ରାୟପୁର ୦୩।୦୮: ଭାଇଭଉଣୀଙ୍କର ପବିତ୍ର ଅନାବିଳ ସମ୍ପର୍କର ପର୍ବ ହେଉଛି ରକ୍ଷାବନ୍ଧନ । ଭାଇ ହାତରେ ରାକ୍ଷୀ ବାନ୍ଧି ଭଉଣୀ ତାର ସୁରକ୍ଷା ଲୋଡେ ଏବଂ ଭାଇ ମଧ୍ୟ ତାକୁ ପୂର୍ଣ୍ଣ ସୁରକ୍ଷା ଦେବାର କଥା ଦିଏ । ତେବେ ଏଭଳି ଏକ ପବିତ୍ର ଦିବସରେ ଭଉଣୀର କଥା ରଖି ଭାଇ ନକ୍ସଲ ସଙ୍ଗଠନ ଛାଡିବା ଘଟଣା ଭାଇଭଉଣୀର ସମ୍ପର୍କରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଛତିଶଗଡର ନକ୍ସଲ ଉପଦ୍ରୁତ ଦାନ୍ତେୱାଡାରେ ଦେଖିବାକୁ ମିଳିଛି ଏହି ଘଟଣା ।
ପ୍ରାୟ ୧୨ ବର୍ଷ ତଳର ଘଟଣା। ସେତେବେଳେ ମାତ୍ର ୧୦ ବର୍ଷ ବୟସର ହୋଇଥିବା ଦାନ୍ତେୱାଡା ଅଞ୍ଚଳର ଏକ ଅଖ୍ୟାତ ଗ୍ରାମର ମଲ୍ଲା ତମୋ ବିଜାପୁରର ଡୋଡି ତୁମନାର ଗ୍ରାମରେ ରହୁଥିବା ନିଜ କକାଙ୍କ ପାଖକୁ ବୁଲିବାକୁ ଯାଇଥିଲେ । କିନ୍ତୁ ସେହି ଦିନଠାରୁ ସେ ଆଉ ଘରକୁ ଫେରି ନଥିଲେ । କକା ତାଙ୍କୁ ନିଜ ସାଥୀରେ ସବୁଦିନ ପାଇଁ ନେଇଯାଇଥିଲେ । କକା ନକ୍ସଲ ସଙ୍ଗଠନର ଜଣେ ବଡ ନେତା ହୋଇଥିବାରୁ ସେ ପୁତୁରା (ମଲ୍ଲା)କୁ ନିଜ ପାଖରେ ରଖିଲେ । ଘଞ୍ଚ ଜଙ୍ଗଲ ଭିତରେ ରହି ମଲ୍ଲା ନକ୍ସଲଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଲେ । କକା ମଧ୍ୟ ନକ୍ସଲ ସଙ୍ଗଠନର ବିଚାରାଧାରା ଓ ଆଦର୍ଶକୁ ମଲ୍ଲାଙ୍କ ମୁଣ୍ଡରେ ଭର୍ତ୍ତି କରିଥିଲେ । ଜଙ୍ଗଲ ଭିତରେ ରହି ମଲ୍ଲା ଧିରେ ଧିରେ ବଡ ହେଲା ଏବଂ ଅସ୍ତ୍ରଶସ୍ତ୍ର ତାଲିମ୍ ନେଇ ଶେଷରେ ଜଣେ ଦୁର୍ଦ୍ଦାନ୍ତ ନକ୍ସଲରେ ପରିଣତ ହେଲା । ନକ୍ସଲ ସଙ୍ଗଠନର ପ୍ଲାଟୁନ ୧୩ରେ ସେ କାର୍ଯ୍ୟ କରୁଥିଲା । ପରବର୍ତ୍ତୀ ସମୟରେ ସେ ସେହି ପ୍ଲାଟୁନର ଡେପୁଟି କମାଣ୍ଡର ହୋଇଗଲା । ତେଣେ ଘରେ ରହିଯାଇଥିଲା ଭଉଣୀ ଲିଙ୍ଗେ। ଅବଶ୍ୟ ପ୍ରତିବର୍ଷ ରକ୍ଷାବନ୍ଧନରେ ମଲ୍ଲା ଘରକୁ ଆସିଥାନ୍ତି ଏବଂ ଭଉଣୀ ହାତରୁ ରାଖୀ ବାନ୍ଧିଥାନ୍ତି ।
କିନ୍ତୁ ଆଜି ଘରକୁ ଆସିଥିଲା ବେଳେ ଭଉଣୀ ସର୍ତ୍ତ ରଖିଥିଲେ । କହିଥିଲେ ରାଖୀ ସେତେବେଳେ ବାନ୍ଧିବି ଯଦି ତୁମେ ନକ୍ସଲ ସଙ୍ଗଠନ ଛାଡି ଆମ ସହିତ ଘରେ ରହିବ । ଭଉଣୀର ଏଭଳି କଥା ଶୁଣିବା ପରେ ଦ୍ୱନ୍ଦ୍ୱରେ ପଡିଯାଇଥିଲେ ମଲ୍ଲା। ତେଣୁ ଶେଷରେ ସେ ଭଉଣୀର କଥା ରଖିଲେ । ଲିଙ୍ଗେ ଫୋନ୍ରେ ଏସ୍ପି ଡକ୍ଟର ଅଭିଷେକ ପଲ୍ଲଭଙ୍କ ସହିତ କଥା ହୋଇ ଭାଇର ଆତ୍ମସମର୍ପଣ ବିଷୟରେ ଜଣାଇଥିଲେ । ଏସ୍ପିଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ଲିଙ୍ଗେ ଆଜି ପୂର୍ବାହ୍ନରେ ନିଜର ସ୍ୱାମୀ ଓ ଭାଇଙ୍କୁ ସାଥୀରେ ଧରି କରାଲି ପୁଲିସ ଲାଇନରେ ପହଞ୍ଚିଲେ । ସେଠାରେ ଏସ୍ପି ଡକ୍ଟର ପଲ୍ଲଭ ଓ ସିଆରପିଏଫ ଡିଆଇଜି ବିନୟ କୁମାର ସିଂହଙ୍କ ଉପସ୍ଥିତିରେ ମଲ୍ଲା ଆତ୍ମସମର୍ପଣ କରିଥିଲେ । ନିଜ ପ୍ରତିକ୍ରିୟରେ ଲିଙ୍ଗେ କହିଛନ୍ତି ରକ୍ଷାବନ୍ଧନରେ ଏହା ତା ପାଇଁ ଭାଇଙ୍କର ସବୁଠାରୁ ବଡ ଉପହାର । ସୂଚନାଯୋଗ୍ୟ ଯେ ମଲ୍ଲା ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।
from Prameya News7 https://ift.tt/2Pf52sC
No comments: