ନୂଆଦିଲ୍ଲୀ: କେଉଁଠୁ ଆସିଥାଇପାରେ କରୋନା ଭୂତାଣୁ ? ଚୀନର ଉହାନ୍ ଲ୍ୟାବ୍ ନା କୌଣସି ପଶୁପକ୍ଷୀ ? ଭିନ୍ନ ଭିନ୍ନ ଥିଓରୀ ଓ ଭିନ୍ନ ଭିନ୍ନ ମତବାଦକୁ ନେଇ ଭୂତାଣୁ ସଂକ୍ରମଣକୁ ୧୫ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ, ଏନେଇ କାହାରି ପାଖରେ ବି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ।
କରୋନା ଭୂତାଣୁର ଉତ୍ପତ୍ତିକୁ ନେଇ ପ୍ରଥମେ ସନ୍ଦେହ ଘେରରୁ ଆସିଥିଲା ସାପ, ଏହାପରେ ପାଙ୍ଗୋଲିନ ବା ବଜ୍ରକାପ୍ତା ଓ ପରେ ପରେ ଶାଳିଆପତନି ଭଳି ରାତ୍ରିଚର ଜୀବ। ଏପରିକି କୁକୁର, ବିଲେଇ ଓ ନେଉଳ ଜାତୀୟ ଲୋମଶ ପ୍ରାଣୀ ବା ମିଙ୍କ୍ ବି ବାଦ୍ ପଡ଼ି ନାହାନ୍ତି। ତେବେ ବାସ୍ତବରେ କେଉଁ ଜୀବ ଦେହରୁ ମଣିଷ ଶରୀରରେ ପ୍ରବେଶ କଲା ମାରାତ୍ମକ କରୋନା ଭାଇରସ୍, ସେନେଇ କାହାରି ପାଖରେ ସଠିକ୍ ପ୍ରମାଣ ନାହିଁ। ସେହିପରି କୌଣସି ଜୀବ ଦେହରୁ ଭୂତାଣୁ ସିଧାସଳଖ ମଣିଷ ଦେହକୁ ଆସିଛି ନା ଅନ୍ୟ କୌଣସି ଜୀବ ଜରିଆରେ ଏହି ସଂକ୍ରମଣ ଘଟିଛି, ସେନେଇ ବି ସ୍ପଷ୍ଟ ଭାବରେ ଜଣାପଡ଼ି ନାହିଁ।
୨୦୧୯ ଡିସେମ୍ବରରେ ଚୀନ୍ରୁ ଭୂତାଣୁ ଚିହ୍ନଟ ହେବା ପରେ ବାଦୁଡି ଦେହରୁ ଏହା ମଣିଷ ଶରୀରରେ ପ୍ରବେଶ କରିଥିବା କୁହାଯାଇଥିଲା। କରୋନା ଭୂତାଣୁ ସହ ବାଦୁଡ଼ିମାନଙ୍କ ଦେହରେ ଦେଖାଯାଉଥିବା ଏକ ଭୂତାଣୁର ସାମଞ୍ଜସ୍ୟ ଥିବା Chinese Academy of Sciences ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ ଦାବି କରାଯାଇଥିଲା। ତେବେ କୋଭିଡ୍ ଭୂତାଣୁ ବାଦୁଡ଼ି ଦେହରୁ ସିଧାସଳଖ ମଣିଷ ଶରୀରକୁ ନଆସି ଅନ୍ୟ କେଉଁ ଜୀବ ମାଧ୍ୟମରେ ଆସିଥାଇପାରେ ବୋଲି ମତ ପ୍ରକାଶ ପାଇଥିଲା। ସେହିପରି ସାପମାନେ ଏହାର ବାହକ ହୋଇଥାଇପାରନ୍ତି ବୋଲି Journal of Medical Virology କହିଥିଲା। ତେବେ ଅନ୍ୟ ବିଶେଷଜ୍ଞମାନେ ଏହି ରିପୋର୍ଟକୁ ଅଗ୍ରାହ୍ୟ କରି ଦେଇଥିଲେ। ଶାଳିଆପତନି ଦ୍ୱାରା ସାର୍ସ ଭୂତାଣୁ ବ୍ୟାପିବା ଭଳି ଏକ ସ୍ତନ୍ୟପାୟୀ ପ୍ରାଣୀ ଦ୍ୱାରା କୋଭିଡ୍-୧୯ ସଂକ୍ରମିତ ହୋଇଥାଇପାରେ ବୋଲି ସେମାନେ ମତ ଦେଇଥିଲେ।
୨୦୨୦ ଫେବୃଆରୀରେ ସାଉଥ୍ ଚାଇନା କୃଷି ବିଶ୍ୱ ବିଦ୍ୟାଳୟ ସାମ୍ନାକୁ ଆଣିଥିଲା ଆଉ ଏକ ନୂଆ ତଥ୍ୟ। ବଜ୍ରକାପ୍ତାଙ୍କ ମାଧ୍ୟମରେ କୋଭିଡ୍ ଭୂତାଣୁ ବାଦୁଡ଼ି ଶରୀରରୁ ମଣିଷ ଶରୀରରେ ପ୍ରବେଶ କରିଥାଇପାରେ ବୋଲି ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ କୁହାଯାଇଥିଲା।
ହଂକଂରେ ଏକ କୁକୁର କରୋନାରେ ସଂକ୍ରମିତ ହେବା ସହ ବିଲେଇ, ନେଉଳ ଜାତୀୟ କିଛି ଜୀବଙ୍କ ସହ ଚିଡିଆଖାନା ଓ ଅଭୟାରଣ୍ୟରେ ଥିବା ବାଘ ଓ ସିଂହ ବି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ତେବେ ଗୃହପାଳିତ ହୁଅନ୍ତୁ କି ବନ୍ୟପ୍ରାଣୀ, ଏମାନେ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ ମଧ୍ୟ ଏମାନଙ୍କ ଦ୍ୱାରା ଭୂତାଣୁ ସଂକ୍ରମଣର ସମ୍ଭାବନା ନାହିଁ ବୋଲି କୁହାଯାଉଛି। ସେହିପରି ମିଙ୍କ୍ ଫାର୍ମରେ କାମ କରୁଥିବା ନେଦରଲ୍ୟାଣ୍ଡସର ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିଲେ। ପ୍ରାଣୀ ଶରୀରରୁ ମଣିଷକୁ ଭୂତାଣୁ ସଂକ୍ରମିତ ହେବାର ଏହା ପ୍ରଥମ ପ୍ରମାଣ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା। ସେହିପରି ଆମେରିକା ସମେତ ଅନେକ ୟୁରୋପୀୟ ଦେଶରେ ମିଙ୍କ୍ ଫାର୍ମ ଦ୍ୱାରା ଭୂତାଣୁ ସଂକ୍ରମଣ ହେଉଥିବା ସ୍ପଷ୍ଟ ହୋଇଥିଲା। ଫଳରେ ଲକ୍ଷ ଲକ୍ଷ ସଂଖ୍ୟାରେ ଏହି ପ୍ରାଣୀଙ୍କୁ ମାରି ପୋତି ଦିଆଯାଇଥିଲା।
କରୋନାର ଉତ୍ପତ୍ତି କେଉଁଠୁ ? ଏହା କିଭଳି ମାନବ ଶରୀରରେ ପ୍ରବେଶ କଲା ତା’ର ସ୍ପଷ୍ଟ ଉତ୍ତର କାହାରି ପାଖରେ ନାହିଁ। ଚୀନର ଉହାନ୍ ଲ୍ୟାବ୍ରୁ ଭୂତାଣୁ ଆସିଥିବା ସମ୍ଭାବନା କମ୍ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲେ ମଧ୍ୟ ଚୀନ୍କୁ କ୍ଲିନ୍ ଚିଟ୍ ମିଳିନାହିଁ। ଉହାନ୍ ଲ୍ୟାବ୍ର ସମ୍ଭାବ୍ୟ ସମ୍ପୃକ୍ତି ନେଇ ଅଧିକ ତଦନ୍ତର ଆବଶ୍ୟକତା ରହିଥିବା କହିଛନ୍ତି ବିଶ୍ୱ ସଂଗଠନର ମୁଖ୍ୟ। ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମ୍ ଉହାନ୍ ଯାଇ ଖୋଳତାଡ଼ କରିଥିଲେ ବି ଚୀନ ପକ୍ଷରୁ ଦିଆଯାଇଥିବା ତଥ୍ୟ ପର୍ଯ୍ୟାପ୍ତ ନୁହେଁ ବୋଲି କୁହାଯାଇଛି।
The post କେମିତି ମଣିଷ ଶରୀରରେ ପ୍ରବେଶ କଲା କରୋନା ଭୂତାଣୁ ? appeared first on OTV Khabar..
from OTV Khabar. https://ift.tt/3umYIlp
No comments: