ଖାକିରେ ଦାଗ ! ଥାନା ଅଧିକାରୀ କହି ବଟି ଆଦାୟ କରୁଥିଲେ ହୋମ୍‌ ଗାର୍ଡ, ଧରାପଡ଼ିଲେ OTV KHABAR BUREAU

ମାଲକାନଗିରି(ଜିତେନ୍ଦ୍ର ବେଉରା): ପୁଣି ଖାକିରେ ଦାଗ ! ନିଜକୁ ଥାନା ଅଧିକାରୀର ପରିଚୟ ଦେଇ ବଟି ଆଦାୟ କରୁଥିବା ଅଭିଯୋଗରେ ଜଣେ ହୋମଗାର୍ଡ ଓ ତାଙ୍କର ୨ ଜଣ ସହଯୋଗୀଙ୍କୁ ମାଲକାନଗିରି ପୁଲିସ୍‌ ଗିରଫ କରିଛି।

ସେମାନେ ହେଲେ ସୁଜନ ମଜୁମଦାର, ଜଗନ୍ନାଥ ମଣ୍ଡଳ ଓ ବିଦୁ ସାହା। ସୁଜନଙ୍କ ଘର ମାଲକାନଗିରି ଥାନା ଅନ୍ତର୍ଗତ ପିଟାକାଟା ଗାଁରେ, ଜଗନ୍ନାଥଙ୍କ ଘର ମାରିବେଡା ଗ୍ରାମରେ, ବିଦୁଙ୍କ ଘର ଏମ.ଭି-୨୩ ଗାଁରେ।  ବିଦୁ ମାଲକାନଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିଲେ।

ସୂଚନା ଅନୁସାରେ, ବିଦୁ ଓ ତାଙ୍କର ଦୁଇ ସହଯୋଗୀ ନିଜକୁ ଥାନା ଅଧିକାରୀ ବୋଲି ପରିଚୟ ଦେଇ ଡିସେମ୍ବର ୮ ତାରିଖରେ କତାପାଲ୍ଲୀ ଗାଁର ଆନନ୍ଦ ପାଙ୍ଗି ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ଯାଇଥିଲେ। ଆନନ୍ଦ ଗଞ୍ଜେଇ ଚାଷ ଏବଂ ଗଞ୍ଜେଇ ବେପାର କରୁଥିବାରୁ ଗିରଫ କରିବାର ଧମକ ଦେଇଥିଲେ ଏହି ୩ ଜଣ। ଯଦି ସେ ୧ ଲକ୍ଷ ୧୦ ହଜାର ଟଙ୍କା ଦିଅନ୍ତି ତେବେ ମାମଲାର ସମାଧାନ କରିଦେବେ ବୋଲି ସେମାନେ ଆନନ୍ଦଙ୍କୁ କହିଥିଲେ। ଏହା ଶୁଣି ଆନନ୍ଦ ସେମାନଙ୍କୁ ସେହି ଦିନ ୧୦ ହଜାର ଟଙ୍କା ଦେଇଥିଲେ। ଆଉ ବାକି ୧ ଲକ୍ଷ ଟଙ୍କା ଡିସେମ୍ବର ୨୫ ତାରିଖରେ ଦେବେ ବୋଲି କହିଥିଲେ।

ଏହାପରେ ଏହି ୩ ଜଣ ପୁଣି ଥରେ ୨୫ ତାରିଖରେ ଲକ୍ଷେ ଟଙ୍କା ମାଗିବାକୁ ଯାଇଥିଲେ। ତେବେ ସେମାନଙ୍କ ଉପରେ ଗାଁ ଲୋକଙ୍କ ସନ୍ଦେହ ହେବାରୁ ଏକତ୍ରିତ ହୋଇ ସେମାନଙ୍କୁ ପଚରାଉଚରା କରିଥିଲେ। ଏହା ଦେଖି ସେମାନେ ସେଠାରୁ ପଳାଇ ଯାଇଥିଲେ।

ତେବେ ସେମାନେ ଯାଇଥିବା ଏକ ବୋଲେରୋ ଗାଡି ନମ୍ବରକୁ ନୋଟ୍‌ କରି ଗାଁ ଲୋକେ ଥାନାରେ ଏତଲା ଦେଇଥିଲେ। ଏହାପରେ ଓର୍କେଲ୍‌ ପୁଲିସ୍‌ ସେମାନଙ୍କୁ ଗତକାଲି ଗିରଫ କରିଥିଲା। ଏଥିସହ ସେମାନଙ୍କୁ ନାଁରେ ପୁଲିସ୍‌ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।



from OTV Khabar. https://ift.tt/39kzGcX
ଖାକିରେ ଦାଗ ! ଥାନା ଅଧିକାରୀ କହି ବଟି ଆଦାୟ କରୁଥିଲେ ହୋମ୍‌ ଗାର୍ଡ, ଧରାପଡ଼ିଲେ OTV KHABAR BUREAU ଖାକିରେ ଦାଗ ! ଥାନା ଅଧିକାରୀ କହି ବଟି ଆଦାୟ କରୁଥିଲେ ହୋମ୍‌ ଗାର୍ଡ, ଧରାପଡ଼ିଲେ OTV KHABAR BUREAU Reviewed by SUBHENDU BARAL on December 27, 2019 Rating: 5

No comments:

Powered by Blogger.