ଆଜି ଭାରତ ବନ୍ଦ । ଓଡ଼ିଶାରେ ଏହାକୁ କଂଗ୍ରେସ, ବାମ ଦଳ ସମେତ ବିଭିନ୍ନ ରାଜନୈତିକ ଦଳ, କୃଷକ ସଂଗଠନ, ସାମାଜିକ ସଂଗଠନ ସମର୍ଥନ ଦେଇଇଛନ୍ତି । ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିଲାଗି ସାରା ରାଜ୍ୟରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ହୋଇଛି ।
ବନ୍ଦ ସମୟରେ ଦେଶର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନ ଆଦି ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିବାରୁ ଏହି ସବୁ ପ୍ରତିଷ୍ଠାନ ଓଡ଼ିଶାରେ ବନ୍ଦ ରହିବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ କୁହାଯାଇଛି । ବସ୍ ଚଳାଚଳ ମଧ୍ୟ ବନ୍ଦ ରହିବ । ତେବେ ଅତ୍ୟାବଶ୍ୟକ ସେବା ବନ୍ଦ ପାଳନରୁ ବାଦ ପଡ଼ିବେ ସଂଗଠନମାନଙ୍କ ପକ୍ଷରୁ କୁହାଯାଇଛି ।
ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ପୂର୍ବାହ୍ନ ୯ଟା ୩୦ ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ କୁହାଯାଇଛି। ଲୋକସେବା ଭବନର ମୁଖ୍ୟ ଫାଟକ ପୂର୍ବାହ୍ନ ୧୦ଟା ୧୫ରେ ବନ୍ଦ କରାଯିବ । ଏହାପରେ ପଛ ଗେଟ୍ ଦେଇ କର୍ମଚାରୀ ଓ ପାସ୍ ପାଇଥିବା ଲୋକମାନେ ଯାତାୟତ କରିପାରିବେ ବୋଲି କୁହାଯାଇଛି । ଓଡ଼ିଶାରେ ବନ୍ଦ ସଫଳ ହେବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ବନ୍ଦ ପାଳନକୁ କଂଗ୍ରେସ ଦୃଢ ସମର୍ଥନ ଦେବ । କିନ୍ତୁ ଅତ୍ୟାବଶ୍ୟକ ସେବା ଉପରେ କଟକଣା ରହିବ ନାହିଁ ।
ବିଜେଡି ଭାରତ ବନ୍ଦ ଡାକରାକୁ ସମର୍ଥନ କରିବ ବୋଲି ସ୍ପଷ୍ଟ ଭାବେ କହିନଥିଲେ ମଧ୍ୟ କହିଛି ଯେ ଦଳ ସବୁବେଳେ ଚାଷୀଙ୍କ ସହ ରହିଛି । ସଂସଦରେ ଏମ୍ଏସ୍ପି ପ୍ରସଙ୍ଗ ମଧ୍ୟ ଜୋରଦାର୍ ଭାବେ ଉଠାଇଛି । ବିଜେପି କହିଛି ଯେ କଂଗ୍ରେସ ଓ ବାମ ଦଳ ନିଜ ରାଜନୈତିକ ପତିଆରା ବଜାୟ ରଖିବାକୁ ଏପରି ବନ୍ଦ ଓ ଆନ୍ଦୋଳନ କରିଥାନ୍ତି । ଏହାର କୌଣସି ପ୍ରଭାବ ପଡିବ ନାହିଁ ।
The post ଆଜି ଭାରତ ବନ୍ଦ : କୃଷକଙ୍କ ବନ୍ଦ ଡାକରାକୁ ସମର୍ଥନ କରୁଛନ୍ତି ଓଡିଶାର ୭ ରାଜନୈତିକ ଦଳ first appeared on Kanak News.
from Kanak News https://ift.tt/3CMBYPQ https://ift.tt/2Y0o8KZ
No comments: