ସିଓଲ: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ ଉନ୍ଙ୍କୁ ନେଇ ସୃଷ୍ଟି ହୋଇଥିବା ଅନେକ ଦ୍ୱନ୍ଦ୍ୱ ଓ ସସ୍ପେନ୍ସରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଗତ ମାସରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଯେଉଁ ସବୁ ଚର୍ଚ୍ଚା ହେଉଥିଲା ତା’ର ଅବସାନ ଘଟାଇ ଶେଷରେ କିମ୍ ସର୍ବ ସମ୍ମୁଖକୁ ଆସିଛନ୍ତି।
ନିକଟରେ ଏକ ସାର କାରଖାନାର ଉଦ୍ଘାଟନୀ ଉତ୍ସବରେ ସେ ରିବନ୍ କାଟିବା ନେଇ କୋରିଆନ୍ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି(KCNA) ଶନିବାର ସୂଚନା ଦେଇଛି।
ସୂଚନା ଅନୁସାରେ, ଶୁକ୍ରବାର ଦିନ ରାଜଧାନୀ ପ୍ୟୋଙ୍ଗୟାଙ୍ଗ ନିକଟ ସନ୍ଚୋନ୍ ସ୍ଥିତ ଏକ ସାର କାରଖାନାର ଉଦ୍ଘାଟନୀ ଉତ୍ସବରେ କିମ୍ ଯୋଗ ଦେଇ ରିବନ୍ କାଟୁଥିବା ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଫଳରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଯେଉଁସବୁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।
ଏହା ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ, କିମ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଅଛି। ଏପରିକି ତାଙ୍କର ମୃତ୍ୟୁ ଘଟିଥିବା ନେଇ ମଧ୍ୟ ଗୁଜବ ଖବର ପ୍ରଚାର ହୋଇଥିଲା। ଶେଷରେ ତିନି ସପ୍ତାହ ପରେ ଅର୍ଥାତ୍ ୨୧ ଦିନ ପରେ ସେ ସର୍ବ ସମ୍ମୁଖକୁ ଆସିଛନ୍ତି।
ଚଳିତ ବର୍ଷ ଏପ୍ରିଲ ୧୫ ତାରିଖରେ କିମ୍ ଜୋଙ୍ଗ, ଜେଜେବାପା ତଥା ଉତ୍ତର କୋରିଆର ପ୍ରତିଷ୍ଠାତା କିମ-୨ ସୁଙ୍ଗଙ୍କ ଜନ୍ମଦିନ ଭୋଜିରେ ଯୋଗଦେଇ ନ ଥିଲେ। ପ୍ରତିବର୍ଷ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ହେଲେ ଚଳିତ ବର୍ଷ ସେ ଯୋଗ ନ ଦେବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ନଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା।
ଏପ୍ରିଲ ୧୧ରେ କିମ୍ଙ୍କ ଅଧ୍ୟକ୍ଷତାରେ ଏକ ମିଟିଂ ହୋଇଥିଲା ବୋଲି ଉତ୍ତର କୋରିଆର ଗଣମାଧ୍ୟମ ଶେଷଥର ପାଇଁ ରିପୋର୍ଟ କରିଥିଲା।
from OTV Khabar. https://ift.tt/2KTzs1q
No comments: