ଆଜି ନିର୍ଣ୍ଣାୟକ ମୁକାବିଲା, ସିରିଜ୍ ବିଜୟ ଲକ୍ଷ୍ୟରେ ଉଭୟ ଭାରତ ଓ ଇଂଲଣ୍ଡ

ପୁନେ, ୨୮|୦୩:  ରବିବାର ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ। ଅପରାହ୍ନ ସାଢ଼େ ୧ଟାରେ ପୁନେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡ଼ିୟମରେ ଏହି ମ୍ୟାଚ୍ ଖେଳାଯିବ । ଭାରତ ତିନିଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ ଜିତିଥିବା ବେଳେ ଭ୍ରମଣକାରୀ ଦଳ ଦ୍ୱୀତୀୟ ମ୍ୟାଚ ଜିତିଛି ।

ତେଣୁ ଆଜିର ମ୍ୟାଚ ଉଭୟଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ । ମ୍ୟାଚ ଜିତି ସରିଜ୍ ହାତେଇବା ଲକ୍ଷ୍ୟରେ ଉଭୟ ଦଳ ପଡିଆକୁ ଓହ୍ଲାଇବେ । ଟିମ୍ ଇଣ୍ଡିଆରେ ପ୍ରାୟତଃ ସମସ୍ତ ଖେଳାଳି ଭଲ ଫର୍ମରେ ଅଛନ୍ତି । ତେଣୁ ଏହି ଶୃଙ୍ଖଳା ଭାରତ ସପକ୍ଷରେ ଯିବ ବୋଲି ଆଶା କରାଯାଉଛି । ବିରାଟ କୋହଲିଙ୍କ ନେତୃତ୍ୱରେ ଖେଳୁଥିବା ଭାରତ ଫାଇନାଲ ମ୍ୟାଚ ଜିତିବା ପାଇଁ ସମସ୍ତ ପ୍ରକାରର ରଣନୀତି ପ୍ରସ୍ତୁତ କରିଛି ।

ରୋହିତ ସ୍ପିନରଙ୍କ ଫର୍ମ ଚିନ୍ତାଜନକ: ଦୁର୍ଦ୍ଧର୍ଷ ଓପନର ରୋହିତ ଶର୍ମା ଓ ସ୍ପିନର କୁଲଦୀପ ଯାଦବଙ୍କ ଫର୍ମ ଘରୋଇ ଦଳ ପାଇଁ ଚିନ୍ତାଜନକ ରହିଛି। ରୋହିତ ଉଭୟ ମ୍ୟାଚ୍‌ରେ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ସ୍କୋର କରିପାରିନଥିଲେ । ସେ ତ୍ରୁଟି ସୁଧାରି ଶ୍ରେଷ୍ଠ ପ୍ରଦର୍ଶନ ଲକ୍ଷ୍ୟରେ ରହିଛନ୍ତି । ସ୍ପିନ୍‌ ବିଭାଗରେ କୁଲଦୀପ ଓ କୃନାଲ ପାଣ୍ଡ୍ୟା ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ । ଆଜି ଅଧିନାୟକ ବିରାଟ କୋହଲି ପ୍ରମୁଖ ସ୍ପିନର ୟୁଝବେନ୍ଦ୍ର ଚହଲଙ୍କୁ ସୁଯୋଗ ଦେଇପାରନ୍ତି । ସେହିପରି ପଦାର୍ପଣ ମ୍ୟାଚ୍‌ରେ ୪ ୱିକେଟ୍‌ ନେଇ ଚର୍ଚ୍ଚାକୁ ଆସିଥିବା ଯୁବ ପେସ୍‌ ବୋଲର ପ୍ରସିଦ୍ଧ କ୍ରିଷ୍ଣା ପୂର୍ବ ମ୍ୟାଚ୍‌ରେ ନିରାଶ କରିଥିଲେ । ତାଙ୍କ ସ୍ଥାନରେ ଟି. ନଟରାଜନ ଖେଳିପାରନ୍ତି । ସେ ଘାତକ ୟର୍କର ପକାଇବାରେ ସିଦ୍ଧହସ୍ତ । କୃନାଲ୍‌ଙ୍କ ସ୍ଥାନରେ ୱାସିଂଟନ ସୁନ୍ଦର ଏକାଦଶକୁ ଫେରିବା ସମ୍ଭାବନା ରହିଛି । ବ୍ୟାଟିଂ ବିଭାଗରେ କୌଣସି ପରିବର୍ତ୍ତନ ହୋଇନପାରେ । ଦ୍ୱିତୀୟ ମ୍ୟାଚ୍‌ରେ ଲୋକେଶ ରାହୁଲ, ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି ଫର୍ମରେ ଥିବା ପ୍ରମାଣିତ କରିଥିଲେ ।

ବେୟାରଷ୍ଟୋ, ଷ୍ଟୋକ୍ସଙ୍କ ଉପରେ ନଜର : ଦ୍ୱିତୀୟ ଦିନିକିଆରେ ଜନି ବେୟାରଷ୍ଟୋ (୧୨୪) ଓ ବେନ୍‌ ଷ୍ଟୋକ୍ସ (୯୯) ଭାରତୀୟ ବୋଲରଙ୍କୁ ନିର୍ମମ ପ୍ରହାର କରି ଆତଙ୍କ ଖେଳାଇ ଦେଇଥିଲେ। ଉଭୟଙ୍କ ସାମ୍ନାରେ ଭାରତୀୟ ବୋଲିଂ ବିଭାଗର ସବୁ ରଣନୀତି ଫେଲ୍‌ ମାରିଥିଲା । ମିଳିତ ଭାବେ ମୋଟ ୧୭ଟି ଛକା ମାରିଥିଲେ । ରବିବାର ମଧ୍ୟ ଉଭୟ ଅନୁରୂପ ବ୍ୟାଟିଂ ପାଇଁ ପ୍ରସ୍ତୁତ ରହିଛନ୍ତି । ଅନ୍ୟ ଓପନର ଜାସନ ରୟ ମଧ୍ୟ ଫର୍ମରେ ରହିଛନ୍ତି । ବୋଲିଂ ବିଭାଗରେ ଦଳ ଗୋଟିଏ ପରିବର୍ତ୍ତନ କରିପାରେ । ଟମ୍‌ କୁରାନଙ୍କ ସ୍ଥାନରେ ମାର୍କ ଉଡ୍‌ ଏକାଦଶକୁ ଫେରିପାରନ୍ତି ।

ସମ୍ଭାବ୍ୟ ଏକାଦଶ ଭାରତ: ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା/ୱାସିଂଟନ ସୁନ୍ଦର, ଭୁବନେଶ୍ୱର କୁମାର, ସର୍ଦୁଲ ଠାକୁର, ୟୁଝବେନ୍ଦ୍ର ଚହଲ, ପ୍ରସିଦ୍ଧ କ୍ରିଷ୍ଣା/ଟି ନଟରାଜନ ।

ସମ୍ଭାବ୍ୟ ଏକାଦଶ ଇଂଲଣ୍ଡ: ଜାସନ ରୟ, ଜନି ବେୟାରଷ୍ଟୋ, ବେନ୍‌ ଷ୍ଟୋକ୍ସ, ଦାୱିଦ ମଲାନ, ଜୋସ ବଟଲର (ଅଧିନାୟକ), ଲିୟାମ ଲିଭିଙ୍ଗ୍‌ଷ୍ଟୋନ୍‌, ମୋଇନ୍‌ ଅଲି, ସାମ କୁରାନ, ମାର୍କ ଉଡ୍‌/ଟମ୍‌ କୁରାନ, ଆଦିଲ ରସିଦ, ରିସି ଟପଲୀ ।



from Prameya News7 https://ift.tt/3cqWlI6
ଆଜି ନିର୍ଣ୍ଣାୟକ ମୁକାବିଲା, ସିରିଜ୍ ବିଜୟ ଲକ୍ଷ୍ୟରେ ଉଭୟ ଭାରତ ଓ ଇଂଲଣ୍ଡ ଆଜି ନିର୍ଣ୍ଣାୟକ ମୁକାବିଲା, ସିରିଜ୍ ବିଜୟ ଲକ୍ଷ୍ୟରେ ଉଭୟ ଭାରତ ଓ ଇଂଲଣ୍ଡ Reviewed by SUBHENDU BARAL on March 27, 2021 Rating: 5

No comments:

Powered by Blogger.