ଓଡ଼ିଶାର ୨୦ ହଜାର ଛାତ୍ରଛାତ୍ରୀଙ୍କୁ ର‍୍ୟାଙ୍କ :‌ ଦେଶରେ ପାସ୍‌ହାର ୫୬.୪୪% ; ଓଡ଼ିଆରେ ପରୀକ୍ଷା ଦେବାକୁ ଅନାଗ୍ରହ Kanak News

କନକ ବ୍ୟୁରୋ : ଦେଶର ସମସ୍ତ ମେଡିକାଲ କଲେଜର ଏମ୍‌ବିବିଏସ୍‌ ଓ ୟୁଜି ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷା ଦେବା ଲାଗି ଚଳିତବର୍ଷ ୧୫ ଲକ୍ଷ ୯୭ ହଜାର ୪୩୫ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୩ ଲକ୍ଷ ୬୬ ହଜାର ୯୪୫ ଜଣ ପରୀକ୍ଷା ଦେଇଥିବା ବେଳେ ୭ଲକ୍ଷ ୭୧ ହଜାର ୫୦୦ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୫୬.୪୪% ହୋଇଛି। ଓଡ଼ିଶାର ଛାତ୍ର ସୋଏବ୍‌ ଅଫ୍‌ତାବ୍‌ ଟପର୍‌ ହୋଇଥିବା ବେଳେ ଦିଲ୍ଲୀର ଛାତ୍ରୀ ଆଙ୍କାକ୍ଷା ସିଂ ମଧ୍ୟ ୭୨୦ ମାର୍କ ରଖି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ୭୧୫ ମାର୍କ ରଖି ତୃତୀୟ ସ୍ଥାନରେ ତେଲେଙ୍ଗାନାର ଛାତ୍ରୀ ତୁମାଲା ସ୍ନିକ୍‌ତା, ୪ର୍ଥରେ ରାଜସ୍ଥାନର ଛାତ୍ର ଭିନିଥ୍‌ ଶର୍ମା, ୫ମ ସ୍ଥାନରେ ହରିଆଣାର ଛାତ୍ରୀ ଅମରିଶା ଖୈତାନ, ଷଷ୍ଠ ସ୍ଥାନରେ ଆନ୍ଧ୍ରପ୍ରଦେଶର ଛାତ୍ରୀ ଜି ସି ସିନ୍ଧୁ ରହିଛନ୍ତି। ଶ୍ରେଷ୍ଠ ୫୦ଜଣଙ୍କ ମଧ୍ୟରେ ୧୩ଜଣ ଛାତ୍ରୀ ରହିଛନ୍ତି।

ନିଟ୍‌ ପରୀକ୍ଷା ଲାଗି ଓଡ଼ିଶାରୁ ୩୮ ହଜାର ୪୯୪ ଜଣ ନାମ ପଞ୍ଜୀକରଣ କରିଥିବା ବେଳେ ୩୩ ହଜାର ୯୪୫ ଜଣ ପରୀକ୍ଷା ‌ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୦ ହଜାର ୬୫୪ ଜଣ ଯୋଗ୍ୟତା ହାସଲ କରିଛନ୍ତି। ‌ପାସ୍‌ ହାର ୬୦.୮୫% ରହିଛି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଓଡ଼ିଶା ୧୦ମ ସ୍ଥାନରେ ରହିଛି। ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ପଞ୍ଜାବ, ତେଲେଙ୍ଗାନା, ତାମିଲନାଡୁ, ଆନ୍ଦ୍ରପ୍ରଦେଶ, ବିହାର, ଛତିଶଗଡ଼, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ପରି ରାଜ୍ୟର ଛାତ୍ରଛାତ୍ରୀଙ୍କ ତୁଳନାରେ ଓଡ଼ିଶାର ଛାତ୍ରଛାତ୍ରୀ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଚଣ୍ଡିଗଡ଼ର ପାସ୍‌ହାର ସର୍ବାଧିକ ୭୫.୬୪% ହୋଇଛି। ଏମିତିକି ୨୦୧୯ରେ ଓଡ଼ିଶାର ପାସ୍‌ହାର ୫୯.୪୪% ଥିବା ବେଳେ ଏଥର ୧ପ୍ରତିଶତରୁ ଅଧିକ ବଢ଼ିଛି।

ଏଥର ପରୀକ୍ଷା ଦେବା ଲାଗି ୭ଲକ୍ଷ ୧୬ ହଜାର ୫୮୬ ଜଣ ଛାତ୍ର ପଞ୍ଜୀକରଣ କରିଥିବା ବେଳେ ୬ଲକ୍ଷ ୧୮ ହଜାର ୧୫ ଜଣ ପରୀକ୍ଷା ଦେଇଥିଲେ। ୩ ଲକ୍ଷ ୪୩ ହଜାର ୫୫୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ହାର ୫୫.୫୮% ରହିଛି। ସେହିପରି ୮ ଲକ୍ଷ ୮୦ ହଜାର ୮୪୩ ଜଣ ଛାତ୍ରୀ ପଞ୍ଜୀକରଣ କରିଥିଲେ। ୭ଲକ୍ଷ ୪୮ ହଜାର ୮୬୬ ଜଣ ପରୀକ୍ଷା ଦେଇଥିବା ବେଳେ ୪ଲକ୍ଷ ୨୭ ହଜାର ୯୪୩ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୫୭.୧୪% ହୋଇଛି। ୪ଜଣ କିନ୍ନର ପରୀକ୍ଷା ଦେଇଥିବା ବେଳେ ଜଣେ ପାସ୍‌ କରିଛନ୍ତି। ପରୀକ୍ଷା ଦେଇଥିବା ୪୯୨୨ଜଣ ଭିନ୍ନକ୍ଷମଙ୍କ ମଧ୍ୟରୁ ୨୧୩୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ପରୀକ୍ଷା ଫଳ ପ୍ରକାଶ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ‘ନିଶଙ୍କ’ ଟୁଇଟ୍‌ ଯୋଗେ ସୂଚନା ଦେଇଥିଲେ। ତେବେ ଏନ୍‌ଟିଏ ୱେବସାଇଟ୍‌ ଜାମ୍‌ ରହିଥିବାରୁ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ରାତି ୯ଟା ‌ପ‌ରେ ୱେବସାଇଟ୍‌ କାର୍ଯ୍ୟକ୍ଷମ ହେବା ପରେ ପରୀକ୍ଷାର୍ଥୀ ‘ntaneet.nic.in ଓ nta.ac.in’ ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିଥିଲେ।

ବଡ଼ କଥା ହେଉଛି ଯେ ଓଡ଼ିଆ ଭାଷା‌ରେ ନିଟ୍‌ ପରୀକ୍ଷା କରିବାକୁ ଦୁଇ ବର୍ଷ ତଳେ ଦୃଢ଼ ଦାବି ହୋଇଥିଲା। ଦିଲ୍ଲୀରୁ ଭୁବନେଶ୍ବର ପର୍ଯ୍ୟନ୍ତ ପ୍ରତିବାଦ, ବିରୋଧ ହେବା ପରେ କେନ୍ଦ୍ର ସରକାର ଓଡ଼ିଆ ଭାଷାରେ ନିଟ୍‌ ପ୍ରବେଶିକା ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଥିଲେ। ତେବେ ନିଜ ଭାଷାରେ ପରୀକ୍ଷା ଦେବା ଲାଗି ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରୁ ନଥିବା ଦେଖିବାକୁ ମିଳିଛି । ଚଳିତବର୍ଷ ମାତ୍ର ୮୨୨ଜଣ ଛାତ୍ରଛାତ୍ରୀ ଓଡ଼ିଆ ଭାଷାରେ ପରୀକ୍ଷା ଦେବା ଲାଗି ନାମ ପଞ୍ଜୀକରଣ କରିଥିଲେ। ଇଂରାଜୀରେ ସର୍ବାଧିକ ୧୨ଲକ୍ଷ ୬୩ ହଜାର ୨୭୩ ଜଣ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଥିବା ବେଳେ ହିନ୍ଦୀରେ ୨ ଲକ୍ଷ ୪ ହଜାର ୩୯୯, ଆସାମୀରେ ୫୩୨୮, ବଙ୍ଗଳାରେ ୩୬ ହଜାର ୫୯୩, ଗୁଜୁରାଟୀରେ ୫୯ ହଜାର ୫୫, କନ୍ନଡ଼ରେ ୧୦୦୫, ମରାଠୀରେ ୬୨୫୮, ତାମିଲରେ ୧୭ ହଜାର ୧୦୧, ତେଲୁଗୁରେ ୧୬୨୪, ଊର୍ଦ୍ଦୁରେ ୧୯୭୭ଜଣ ପରୀକ୍ଷା ଦେବା ଲାଗି ପଞ୍ଜୀକରଣ କରିଥିଲେ। କେବଳ ହିନ୍ଦୀ ଓ ଇଂରାଜୀରେ ୯୧.୮୮% ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲାଗି ପଞ୍ଜୀକରଣ କରିଥିଲେ।

କେନ୍ଦ୍ର ଶିକ୍ଷା‌ ମନ୍ତ୍ରୀ ରମେଶ ପୋଖରିଆଲ୍ ‘ନିଶଙ୍କ’ ଟୁଇଟ୍‌ କରି କହିଛନ୍ତି ଯେ କୋଭିଡ୍‌ ସମୟରେ ଏହା ସବୁଠାରୁ ବଡ଼ ପରୀକ୍ଷା ଥିଲା। ଦେଶରେ ଗୋଟିଏ ମେଡିକାଲ ପରୀକ୍ଷା ହୋଇଛି। ସରକାରୀ, ଘରୋଇ ମେଡିକାଲ କଲେଜରେ ନାମଲେଖା ପାଇଁ ପ୍ରଥମଥର ପାଇଁ ଗୋଟିଏ ପରୀକ୍ଷା ହୋଇଛି। ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀମାନଙ୍କୁ ଧନ୍ୟବାଦ ଦେଉଛି। ଦେଶର ଚିକିତ୍ସା କ୍ଷେତ୍ରରେ ଆପଣମା‌ନେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଆଶା ଓ ବିଶ୍ବାସ ରହିଛି। ଯେଉଁମାନେ ସଫଳ ହୋଇପାରି ନାହାନ୍ତି, ସେମାନେ ଭାଙ୍ଗି ନ ପଡ଼ିବାକୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ପୂର୍ବରୁ ଏମ୍‌ସ ଓ ଜିପମର୍‌ ଅଲଗା ପରୀକ୍ଷା କରୁଥି‌ଲେ। ତେବେ ଚଳିତବର୍ଷ ସାରା ଦେଶ ପାଇଁ ଗୋଟିଏ ମେଡିକାଲ ପ୍ରବେଶିକା ପରୀକ୍ଷା କରାଯାଇଛି। ଯୋଗ୍ୟତା ହାସଲ କରିଥିବା ଛାତ୍ରଛାତ୍ରୀ ୧ଲକ୍ଷ ୧୮ ହଜାର ୩୧୬ଟି ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ରେ ନାମ‌ ଲେଖାଇବେ। ସେଥିମଧ୍ୟରୁ ପ୍ରାୟ ୮୦ ହଜାର ଏମ୍‌ବିବିଏସ୍‌ ସିଟ୍‌ ରହିଛି। ସରକାରୀ ମେଡିକାଲ କଲେଜରେ ୪୧ହଜାର ୩୮୮ ସିଟ୍‌ ରହିଥିବା ବେଳେ ଏମ୍‌ସ ଓ ଜିପମର୍‌ରେ ୧୧୦୭ଟି ସିଟ୍‌ ରହିଥିବା ସୂଚନା ମିଳିଛି।



from Kanak News https://ift.tt/3nSIa22 https://ift.tt/2T49nAB
ଓଡ଼ିଶାର ୨୦ ହଜାର ଛାତ୍ରଛାତ୍ରୀଙ୍କୁ ର‍୍ୟାଙ୍କ :‌ ଦେଶରେ ପାସ୍‌ହାର ୫୬.୪୪% ; ଓଡ଼ିଆରେ ପରୀକ୍ଷା ଦେବାକୁ ଅନାଗ୍ରହ Kanak News ଓଡ଼ିଶାର ୨୦ ହଜାର ଛାତ୍ରଛାତ୍ରୀଙ୍କୁ ର‍୍ୟାଙ୍କ :‌ ଦେଶରେ ପାସ୍‌ହାର ୫୬.୪୪% ; ଓଡ଼ିଆରେ ପରୀକ୍ଷା ଦେବାକୁ ଅନାଗ୍ରହ Kanak News Reviewed by SUBHENDU BARAL on October 16, 2020 Rating: 5

No comments:

Powered by Blogger.