କନକ ବ୍ୟୁରୋ : ବର୍ଷା କଚାଡିଲା, ବଡଦାଣ୍ଡ ବୁଡିଲା । ଲଘୁଚାପଜନିତ ବର୍ଷାରେ ବେହାଲ ହୋଇଛି ବଡଦାଣ୍ଡ । ଯେଉଁ ଆଡେ ଦେଖିବ ଖାଲି ପାଣି ହିଁ ପାଣି । ପରିସ୍ଥିତି ଏପରି ହେଲା ଯେ, ଲୋକମାନେ ଯିବା ଆସିବା କରିବା ମଧ୍ୟ ସମ୍ଭବ ହେଲା ନାହିଁ । ପାଖାପାଖି ୫ ଫୁଟ ପାଣି ଜମିଲା ଜଗା ଦାଣ୍ଡରେ । ବର୍ଷା ବଢିବା ସାଙ୍ଗେ ପାଣିର ପରିମାଣ ମଧ୍ୟ ବଢିବାରେ ଲାଗିଥିଲା । ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିବା ଡ୍ରେନ ଜାମ ହୋଇଯିବା ପରେ ସ୍ଥିତି ସଂଗୀନ ହୋଇଯାଇଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ, ରାସ୍ତା କଡରେ ଥିବା ଦୋକାନ ଘରେ ମଧ୍ୟ ପାଣି ପଶିବାକୁ ଲାଗିଥିଲା ।
ତେବେ ରଥଯାତ୍ରା ସମୟରେ କୋଟି କୋଟି ଟଙ୍କା ବ୍ୟୟରେ ନାଳ ସଫେଇ, ସ୍ଲାବ ଆଦି ନାଁରେ ଅଜସ୍ର ଟଙ୍କା ଖର୍ଚ୍ଚ କରାଯାଇଥିଲା । ହେଲେ ପ୍ରକୃତରେ କାମ କିପରି ହୋଇଛି ତାହାର ବାସ୍ତବ ଚିତ୍ର ସମସ୍ତେ ଦୃଷ୍ଟି ଗୋଚର କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ପ୍ରବଳ ବର୍ଷା ବଡ଼ଦାଣ୍ଡ ସହ ପୁରୀ ସହରର ବିଭିନ୍ନ ଗଳିକନ୍ଦିକୁ ଉବୁଟୁବୁ କରିଥିଲା। କେଉଁଠି ଆଣ୍ଠୁଏ ଉଚ୍ଚରେ ତ କେଉଁଠି ଅଣ୍ଟାଏ ଉଚ୍ଚରେ ପାଣି ଜମିଥିଲା। ଫଳରେ ଶ୍ରୀମନ୍ଦିରଠାରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ବନ୍ୟା ପରିସ୍ଥିତି ଉପୁଜିଛି। ସବୁଠୁ ଦୟନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା ମେଡିକାଲ୍ ଛକ, ବଳଗଣ୍ଡି ଛକ, ମାଉସୀ ମା’ ଛକରେ।
ଏଠାରେ ନଳାପାଣି ବଡ଼ଦାଣ୍ଡ ରାସ୍ତାକଡ଼ ଡ୍ରେନ୍ ଟପି ଦୋକାନ ଘରେ ସବୁ ପଶିଥିବା ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ବଡ଼ଦାଣ୍ଡରେ ଚାଲିଚାଲି ଅବା ଗାଡ଼ିମୋଟର ଧରି ଯାଉଥିବା ଲୋକେ କଲବଲ ହୋଇଥିଲେ। ସେହିପରି ମେଡିକାଲ୍ ଛକ ସଂଲଗ୍ନ ଭିଆଇପି ରୋଡ୍, ପ୍ରଭାତ ଲେନ୍ ସହ ଅନ୍ୟାନ୍ୟ ଗଳିକନ୍ଦିରେ ଅଣ୍ଟେ ଉଚ୍ଚରେ ପାଣି ଜମି ରହିଥିଲା। ତେବେ ବାରମ୍ବାର ଏପରି ସ୍ଥିତି ଉପୁଜୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଗୋଟିଏ ପଟେ ପୁରୀର ସୌନ୍ଦର୍ଯ୍ୟ ଲାଗି ପାଣି ପରି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଖୋଦ ବଡଦାଣ୍ଡର ସ୍ଥିତି ସଙ୍ଗୀନ ରହିଛି ।
from Kanak News https://ift.tt/32nAcm0 https://ift.tt/2HFGXaL
ବର୍ଷାରେ ଉବୁଟୁବୁ ବଡଦାଣ୍ଡ । ଅଣ୍ଟାଏ ପାଣିରେ ପଶି ଜଗାଦର୍ଶନ କଲେ ଭକ୍ତ Kanak News
Reviewed by SUBHENDU BARAL
on
September 03, 2019
Rating:
No comments: