ଆଜି ଭାରତ- ଇଂଲଣ୍ଡ ପ୍ରଥମ ଦିନିକିଆ : ଟି୨୦ ସିରିଜ ବିଜୟୀ ପରେ ଆତ୍ମବିଶ୍ୱାସରେ ଭରପୁର ଟିମ୍ ଇଣ୍ଡିଆ

ପୁଣେ, ୨୩|୦୩ : ମଙ୍ଗଳବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ। ସମସ୍ତ ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବ। ଏହି ଗସ୍ତରେ ଇଂଲଣ୍ଡକୁ ଉଭୟ ଟେଷ୍ଟ ଓ ଟ୍ବେଣ୍ଟି୨୦ ସିରିଜ୍ ରେ ଭାରତ ପରାସ୍ତ କରିଛି। ଦିନିକିଆରେ ବିଶ୍ବ ଚମ୍ପିଆନ୍ ଇଂଲଣ୍ଡ ବିଶ୍ବର ୧ନଂ ଦଳ ହୋଇଥିବା ବେଳେ ଭାରତ ୨ନଂ ଦଳ। ଟ୍ବେଣ୍ଟି୨୦ରେ ମଧ୍ୟ ଉଭୟ ଦଳଙ୍କର ମାନ୍ୟତା ସମାନ ଥିବା ବେଳେ ଭାରତ ସିରିଜ୍ ଜିତିଥିଲା। ତେଣୁ ଘରୋଇ ମାଟିରେ ଖେଳୁଥିବା ଭାରତ ପ୍ରଥମ ମ୍ୟାଚ୍ ସହ ସିରିଜ୍ ଜିତିବା ପାଇଁ ମଧ୍ୟ ଫେଭରେଟ୍ । ଦିନିକିଆରେ ଇଂଲଣ୍ଡ ନିଶ୍ଚିତ ଭାବେ ଶକ୍ତିଶାଳୀ। ହେଲେ ଟ୍ବେଣ୍ଟି୨୦ ସିରିଜ୍ ରେ ଭାରତ ତା’ର ଶକ୍ତି ପ୍ରଦର୍ଶନ କରିସାରିଛି। ଟେଷ୍ଟ ଓ ଟି୨୦ ସିରିଜ୍ ହାରିବା ପରେ ଦିନିକିଆ ସିରିଜ୍ ଜିତି ଇଂଲଣ୍ଡ କିଞ୍ଚିତ୍ ସମ୍ମାନ ଫେରି ପାଇବାକୁ ପ୍ରୟାସ କରିବ।


ଭାରତୀୟ ଅଧିନାୟକ ବିରାଟ କୋହଲି ଧଳା ବଲ୍ କ୍ରିକେଟରେ ଫର୍ମକୁ ଫେରିଛନ୍ତି। ​ ଟି୨୦ ସିରିଜରେ କୋହଲି ୩ଟି ଅପରାଜିତ ଅର୍ଦ୍ଧଶତକ ସହ ସର୍ବାଧିକ ୨୩୧ ରନ୍ କରିଛନ୍ତି। ଦିନିକିଆରେ ମଧ୍ୟ କୋହଲି ଏହି ଫର୍ମ ଜାରି ରଖିବାକୁ ଚାହିଁବେ। ଦିନିକିଆରେ ଭାରତର ଅନ୍ୟତମ ସଫଳ ଯୋଡ଼ି ରୋହିତ ଓ ଶିଖର ଧାୱନ ଇନିଂସ ଓପନ୍ କରିବେ ବୋଲି ଅଧିନାୟକ କୋହଲି ଘୋଷଣା କରି ସାରିଲେଣି। ଆରମ୍ଭରୁ ନ ହେଲେ ବି ପରେ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିପାରେ। ୪ନଂ ସ୍ଥାନରେ ଶ୍ରେୟସ ଆୟର ଖେଳିପାରନ୍ତି। ହାର୍ଦିକ ପାଣ୍ଡ୍ୟା ବୋଲିଂକରିବା ଭାରତୀୟ ଦଳ ପାଇଁ ଏକ ଶୁଭଖବର। ତଥାପି ଭାରତକୁ ଚୂଡ଼ାନ୍ତ ଏକାଦଶ ବାଛିବା ସହଜ ହେବନାହିଁ। ୫ନଂ ସ୍ଥାନ ୱିକେଟ ରକ୍ଷକ ବ୍ୟାଟସମ୍ୟାନ୍ ଋଷଭ ପନ୍ତଙ୍କ ପାଇଁ ସୁରକ୍ଷିତ। ୬ନଂ ସ୍ଥାନ ପାଇଁ ଭାରତକୁ କସରତ କରିବାକୁ ପଡ଼ିବ। ଏହି ସ୍ଥାନରେ ଅଲରାଉଣ୍ଡର ଖେଳିବେ ନା ଅତିରିକ୍ତ ବ୍ୟାଟସମ୍ୟାନ୍ ଖେଳିବେ । ତାହା ଦଳ ମ୍ୟାନେଜମେଣ୍ଟ ନିଶ୍ଚିତ କରିବ। ବ୍ୟାଟସମ୍ୟାନ୍ ଖେଳିଲେ କେ.ଏଲ୍ . ରାହୁଲ ସୁଯୋଗ ପାଇପାରନ୍ତି। ଅନ୍ୟଥା ଦୁଇ ସ୍ପିନ୍ ବୋଲିଂ ଅଲ୍ ରାଉଣ୍ଡର ୱାଶିଂଟନ ସୁନ୍ଦର ଓ କୃଣାଲ ପାଣ୍ଡ୍ୟାଙ୍କ ମଧ୍ୟରୁ ଜଣେ ଖେଳିବେ। ଟି୨୦ ସିରିଜ୍ ଖେଳିଥିବା ୩ ପେସ୍ ବୋଲର ଭୁବନେଶ୍ବର କୁମାର, ଟି. ନଟରାଜନ୍ ଓ ସାର୍ଦ୍ଦୁଳ ଠାକୁର ଖେଳିବା ନିଶ୍ଚିତ। ଏକମାତ୍ର ସ୍ପିନର ସ୍ଥାନ ପାଇଁ ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ମଧ୍ୟରେ ମୁକାବିଲା ହେବ।


ଇଂଲଣ୍ଡ ଦଳରେ ବିଶ୍ୱକପ୍ ଜିତିଥିବା ୩ ପ୍ରମୁଖ ଖେଳାଳି ନାହାନ୍ତି। ଜୋଫ୍ରା ଆର୍ଚର ଆହତ ହୋଇଥିବା ବେଳେ ଜୋ ରୁଟ୍ ଓ କ୍ରିସ୍ ୱକସଙ୍କୁ ବିଶ୍ରାମ ମିଳିଛି। ଇଂଲଣ୍ଡକୁ ପ୍ରଥମ ୬ ବ୍ୟାଟସମ୍ୟାନ୍‌ଙ୍କୁ ବାଛିବାରେ ଅସୁବିଧା ହେବନାହିଁ। ଜାସନ୍ ରୟଙ୍କ ସହ ଜନି ବେୟାର​​ଷ୍ଟୋ ଇନିଂସ ଓପନ୍ କରିବେ। ବେନ୍ ଷ୍ଟୋକ୍  ୩ନଂରେ ବ୍ୟାଟିଂକରିବେ। ୨୦୧୯ ବିଶ୍ବକପ୍ ଫାଇନାଲ ପରେ ଷ୍ଟୋକ୍ ସଙ୍କର ଏହା ପ୍ରଥମ ଦିନିକିଆ ହେବ। ୪ନଂରେ ଅଧିନାୟକ ଇଓନ୍ ମୋର୍ଗାନ୍ ଖେଳିବାର ଥିବା ବେଳେ ଜୋସ୍ ବଟ୍ ଲର ଓ ସାମ୍ ବିଲିଙ୍ଗ୍ ପରବର୍ତ୍ତୀ ୨ଟି ସ୍ଥାନରେ ବ୍ୟାଟିଂ କରିବେ।

ଦୁଇ ଅଲ୍ ରାଉଣ୍ଡର ଲିଆମ୍ ଲିଭିଙ୍ଗ୍ ଷ୍ଟୋନ୍ ଓ ମୋଇନ୍ ଅଲୀଙ୍କ ମଧ୍ୟରୁ ଜଣେ ଖେଳିବେ। ଆର୍ଚରଙ୍କ ସ୍ଥାନରେ ପେସ୍ ବୋଲର ରିସ୍ ଟପ୍ ଲି ଖେଳିବେ। ଆଦିଲ ରସିଦ୍ ଓ ମାର୍କ ଉଡ୍ ଖେଳିବା ନିଶ୍ଚିତ ହୋଇଥିବା ବେଳେ ଶେଷ ସ୍ଥାନ ପାଇଁ ଦୁଇ ଭାଇ ସାମ୍ କରନ୍ ଓ ଟମ୍ କରନ୍ ଙ୍କ ମଧ୍ୟରେ ମୁକାବିଲା ହେବ। ପୁଣେ ପିଚ୍ ବ୍ୟାଟିଂ ପାଇଁ ସହାୟକ ହେବ। ଏଠାରେ ୪ଟି ଦିନିକିଆ ଖେଳା ଯାଇଥିବା ବେଳେ ୩ ଥର ୩୦୦ରୁ ଅଧିକ ରନ୍ ହୋଇଛି। ୨୦୧୦ ପରଠାରୁ ଘରୋଇମାଟିରେ ଭାରତ ମାତ୍ର ୩ଟି ଦିନିକିଆ ସିରିଜ୍ ହାରିଛି।



from Prameya News7 https://ift.tt/319IxLG
ଆଜି ଭାରତ- ଇଂଲଣ୍ଡ ପ୍ରଥମ ଦିନିକିଆ : ଟି୨୦ ସିରିଜ ବିଜୟୀ ପରେ ଆତ୍ମବିଶ୍ୱାସରେ ଭରପୁର ଟିମ୍ ଇଣ୍ଡିଆ ଆଜି ଭାରତ- ଇଂଲଣ୍ଡ ପ୍ରଥମ ଦିନିକିଆ : ଟି୨୦ ସିରିଜ ବିଜୟୀ ପରେ ଆତ୍ମବିଶ୍ୱାସରେ ଭରପୁର ଟିମ୍ ଇଣ୍ଡିଆ Reviewed by SUBHENDU BARAL on March 22, 2021 Rating: 5

No comments:

Powered by Blogger.