ସୁନା-ଚାନ୍ଦିରେ ଚକମକ ସିଲଭର ସିଟି : ୨୭ ଚାନ୍ଦି ମେଢ଼ ସହ ୧୦ଟି ମଣ୍ଡପରେ ହୋଇଛି ସୁନାର ବ୍ୟବହାର; ୭୫ କୋଟି ଟଙ୍କାର ସୁନା ଚାନ୍ଦିରେ ଝଲସୁଛି କଟକ ସହର Kanak News
କନକ ବ୍ୟୁରୋ: ୧୬୭ ପୂଜା ମଣ୍ଡପ। ସେଥିରୁ ୨୭ଟି ମଣ୍ଡପରେ ସଂପୂର୍ଣ୍ଣ ଚାନ୍ଦି ମେଢ। ୧୦ଟି ମଣ୍ଡପରେ ସୁନାର ବ୍ୟବହାର। ଆଉ ୫୦ରୁ ଅଧିକ ମଣ୍ଡପରେ ଚାନ୍ଦିର ଅଳଙ୍କାର। ଏଭଳି ହିସାବରେ ୭୫ କୋଟି ଟଙ୍କାର ସୁନା ଚାନ୍ଦିରେ ଚଳିତ ବର୍ଷ ଚକମକ ହେଉଛି କଟକ ଦଶହରା। ଦଶହରା ସୁନା ଚାନ୍ଦିର ଚମକରେ ଏଥର ଯୋଡି ହୋଇଛନ୍ତି ୩ଟି ନୂଆ ମେଢ। ଛତ୍ରବଜାର ପୂଜା କମିଟି, ବିଡ଼ାନାସୀ ଦୁର୍ଗା ପୂଜା କମିଟି ଓ ଗଙ୍ଗା ମନ୍ଦିର ପୂଜା କମିଟି ଚଳିତ ଦଶହରାରେ ନୂଆ ଚାନ୍ଦି ମେଢରେ ପୂଜା କରୁଛନ୍ତି। ଚଳିତ ବର୍ଷର ୩ ନୂଆ ଚାନ୍ଦି ମେଢରେ ବ୍ୟବହୃତ ଚାନ୍ଦିର ପରିମାଣ ହିସାବକୁ ନେଲେ କଟକ ଦଶହରାରେ ବ୍ୟବହାର ହୋଇଛି ୬୧ କିଲୋରୁ ଅଧିକ ସୁନା ଓ ୯୬ କ୍ବିଣ୍ଟାଲରୁ ଅଧିକ ଚାନ୍ଦି। ବର୍ତ୍ତମାନର ବଜାର ଦର ଅନୁଯାୟୀ ହିସାବ କଲେ ସୁନା ଓ ଚାନ୍ଦିର ମୂଲ୍ୟ ପ୍ରାୟ ୭୫ କୋଟି ଟଙ୍କା ପାଖାପାଖି ହେବ ବୋଲି ଆକଳନ କରାଯାଉଛି।
• ଚଳିତ ବର୍ଷ ଛତ୍ରବଜାର ପୂଜା କମିଟି ୨ କ୍ବିଣ୍ଟାଲ ୫୦ କିଲୋ ଓଜନର ଚାନ୍ଦି ମେଢ ପ୍ରସ୍ତୁତ କରିଥିବା ବେଳେ ବିଡ଼ାନାସୀ ଦୁର୍ଗା ପୂଜା କମିଟି ୧ କ୍ବିଣ୍ଟାଲ ୯୦ କିଲୋ ଏବଂ ଗଙ୍ଗା ମନ୍ଦିର ପୂଜା କମିଟି ୧ କ୍ବିଣ୍ଟାଲ ୯୨ କିଲୋ ଓଜନର ଚାନ୍ଦି ମେଢ ପ୍ରସ୍ତୁତ କରିଛି। ଏଥର ଅବଶ୍ୟ କୌଣସି ମେଢରେ ନୂଆ ସୁନା ବ୍ୟବହାର ହୋଇନାହିଁ।
• ଗତବର୍ଷ ଖାନନଗର-ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ୩ କିଲୋରୁ ଅଧିକ ଓଜନର ସୁନା ମୁକୁଟ ଦେବୀଙ୍କ ମସ୍ତକରେ ବ୍ୟବହାର କରିଥିଲା। ଚୌଧୁରୀ ବଜାର ପୂଜା କମିଟି ମେଢରେ ୨ କିଲୋ ଓଜନର ୨ଟି ସୁନା କଲିକା ଖଞ୍ଜା ଯାଇଥିଲା। ଚୌଧୁରୀ ବଜାର ମେଢରେ ମୋଟ ୭ଟି ସୁନା କଲିକା ଶୋଭା ପାଉଛି। ଚୌଧୁରୀବଜାର, ଶେଖ୍ବଜାର, ମଙ୍ଗଳାବାଗ, ରାଣୀହାଟ, ଚାଉଳିଆଗଞ୍ଜ, କାଠଗଡାସାହି, ହରିପୁର-ଦୋଳମୁଣ୍ତାଇ, କଲେଜ ଛକ, ପୀଠାପୁର କାଳୀୟ ଦଳନ ପୂଜା କମିଟି ଓ ଖାନନଗର ମେଢରେ ସୁନା ଝଲସୁଛି। ଆହୁରି ଅବଶ୍ୟ ଅନେକ ମେଢରେ ଦେବୀଙ୍କର ଛୋଟ ଅଳଙ୍କାର ସୁନାରେ ତିଆରି ହୋଇଛି।
• ୧୯୯୦ ମସିହାରେ ଚୌଧୁରୀ ବଜାର ପଞ୍ଚାୟତ କମିଟି ପ୍ରଥମେ ଦୁର୍ଗାଙ୍କ ପାଇଁ ୪ କିଲୋ ଓଜନର ସୁନା ମୁକୁଟ ତିଆରି କରିଥିଲା। ପରେ ମେଢ଼ ପାଇଁ ୫ କିଲୋ ସୁନାରେ ୫ଟି କଲିକା, ୪ କିଲୋ ସୁନାରେ ମେଢ ପାଇଁ ଓଁ, ପାର୍ଶ୍ବ ଦେବାଦେବୀଙ୍କ ମୁକୁଟ ଓ ଅଳଙ୍କାର ତିଆରି ହେଲା। ଗତ ବର୍ଷ ମେଢରେ ଅଧିକ ୨ଟି ସୁନା କଲିକା ଲଗା ଯାଇଥିଲା। କେବଳ ଚୌଧୁରୀବଜାର ମଣ୍ତପରେ ପାଖାପାଖି ୨୫ କିଲୋ ସୁନା ବ୍ୟବହାର ହୋଇଛି।
• କଟକ ଚଣ୍ତୀରୋଡ ଶେଖବଜାର ପୂଜା କମିଟି ୨୦୦୫ରେ ୬ କିଲୋ ସୁନାରେ ଦୁର୍ଗାଙ୍କ ସମେତ ପାର୍ଶ୍ବ ଦେବାଦେବୀଙ୍କ ମୁକୁଟ ତିଆରି କରିଥିଲା। ମୁକୁଟ ପରେ ୧ କିଲୋ ସୁନାରେ ଦୁର୍ଗାଙ୍କ ଅଳଙ୍କାର ମଧ୍ୟ ତିଆରି କରିଥିଲା। ଦେଢ଼ କିଲୋ ସୁନାରେ ଏକ ମୟୂର ଚନ୍ଦ୍ରିକା ମଧ୍ୟ ମେଢରେ ଲାଗିଛି।
• ଚାଉଳିଆଗଞ୍ଜ ପୂଜା କମିଟି ୨୦୦୮ରେ ୩ କିଲୋ ୩ ଶହ ଗ୍ରାମ ସୁନାରେ ଦୁର୍ଗାଙ୍କ ମୁକୁଟ ତିଆରି କରିଥିଲା। ଏହା ସହ ୧କିଲୋ ସୁନାରେ ଦୁର୍ଗାଙ୍କ ଚିକ, ହାର ଓ କାନଫୁଲ ମଧ୍ୟ ତିଆରି କରିଛି।
• ମଙ୍ଗଳାବାଗ ପୂଜା କମିଟି ୨୦୧୦ରେ ୬ କିଲୋର ସୁନା ମୁକୁଟ ତିଆରି କରି ପରବର୍ତ୍ତି ସମୟରେ ଦେଢ଼ କିଲୋ ସୁନାରେ ମା’ଙ୍କ ଚମ୍ପାହାର ଓ ମୟୂର ତିଆରି କରିଥିଲା।
• ରାଣୀହାଟ ପୂଜା କମିଟି ୨୦୧୪ ମସିହାରେ ଦୁର୍ଗାଙ୍କ ପାଇଁ ୪କିଲୋ ୮ଶହ ଗ୍ରାମର ସୁନା ମୁକୁଟ ତିଆରି କରିବା ସହ ପରେ ପାର୍ଶ୍ବ ଦେବାଦେବୀଙ୍କ ପାଇଁ ୧କିଲୋ ସୁନାରେ ମୁକୁଟ ତିଆରି କରିଛି। ୨୦୧୫ରେ ମା’ଙ୍କ ମୁକୁଟ ପାଇଁ ୮ଶହ ଗ୍ରାମର ସୁନାରେ ଦୁଇଟି ମାଛ ତିଆରି କରିଛି।
• କାଠଗଡାସାହି ପୂଜା କମିଟି ୨୦୧୫ ମସିହାରେ ୩ କିଲୋ ସୁନାରେ ଦୁର୍ଗାଙ୍କ ପାଇଁ ମୁକୁଟ ନିର୍ମାଣ କରିଛି। ହରିପୁର-ଦୋଳମୁଣ୍ତାଇ ପୂଜା କମିଟି ୧ କିଲୋ ଓଜନର ସୁନା ଗହଣା ତିଆରି କରିଥିବା ବେଳେ ୪ଶହ ଗ୍ରାମର ସୁନା ମୟୂର ମେଢରେ ଲଗାଇଛି। ପୀଠାପୁର କାଳୀୟ ଦଳନ ମେଢରେ ସୁନା ବଂଶୀ ରହିଛି। ସହରର ଅନେକ ପୂଜା କମିଟି ଦୁର୍ଗାଙ୍କ ସମେତ ପାର୍ଶ୍ବଦେବାଦେବୀଙ୍କ ପାଇଁ ସୁନାର ହାର, କାନର, ନୋଥ ଆଦି ତିଆରି କରିଛନ୍ତି।
• କଲେଜ ଛକ ପୂଜା କମିଟି ପାଖାପାଖି ୧ କିଲୋ ଓଜନର ସୁନା ମୟୂର ତିଆରି କରିଛି। ଏହିଭଳି ହିସାବରେ ବିଭିନ୍ନ ମେଢରେ ୬୧ କିଲୋରୁ ଅଧିକ ସୁନା ବ୍ୟବହାର ହୋଇଥିବା ବେଳେ ଏହାର ମୂଲ୍ୟ ପାଖାପାଖି ୨୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି।
from Kanak News https://ift.tt/2VfuRe4 https://ift.tt/2oYZXuk
No comments: