ଇନ୍ଦୋର,୨୬/୦୩: ଦେଶରେ କରୋନା ଭାଇରସର ଆତଙ୍କ ବଢିବାରେ ଲାଗିଛି । ଦୈନିକ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାକୁ ନଜରରେ ରଖି ଦେଶର ଅନେକ ରାଜ୍ୟରେ ଲକଡାଉନ୍ ଲାଗୁ ହେବା ସହ କିଛି ସହରରେ କରୋନା କଟକଣାକୁ କଡାକଡି କରାଯାଇଛି । ଏପରିକି ବିବାହ କାର୍ଯ୍ୟକ୍ରମ, ଶୁଦ୍ଧିକ୍ରିୟାରେ ସର୍ବାଧିକ କେତେ ଲୋକ ଏକାଠି ହୋଇପାରିବେ ସେନେଇ ମଧ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି ।
ଏହାମଧ୍ୟରେ ମଧ୍ୟପ୍ରଦେଶରେ କରୋନା ବେକାବୁ ରହିଛି । ଏହାକୁ ନଜରରେ ରଖି ସରକାର ଇନ୍ଦୋର ସହରରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ହୋଲିକା ଦହନ ଉତ୍ସବ ଉପରେ ମଧ୍ୟ ଲୋକଙ୍କୁ ଏକାଠି ନହେବାକୁ କୁହାଯାଇଛି । ଏହାସହ ହୋଲି ଖେଳିବା ଉପରେ ପ୍ରଶାସନ କଟକଣା ଲଗାଇଛି ।
ଆଗାମୀ ନିର୍ଦ୍ଦେଶନାମା ନଆସିବା ଯାଏଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ । ଏହାସହ ସହରର ସମସ୍ତ ଦୋକାନ ବଜାର ରାତି ୯ଟା ପରେ ବନ୍ଦ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସାର୍ବଜନିକ ସ୍ଥାନରେ ଏକାଠି ହେବା ଉପରେ ପ୍ରଶାସନ କଡା କଟକଣା ଲଗାଇଛି । ଏତତ୍ ବ୍ୟତୀତ ରେଷ୍ଟୁରାଣ୍ଟରେ କେବଳ ହୋମ୍ ଡେଲିଭରୀ ଦିଆଯିବ । ରେଷ୍ଟୁରାଣ୍ଟରେ ବସି ଖାଇବା ପାଇଁ ଅନୁମତି ନାହିଁ ।
ସୂଚନାଯୋଗ୍ୟ, ଇନ୍ଦୋରରେ ପ୍ରତି ଘଣ୍ଟାରେ ୨୫ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଗୁରୁବାର ସହରରେ ୬୧୨ଟି ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ଏହାସହ ୨ଜଣ ଆକ୍ରାନ୍ତ ପ୍ରାଣ ମଧ୍ୟ ହରାଇଛନ୍ତି । ଏବେସୁଦ୍ଧା ୯୫୧ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ୨୭୧୮ଟି ସକ୍ରିୟ ମାମଲା ରହିଛି ।
from Prameya News7 https://ift.tt/3rnOWh0
No comments: