋଧରେ ପଞ୍ଜାବ କିଙ୍ଗ୍ସର ରୋମାଞ୍ଚକର ବିଜୟ, କେଏଲ ରାହୁଲ ଖେଳିଲେ ଅଧିନାୟକତ୍ଵ ଇନିଂସ କେକେଆର ବିରୋଧରେ ପଞ୍ଜାବ କିଙ୍ଗ୍ସର ରୋମାଞ୍ଚକର ବିଜୟ, କେଏଲ ରାହୁଲ ଖେଳିଲେ ଅଧିନାୟକତ୍ଵ ଇନିଂସ Reviewed by SUBHENDU BARAL on October 01, 2021 Rating: 5

No comments:

Powered by Blogger.