ଭୁବନେଶ୍ବର ୨୭।୧୨: ନୂଆବର୍ଷକୁ ଭିଜାଇବ ବର୍ଷା । ସକାଳେ ପାଗ କୋହଲା ରହିବ। ଅପରାହ୍ନ ବେଳକୁ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ପଶ୍ଚିମ ଓଡ଼ିଶାରେ ଠାଏ ଠାଏ କୁଆପଥର ପଡ଼ିବାର ବି ଆଶଙ୍କା ରହିଛି । ଦକ୍ଷିଣ ଓଡ଼ିଶା ଉପରେ ବର୍ଷାର ପ୍ରଭାବ ଅଧିକ ରହିବ ଏବଂ ରାଜ୍ୟର ବାକି ଅଞ୍ଚଳରେ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ହେବ । ଏଭଳି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଆଜି ଉତ୍ତର ଓଡ଼ିଶାର ଅଧିକାଂଶ ସହର ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ଆସନ୍ତାକାଲି ତାରିଖ ପୂର୍ବାହ୍ନ ସୁଦ୍ଧା ଗଞ୍ଜାମ, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୨୮ ତାରିଖ ରାତିଠାରୁ ପାଗରେ ପରିବର୍ତ୍ତନ ଆସିବ । ଅଧିକାଂଶ ସ୍ଥାନରେ ପାରଦ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିବ । ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ । ଥଣ୍ଡା ସହ କୁହୁଡ଼ି ବି ପଡ଼ିବ । ଆଜି ଓ ଆସନ୍ତାକାଲି ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, କନ୍ଧମାଳ, କଳାହାଣ୍ଡି, ପୁରୀ, ମୟୂରଭଞ୍ଜ ଆଦି ଜିଲ୍ଲାରେ ଘନ କୁହୁଡ଼ି ହେବ। ତାହାକୁ ଦୃଷ୍ଟିରେ ରଖି ଉକ୍ତ ଜିଲ୍ଲାଗୁଡ଼ିକରେ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେପଟେ ଅଦିନିଆ ବର୍ଷାକୁ ନେଇ ଏବେ ଚିନ୍ତାରେ ଚାଷୀ । ବିଲ ଏବଂ ଖଳାରେ ଧାନ ପଡିଥିବା ବେଳେ ବର୍ଷା ଚାଷୀଙ୍କ ହାଲକ ସୁଖାଇଛି । ରାଜ୍ୟର କିଛି ସ୍ଥାନରେ ଝିପଝିପ ବର୍ଷା ହୋଇଥିବା ବେଳେ ପାଚିଲା ଧାନ ଭିଜିଗଲାଣି । ଭଦ୍ରକ, ବାଲେଶ୍ବର, ଜଗତସିଂହପୁର, କଳାହାଣ୍ଡିରେ ମଣ୍ଡିରୁ ଧାନ ନଉଠିବାରୁ ଚାଷୀଙ୍କୁ ଆଉ ନିଦ ନାହିଁ ।
from Prameya News7 https://ift.tt/2MwwyAF
No comments: