ଆଜି ଖୋର୍ଦ୍ଧା-କଟକ-ନୟାଗଡରେ ଅଗ୍ନିବର୍ଷା, ୨୮ ଯାଏଁ ଜାରି ରହିବ ହିଟଓ୍ୱେଭ୍

ଭୁବନେଶ୍ୱର,୨୭/୦୩: ରାଜ୍ୟରେ ତାତି ଆହୁରି ବଢ଼ିବ । ଶନିବାର କଟକ, ଖୋର୍ଦ୍ଧା, ନୟାଗଡ଼ରେ ଅଗ୍ନିବର୍ଷା । ସତର୍କ କରାଇ ଦେଇଛି ପାଣିପାଗ ବିଭାଗ । ଏହି ୩ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ସ୍ଥିତି ରହିବ ୨୮ ତାରିଖ ସକାଳ ପର୍ଯ୍ୟନ୍ତ । ଅର୍ଥାତ୍‌ ଦିନ ଭଳି ରାତିରେ ବି ଅସ୍ୱାଭାବିକ ଗରମ ଛଟପଟ କରିବ ।

ଅନ୍ୟପକ୍ଷରେ କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି, ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଗରମ ପ୍ରକୋପରୁ ନିସ୍ତାର ନାହିଁ । ମଝିରେ ମଝିରେ କାଳବୈଶାଖୀ ବର୍ଷା ଯୋଗୁ ତାତି ସାମୟିକ ଭାବେ କମିପାରେ । ବର୍ତ୍ତମାନ ରାଜ୍ୟକୁ ପଶ୍ଚିମ ପଟୁ ତତଲା ଶୁଷ୍କ ପବନ ଏମିତି ବହିବ । ୩୦ ତାରିଖରେ ପଶ୍ଚିମ ଓଡ଼ିଶା, ୩୧ରେ ସମଗ୍ର ଓଡ଼ିଶା ଏବଂ ଏପ୍ରିଲ ପହିଲାରେ ଦକ୍ଷିଣ ଉପକୂଳ, କେନ୍ଦ୍ରୀୟ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସବୁଠାରୁ ଅଧିକ ଗରମ ହେବ । ଏହି ୩ ଦିନରେ ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୧ରୁ ୪୨ ଡିଗ୍ରୀ ରହିପାରେ । ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ, ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାର କେତେକ ଜାଗାରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ଡେଇଁଯିବ ।

ଆସନ୍ତା ୩୧ରେ ସମ୍ଭବତଃ ଭୁବନେଶ୍ୱର ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିପାରେ । ୨୮ ପର୍ଯ୍ୟନ୍ତ ଭୁବନେଶ୍ୱର ତାତି ୪୦ରୁ ଖସିବନି । ଦକ୍ଷିଣ ଓଡ଼ିଶାରେ ୨୯ରୁ ୧ ପର୍ଯ୍ୟନ୍ତ କେତେକ ଜାଗାରେ ପାରଦ ୨ ଡିଗ୍ରୀ ବଢ଼ିପାରେ । ଉତ୍ତର ଓଡ଼ିଶାରେ ୩୦ ସୁଦ୍ଧା କେତେକ ସ୍ଥାନରେ ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ଅଛି ।

ସେହିପରି ଆସନ୍ତା ଏପ୍ରିଲ ୧ରେ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ପ୍ରାଥମିକ ଆକଳନ ଅନୁଯାୟୀ ଏହା ପ୍ରଥମେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଣ୍ଡାମାନ ଆଡ଼କୁ ମୁହାଁଇବ । ପରେ ମିଆଁମାର ଯାଇପାରେ । ୨୯ରୁ ୩୧ ତାରିଖ ଭିତରେ ସମୁଦ୍ର କୂଳେ କୂଳେ ବର୍ଷା ହେବା ସମ୍ଭାବନା ଅଛି । ଭୁବନେଶ୍ୱରରେ ୨୯ ଓ ଏପ୍ରିଲ ୨ରୁ ୪ ତାରିଖ ଭିତରେ କାଳବୈଶାଖୀ ହୋଇପାରେ ।

ପାଣିପାଗ ବିଭାଗ କହିଛି, ଶନିବାରଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ କେତେକ ଜାଗାରେ କାଳବୈଶାଖୀଜନିତ ବର୍ଷା ହୋଇପାରେ । କିଛି ଜାଗାରେ ୩୦ରୁ ୪୦ କିମି ପବନ ସହ ଧୂଳିଝଡ଼ ଆଶଙ୍କା ଅଛି । ବିଶେଷ କରି ଉତ୍ତର ଓଡ଼ିଶା ଏବଂ ଉପକୂଳ ଅଞ୍ଚଳର କେତେକ ଜାଗାରେ କାଳବୈଶାଖୀ ହୋଇପାରେ। ତଥାପି ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିବ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଅନେକ ଜାଗାରେ ତାପମାତ୍ରା କମିବ ନାହିଁ । ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିପାରେ ।



from Prameya News7 https://ift.tt/3fjmwCs
ଆଜି ଖୋର୍ଦ୍ଧା-କଟକ-ନୟାଗଡରେ ଅଗ୍ନିବର୍ଷା, ୨୮ ଯାଏଁ ଜାରି ରହିବ ହିଟଓ୍ୱେଭ୍ ଆଜି ଖୋର୍ଦ୍ଧା-କଟକ-ନୟାଗଡରେ ଅଗ୍ନିବର୍ଷା, ୨୮ ଯାଏଁ ଜାରି ରହିବ ହିଟଓ୍ୱେଭ୍ Reviewed by SUBHENDU BARAL on March 26, 2021 Rating: 5

No comments:

Powered by Blogger.