କରୋନାର ଭୟ ଭିତରେ ଆଶ୍ୱସ୍ତିକର ଖବର । ଅଗଷ୍ଟ ୧୦ ସୁଦ୍ଧା ଆସିବ ଋଷର କରୋନା ଟିକା : ସାର୍ବଜନୀନ ବ୍ୟବହାର ପାଇଁ ପ୍ରସ୍ତୁତ ମସ୍କୋ Kanak News
କନକ ବ୍ୟୁରୋ : କରୋନାର ଭୟ ଭିତରେ ରୁଷରୁ ଆସିଛି ଆଶ୍ୱସ୍ତିକର ଖବର । ବିଶ୍ୱର ପ୍ରଥମ କରୋନା ଟିକାକୁ ବଜାରକୁ ଆଣିବାକୁ ପ୍ରସ୍ତୁତି କରୁଛି ରୁଷ । ଅଗଷ୍ଟ ୧୦ ତାରିଖ ସୁଦ୍ଧା ଋଷ କୋଭିଡ ଭ୍ୟାକସିନର ସାର୍ବଜନୀନ ବ୍ୟବହାର କରାଇବ ବୋଲି ସୂଚନା ମିଳିଛି । ମସ୍କୋ ସ୍ଥିତ ଗମାଲେଇ ଇନଷ୍ଟିଚ୍ୟୁଟ ଅଫ ଏପିଡର୍ମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ଦ୍ୱାରା କରୋନା ଟିକା ପ୍ରସ୍ତୁତ କରାଯାଇଛି । ସେହି କରୋନା ଟିକାର ଲୋକାର୍ପଣ ଅଗଷ୍ଟ ୧୦ ତାରିଖ କିମ୍ବା ତା ପୂର୍ବରୁ କରାଯିବ ବୋଲି ସୂଚନା ମିଳିଛି । ପ୍ରଥମେ ଏହାକୁ ସମ୍ମୁଖ ଭାଗ ସ୍ୱାସ୍ଥ୍ୟକର୍ମୀମାନେ ବ୍ୟବହାର କରିବାକୁ ଯୋଜନା ହୋଇଥିବା ରୁଷର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଅନ୍ୟପଟେ କୌଣସି ଟିକାର ସାର୍ବଜନୀନ ବ୍ୟବହାର ପୂର୍ବରୁ ତାହାର ନିରପତା ଓ ଫଳପ୍ରଦତା ନେଇ ମାନବୀୟ ପରୀକ୍ଷଣ ନିହାତି ଜରୁରୀ ।
ଯାହା ଗମାଲେଇ ଇନଷ୍ଟିଚ୍ୟୁଟ କରିନଥିବା ଅଭିଯୋଗ ହୋଇଛି । ଫଳରେ ଋଷ ଟିକାର ସମ୍ଭାବ୍ୟ ସଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୋଭିଡ ଟିକା ବିକାଶରେ ବିଶ୍ୱର ଅଗ୍ରଣୀ ଥିବା ଆମେରିକାର ମଡର୍ଣ୍ଣା ଓ ଫାଇଜର କଂପାନୀ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଟିକାର ଦ୍ୱିତୀୟ ପର୍ଯ୍ୟାୟ ମାନବୀୟ ପରୀ କ୍ଷଣ ସାରି ତୃତୀୟ ପର୍ଯ୍ୟାୟ ଜାରି ରଖିଛନ୍ତି । ସେହିପରି ଅକ୍ସଫୋର୍ଡ ଟିକାର ମଧ୍ୟ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଛି । ହେଲେ ଗମାଲେଇ ପ୍ରତିଷ୍ଠାନ କୋଭିଡ ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ କରିନଥିବା ଆଲୋଚନା ହେଉଛି । ବିଶ୍ୱର ପ୍ରାୟ ୧ କୋଟି ୭୦ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୫ଲକ୍ଷ ୬୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । କରୋନା ମହାମାରୀକୁ ନେଇ ବିଶ୍ୱରେ ଆତଙ୍କ ଖେଳିଯାଇଥିବା ବେଳେ ଋଷ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ କୋଭିଡ ଭ୍ୟାକସିନର ସାର୍ବଜନୀନ ବ୍ୟବହାର କରାଇବ ବୋଲି ସୂଚନା ମିଳିଛି ।
from Kanak News https://ift.tt/332YbdU https://ift.tt/3gbvhfr
No comments: