ବିଧାନସଭାର ଏପାଖ ସେପାଖ: ଦେବୀଙ୍କ ପ୍ରଶ୍ନ, ପୂଜାରୀଙ୍କ ଉତ୍ତର…ତାରାଙ୍କୁ ବାଚସ୍ପତିଙ୍କ ଆକଟ…ପୋଡିୟମ୍ ଉପରକୁ ଚଢ଼ନି, ଗୋଡ଼ହାତ ଭାଙ୍ଗିଯିବ Kanak News

କନକ ବ୍ୟୁରୋ: ଜଗତସିଂହପୁରରେ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାକୁ ନେଇ ଗତକାଲି ବିଧାନସଭାରେ ଦେଖିବାକୁ ମିଳିଥିଲା ପ୍ରବଳ ହଟ୍ଟୋଗଳ । ଘଟଣାରେ ସରକାର ଉତର ରଖିବା ଦାବିରେ ଅଡି ବସିଥିଲେ ବିରୋଧୀ । ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ । ଫଳରେ ଗୃହ ବାରମ୍ବାର ମୁଲତବୀ ହୋଇଥିଲା । ତେବେ ଅପରାହ୍ନରେ ବିରୋଧୀଙ୍କ ଦାବି ଗ୍ରହଣ କରିଥିଲେ ବାଚସ୍ପତି । ଏବଂ ଗୃହରେ ଉତର ରଖିବାକୁ ଦେଇଥିଲେ ରୁଲିଂ ।

ତାରା ବାଗ୍ମୀ, ଶୃଙ୍ଖଳିତ

ବିଧାନସଭାରେ କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତିଙ୍କୁ ଗତକାଲି ମନଖୋଲା ପ୍ରଶଂସା କରିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ। ପ୍ରଶ୍ନକାଳରେ କୋରାପୁଟରେ ଡାକ୍ତର ପଦବି ଖାଲି ଥିବା ନେଇ ପ୍ରଶ୍ନୋତ୍ତର ଚାଲିଥିଲା। କୋରାପୁଟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଥିବା ସମସ୍ୟାକୁ ତାରା କହିଥିଲେ। ଅବଶ୍ୟ ସବୁଦିନ ପରି ଆଜି ଚଢ଼ା ଗଳାରେ ତାରା ପ୍ରଶ୍ନ କରୁ ନ ଥିଲେ। ଅତ୍ୟନ୍ତ ନରମ ଗଳାରେ ବୁଝାଇ ସୁଝାଇ ପ୍ରଶ୍ନ କରୁଥିଲେ। ତେଣୁ ସ୍ବାସ୍ଥ୍ୟ ମନ୍ତ୍ରୀ ବି ତାରାଙ୍କୁ ଟେକି ଦେଇଥିଲେ। କହିଥିଲେ, ‘ଜୟପୁର ବିଧାୟକ ଜଣେ ଗୁଣୀ, ବାଗ୍ମୀ ଓ ଶୃଙ୍ଖଳିତ ସଦସ୍ୟ।’ ମନ୍ତ୍ରୀ ଏତିକି କହିଲା ପରେ ଗୃହରେ ସମସ୍ତେ ହସିଥିଲେ। ନିଜେ ତାରା ବି ହସ ରୋକି ପାରି ନ ଥିଲେ। ପରେ ଯେତେବେଳେ ତାରା ଗୃହ ମଧ୍ୟ ଭାଗକୁ ଆସି ହୋହଲ୍ଲା କଲେ, ସେତେବେଳେ ବାଚସ୍ପତି କହିଲେ, ମିଷ୍ଟର୍ ଡିସିପ୍ଲିନ୍ ମେମ୍ବର୍। ନିଜ ଆସନକୁ ଯାଇ ବସ।

ପୁଣି ଦିବ୍ୟଶଙ୍କରଙ୍କୁ ବାଚସ୍ପତିଙ୍କ ତାଗିଦ୍

ପ୍ରଶ୍ନକାଳ ପରେ ଗତକାଲି ବି ଗୃହରେ ଅସ୍ବାଭାବିକ ସ୍ଥିତି ଦେଖିବାକୁ ମିଳିଥିଲା। ବିଧାୟକମାନେ ନିଜ ନିଜ ଆସନରୁ ଉଠି ଏଣେତେଣେ ଗପୁଥିଲେ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସେହି ସମୟରେ ଠିଆ ହୋଇ ବିଧାୟକ କିଶୋର ମହାନ୍ତିଙ୍କ ସହ ଗପୁଥିଲେ। ବାଚସ୍ପତି ସମସ୍ତଙ୍କୁ ବସିବା ପାଇଁ ତାଗିଦ୍ କରିଥିଲେ। କିନ୍ତୁ ଶ୍ରୀ ମିଶ୍ର ଶୁଣି ପାରି ନ ଥିଲେ। ବାଚସ୍ପତି ବଡ଼ ପାଟିରେ କହିଲେ, ମନ୍ତ୍ରୀ ମହୋଦୟ, ଆପଣ ନିଜ ସିଟ୍କୁ ଯାଇ ବସନ୍ତୁ ନଚେତ ବାହାରକୁ ଯାଆନ୍ତୁ। ଏହା ପରେ ଶ୍ରୀ ମିଶ୍ର ସଙ୍ଗେ ସଙ୍ଗେ ବାହାରକୁ ପଳାଇଥିଲେ। ଗତ ସପ୍ତାହରେ ମଧ୍ୟ ଶ୍ରୀ ମିଶ୍ରଙ୍କୁ ବାଚସ୍ପତି ଏମିତି ତାଗିଦ୍ କରିଥିଲେ।

୫-ଟି ପଠାନ୍ତୁ, ସବୁ ସମାଧାନ ହେବ

ପ୍ରଶ୍ନକାଳରେ ତାରା ବାହିନୀପତି ୫-ଟି ସଚିବଙ୍କୁ ଢେର୍ ପ୍ରଂଶସା କରିଥିଲେ। ସେ କୋରାପୁଟ ମେଡିକାଲ ବୁଲିଲା ପରେ ସେଠାରେ ବହୁ ଉନ୍ନତି ହୋଇଛି ବୋଲି କହିଥିଲେ। ଯଦିଓ ତାରା ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ, ତେବେ ଅଧିକ ଶ୍ରେୟ ଦେଇଥିଲେ ୫-ଟି ସଚିବଙ୍କୁ। କହିଥିଲେ ପୁନର୍ବାର ୫-ଟିଙ୍କୁ ସେଠାକୁ ପଠାନ୍ତୁ। ମୁଁ ସ୍ବାଗତ କରିବି। ସେ ଗଲେ ବହୁ କାମ ହୋଇଯିବ। ଖାଲି ପଡ଼ିଥିବା ଡାକ୍ତର ପଦବି ତୁରନ୍ତ ପୂରଣ ହୋଇପାରିବ।

ଦେବୀଙ୍କ ପ୍ରଶ୍ନ, ପୂଜାରୀଙ୍କ ଉତ୍ତର

ପ୍ରଶ୍ନକାଳରେ ଅର୍ଥ ବିଭାଗ ସଂକ୍ରାନ୍ତୀୟ ପ୍ରଶ୍ନୋତ୍ତର ଚାଲିଥିଲା। ବରିଷ୍ଠ ସଭ୍ୟ ଦେବୀ ପ୍ରସାଦ ମିଶ୍ର ରାଜ୍ୟର ଆର୍ଥିକ ସ୍ଥିତି ନେଇ ଏକାଧିକ ପ୍ରଶ୍ନ କରିଥିଲେ। ଉତ୍ତରରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଲେ, ବିଧାୟକ ତାଙ୍କ ପ୍ରଶ୍ନରେ ପୂରା ଅର୍ଥ ବିଭାଗକୁ କଭର୍ କରିଛନ୍ତି। ସେ ଜଣେ ଅନୁଭବୀ ବିଧାୟକ। ସେଥି ପାଇଁ ଏମିତି ପ୍ରଶ୍ନ କରିପାରିଛନ୍ତି। ଏତିକି କହି ଶ୍ରୀ ପୂଜାରୀ ପ୍ରଶ୍ନର ଉତ୍ତର ଦେଇଥିଲେ।

ବିଜୁ ସଡ଼କ ଯୋଜନା

ପ୍ରଶ୍ନକାଳରେ ପ୍ରଥମ ପ୍ରଶ୍ନ ଥିଲା କୁସୁମ ଟେଟେଙ୍କର। ସେ ବିଜୁ ସଡ଼କ ଯୋଜନା ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ, ଏମିତି କିଛି ଯୋଜନା ସରକାରଙ୍କର ନାହିଁ। କିନ୍ତୁ ଶ୍ରୀମତୀ ଟେଟେ ପୁଣି ବିଜୁ ସଡ଼କ ଯୋଜନାରେ ହୋଇଥିବା ରାସ୍ତା ଖରାପ ହୋଇଥିବା ଅଭିଯୋଗ କରିଥିଲେ। କିନ୍ତୁ ମନ୍ତ୍ରୀ ତାଙ୍କ ଉତ୍ତର ଦୋହରାଇଥିଲେ ଯେ ଏମିତି ଯୋଜନା ହିଁ ଆମର ନାହିଁ। କିନ୍ତୁ ବିଧାୟିକା ଯୁକ୍ତି ବାଢ଼ିଥିଲେ, ବିଜୁ ସଡ଼କ େଯାଜନାର ଫଳକ ଲାଗିଥିବାର ମୁଁ ଦେଖିଛି। ଶେଷରେ ମନ୍ତ୍ରୀ କହିଥିଲେ, ଏହା ବିଜୁ ଏକ୍ସପ୍ରେସ୍ ୱେ ହୋଇଥିବ। ତେବେ ଶେଷ ପର୍ୟ୍ୟନ୍ତ ରାସ୍ତାଟି କେଉଁ ଯୋଜନାରେ ହୋଇଥିଲା, ତାହା ସ୍ପଷ୍ଟ ହୋଇ ନ ଥିଲା।

ଚଢ଼ନି, ଗୋଡ଼ହାତ ଭାଙ୍ଗିଯିବ

ଗତକାଲି ଅପରାହ୍ନରେ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗରେ ହୋହଲ୍ଲା କରୁଥିଲେ। ତାରା ବାହିନୀପତି ଚେୟାର ଉପରେ ଠିଆ ହୋଇ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିବାକୁ ଉଦ୍ୟମ କରୁଥିଲେ। ବାଚସ୍ପତି କହିଲେ, ପୋଡିୟମ୍ ଉପରକୁ ଚଢ଼ନି। ଗୋଡ଼ହାତ ଭାଙ୍ଗିଯିବ। ତୁମ ସ୍ତ୍ରୀ ମୋତେ ଦୋଷ ଦେବେ।



from Kanak News https://ift.tt/2XKCT01 https://ift.tt/35mGbJ9
ବିଧାନସଭାର ଏପାଖ ସେପାଖ: ଦେବୀଙ୍କ ପ୍ରଶ୍ନ, ପୂଜାରୀଙ୍କ ଉତ୍ତର…ତାରାଙ୍କୁ ବାଚସ୍ପତିଙ୍କ ଆକଟ…ପୋଡିୟମ୍ ଉପରକୁ ଚଢ଼ନି, ଗୋଡ଼ହାତ ଭାଙ୍ଗିଯିବ Kanak News ବିଧାନସଭାର ଏପାଖ ସେପାଖ: ଦେବୀଙ୍କ ପ୍ରଶ୍ନ, ପୂଜାରୀଙ୍କ ଉତ୍ତର…ତାରାଙ୍କୁ ବାଚସ୍ପତିଙ୍କ ଆକଟ…ପୋଡିୟମ୍ ଉପରକୁ ଚଢ଼ନି, ଗୋଡ଼ହାତ ଭାଙ୍ଗିଯିବ Kanak News Reviewed by SUBHENDU BARAL on November 25, 2019 Rating: 5

No comments:

Powered by Blogger.