- ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ମହୌଷଧୀ ଦଶମୂଳ
- ରାଜବୈଦଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ସେବନ କରି ସୁସ୍ଥ ହେବେ ଶ୍ରୀଜିଉ
- ଆସନ୍ତାକାଲି ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ନେଇ ରାଜ ନଅରକୁ ଯିବେ ଦଇତାପତି ସେବାୟତ
ପୁରୀ : ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ମହୌଷଧୀ ଦଶମୂଳ । ରାଜବୈଦ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରିଛନ୍ତି । ଔଷଧକୁ ଶୁଦ୍ଧପୁତ ଭାବରେ ପ୍ରସ୍ତୁତ କରାଯାଇଛି । ଦଶମୂଳ ଲାଗି ପରେ ଶ୍ରୀଜିଉ ସୁସ୍ଥ ହେବ । ଏକାଦଶୀ ତିଥିରେ ମହାପ୍ରଭୁଙ୍କ ପାଇଁ ଔଷଧ ବିଜେ କରିବାର ପରମ୍ପରା ରହିଛି । ଅସୁସ୍ଥ ମହାପ୍ରଭୁଙ୍କ ଆରୋଗ୍ୟ ପାଇଁ ସ୍ନାନପୂର୍ଣିମା ପରେ ବୈଦ୍ୟମାନେ ଦୀର୍ଘ ଦିନ ଧରି ଏହି ଦଶମୂଳକୁ ପ୍ରସ୍ତୁତି କରିବାକୁ ନିୟୋଜିତ ଥିଲେ । ଔଷଧ ତିଆରି ପୂର୍ବରୁ ଚେରମୂଳ ସଂଗ୍ରହ କରାଯାଇଥିଲା ।
ଦୀର୍ଘ ଶହ ଶହ ବର୍ଷର ପରମ୍ପରା ବଜାୟ ରହିଛି । ଶ୍ରୀଜିଉଙ୍କ ପାଇଁ ଆୟୁର୍ବେଦ ମହୌଷଧି ଦଶମୂଳ ପ୍ରସ୍ତୁତରେ ଦୁଇକେଜି ଓଜନର ଚେରମୁଳି ରହିଥାଏ । ଆର୍ଯୁବେଦ ଶାସ୍ତ୍ର ଆଧାରରେ ଶାଳ ପର୍ଣି,କୃଷ୍ଣ ପର୍ଣ୍ଣି ,ଫଣାଫଣା, ଗମ୍ଭାରୀ , ଲବାଙ୍ଗ,ଅଙ୍କରତୀ, କୁଳି,ଆଦି ଚେରମୁଳି ରେ ଘିଅ , ମହୁ , ନବାତ , ଖୁଆସର , ଭାଙ୍ଗ ଆଦି ଦଶଟି ଜିନିଷରେ ପ୍ରସ୍ତୁତ ହୋଇଥାଏ ଏହି ଔଷଧ । ଶ୍ରୀଜିଉଙ୍କର ଆରୋଗ୍ୟ ପାଇଁ ଦଶମୁଳ ମୋଦକ ବୈଦ୍ୟ ପ୍ରସ୍ତୁତ କରି ଶ୍ରୀବିଗ୍ରହମାନଙ୍କ ପାଇଁ ଶ୍ରୀମନ୍ଦିର ଗାରଦରେ ଦେଇଥାନ୍ତି । ମଧ୍ୟାହ୍ନ ଧୂପ ପରେ ଚକାବିଜେ ନିତି ସହ ପଣା ଚକଟା ଭୋଗ କରାଯାଏ ।ଏକାଦଶୀ ତିଥିରେ ମହାପ୍ରଭୂଙ୍କ ପାଇଁ ଔଷଧ ବିଜେ କରିବା ପରମ୍ପରା ରହିଛି । ଏହାକୁ ସମର୍ପଣ କରିବା ପରେ ସୁସ୍ଥ ହୋଇଥାନ୍ତି ମହାପ୍ରଭୁ । ସେହିପରି ଦ୍ୱାଦଶୀ ତିଥିରେ ସକାଳ ଧୂପ ପରେ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ନେଇ ଶ୍ରୀନଅରକୁ ରାଜପ୍ରସାଦ ବିଜେ କରିବେ ଦଇତାପତି ସେବାୟତ ।
ଏପଟେ ତିନି ରଥର ନିର୍ମାଣ କାର୍ଯ୍ୟ ବି ପ୍ରାୟ ସରି ଆସିଲାଣି । ଏବେ ଘୋଡା ଓ ସାରଥୀଙ୍କ ମରାମତି ସହ ପ୍ରଭା ଖୋଦେଇ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚିତ୍ରକର ସେବକମାନେ ତିନି ରଥର ପ୍ରଭାରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି । ନନ୍ଦିଘୋଷ ରଥର ବିଜେ ଚକା ଓ ପ୍ରଭା ଗୁଣ୍ଠି ନିର୍ମାଣ ଶେଷ ହୋଇଛି । ଚିତ୍ରକର ଏବଂ ରୂପକାର ସେବାୟତ ସୌନ୍ଦର୍ଯ୍ୟ କରଣରେ ଲାଗିଛନ୍ତି ।
ତେବେ ବିନାଭକ୍ତରେ ରଥଯାତ୍ରା ପାଇଁ ପୁରୀରେ ପ୍ରାଣପଣେ ଲାଗିଛି ପ୍ରଶାସନ। କରୋନା ସଂକ୍ରମଣ ଦୃଷ୍ଟିରୁ ଗଲାବର୍ଷ ଭଳି ଏଥର ବି ସ୍ଥିର ହେଉଛି ଗୋଟିଏ ପରେ ଗୋଟିଏ କଡ଼ା କଟକଣା । ବଡ଼ଦାଣ୍ଡରେ ଘର କରିଥିବା ଲୋକେ ଛାତ କି ବାଲକୋନିରୁ ଦେଖିପାରିବେନି ରଥଯାତ୍ରା। ଏମିତିକି ବଡ଼ଦାଣ୍ଡରେ ଘର ଥାଇ ବି ରଥାରୁଢ଼ ଦିଅଁଙ୍କୁ ଦର୍ଶନ କରି ପାରିବେନି ଭକ୍ତ। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ସବୁ ଘର ଓ ହୋଟେଲ ପାଇଁ କଡ଼ା କଟକଣା ଲଗାଇଛି ପ୍ରଶାସନ। ରଥଯାତ୍ରା ବେଳେ ସହରରେ ୧୪୪ ଧାରା ଲାଗିବ। ଯାତ୍ରାର ଦୁଇ ଦିନ ପୂର୍ବରୁ ଦାଣ୍ଡରେ ଥିବା ସବୁ ହୋଟେଲ ଓ ଧର୍ମଶାଳା ଖାଲି କରାଯିବ।
The post ଆଜି ଦଶମୂଳ ଲାଗି ପରେ ସୁସ୍ଥ ହେବେ ପ୍ରଭୁ : ରାଜବୈଦ୍ୟ ପ୍ରସ୍ତୁତ କରିଛନ୍ତି ଦଶମୂଳ ମୋଦକ appeared first on OTV Khabar..
from OTV Khabar. https://ift.tt/3hgKOxx
No comments: