କନକ ବ୍ୟୁରୋ : ବାବୁ କାମକୁ ଡକେଇଛନ୍ତି । କାଲି ସନ୍ଧ୍ୟାରୁ ହାଓଡ଼ାରୁ ଆସିଲୁଣି । ପୁନେକୁ ଟ୍ରେନ୍ ଗଡ଼ିଲେ ଯିବୁ। ୬ମାସ ହେଲା ହାତକୁ ଟଙ୍କାଟେ ଆସିନି । ପାଖରେ ଏତେ ପଇସା ନାହିଁ ଯେ କେଉଁ ଲଜ୍ରେ ରହିଯିବୁ । ତେଣୁ ଏଇ ପ୍ଲାଟ୍ଫର୍ମରେ ଶୋଇ ପଡ଼ିଥିଲୁ। ଏଠି ଏତେ ଭିଡ଼ ଯେ କାହାଠୁ ଦୂରେଇ ଶୋଇବା ସମ୍ଭବ ନୁହେଁ । କରୋନାକୁ କାହାର ଡର ନାହିଁ, ହେଲେ କ’ଣ କରିବୁ ? କରୋନା ହେଲେ ହୁଏତ ବଞ୍ଚିଯିବାର ସମ୍ଭାବନା ଅଛି, କିନ୍ତୁ କାମ ନ ମିଳିଲେ ମରିଯିବୁ । ପୁନେରେ ମେଟ୍ରୋ କମ୍ପାନିରେ ବ୍ରିଜ୍ ନିର୍ମାଣ କାମରେ ଶ୍ରମିକ ଭାବେ କାମ କରୁଥିବା ହାଓଡ଼ାର ଅଜୟ ପାହାଡ଼ିଆ ମୁହଁର ଏହି ଦୟନୀୟ ଅଭିବ୍ୟକ୍ତି ସୂଚେଇ ଦେଉଥିଲା, ସେମାନେ କରୋନା ଓ ବେରୋଜଗାର ହେବା ପରେ କେତେ ଅସହାୟ ହୋଇପଡ଼ିଛନ୍ତି । କେବଳ ଅଜୟ ନୁହନ୍ତି, ତାଙ୍କ ଭଳି ହଜାର ହଜାର ଯୁବକ ବିନା କୌଣସି ସତର୍କତାରେ କାମ ଅନ୍ବେଷଣରେ ଟ୍ରେନ୍ ବାଟକୁ ଚାହିଁ ବସିଥିଲେ । ରାଜଧାନୀର ମୁଖ୍ୟ ରେଳ ଷ୍ଟେସନ୍ରେ ଟ୍ରେନ୍କୁ ଅପେକ୍ଷା କରି ପଡ଼ି ରହିଥିବା ଅଧିକାଂଶଙ୍କର ସେଇ ସମାନ ଦୁଃଖ । ସମସ୍ତଙ୍କର କାମ ଦରକାର । କରୋନା ମହାମାରୀ ଯେ କେବଳ ଲୋକଙ୍କୁ ଆକ୍ରାନ୍ତ ହେବାର ଡର ଦେଖେଇଛି, ତାହା ନୁହେଁ, ବରଂ ଅନେକଙ୍କ ଜୀବନଠୁ ଜୀବିକା ଛଡ଼େଇ ନେଇ ତାଙ୍କୁ ନିଃସହାୟ କରିଦେଇଛି ।
ବିଡ଼ମ୍ବନା ଏହି ଯେ ସାମାଜିକ ଦୂରତା ତ ଭିନ୍ନ କଥା, ଅଧିକାଂଶଙ୍କ ମୁହଁରେ ମାସ୍କ ନଥିଲା। ଯଦି କେହି କରୋନା ଆକ୍ରାନ୍ତ ଏମାନଙ୍କ ମଧ୍ୟରେ ଥିବେ, ତେବେ ସଂକ୍ରମଣକୁ ଟ୍ରେନ୍ରେ ନେଇ ପୁଣି ବାହାର ରାଜ୍ୟରେ ପହଞ୍ଚିବେ । କରୋନା ଯୋଗୁଁ ପ୍ଲାଟ୍ଫର୍ମ ଛାତ ତଳେ ଗୋଲେଇ ଆଙ୍କି ସାମାଜିକ ଦୂରତା ରଖିବା ପାଇଁ ସୂଚନା ଦିଆଯାଇଛି । ପ୍ରବେଶ ଅବରୋଧ ପାଇଁ ସାମ୍ନାରେ ବାଡ଼ ଦିଆଯାଇଛି । ତଥାପି ମହାମାରୀ ଦାଉଠୁ ଭୋକର ଦାଉ ବଳିଗଲାଣି । ତେଣୁ ଏସବୁକୁ ଭ୍ରୂକ୍ଷେପ ନକରି ଅନେକ ନିଜର କର୍ମସ୍ଥଳୀକୁ ଫେରିବା ପାଇଁ ପ୍ଲାଟ୍ଫର୍ମରେ ଅପେକ୍ଷା କରିଛନ୍ତି ।
from Kanak News https://ift.tt/3m0IMlm https://ift.tt/3bzEsVv
No comments: