୫ ଦିନ ଆଗରୁ ସରିଲା ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ । ସର୍ବସମ୍ମତି କ୍ରମେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଗୃହ ମୁଲତବୀ Kanak News

କନକ ବ୍ୟୁରୋ: ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଗତକାଲି ଶେଷ ହୋଇଛି। ଜୁନ୍ ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଅଗଷ୍ଟ ୮ ତାରିଖ ଯାଏ ଚାଲିବାର ଥିଲା। ତେବେ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ନ ଥିବାରୁ ୫ ଦିନ ଆଗରୁ ଏହାକୁ ବନ୍ଦ କରିଦିଆଯାଇଛି। ଏହି ଅଧିବେଶନରେ ମୋଟ୍ ୨୫ଟି କାର୍ଯ୍ୟଦିବସ ରହିଥିଲା।
ଅଧିବେଶନକୁ ଗତକାଲି ଶେଷ କରିବା ପାଇଁ ଶାସକ ଦଳ ସଭ୍ୟ ପ୍ରତାପ କେଶରୀ ଦେବ ପ୍ରସ୍ତାବ ଆଣିଥିଲେ। ବରିଷ୍ଠ ସଭ୍ୟ ପ୍ରଫୁଲ୍ଲ ସାମଲ ଏହାକୁ ସମର୍ଥନ କରିଥିଲେ। ଅଧିବେଶନର ଅବଧିକୁ ଆଜି ଶେଷ କରିବା ପାଇଁ ଆବଶ୍ୟକତା ଅନୁଭବ କରି ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଥିଲେ। ଏହା ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଉପନେତା ବିଷ୍ଣୁ ଚରଣ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଆସନ ପାଖକୁ ଯାଇ କରମର୍ଦ୍ଦନ କରିଥିଲେ।
ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲା ପରେ ଏହା ଥିଲା ପ୍ରଥମ ବିଧାନସଭା ଅଧିବେଶନ। ଗୃହରେ ପ୍ରଥମ ଥର ପାଇଁ ବିଜେପି ମୁଖ୍ୟ ବିରୋଧୀ ଦଳ ଆସନ ନେଇଥିଲା। ପ୍ରଦୀପ୍ତ ନାୟକ ବିରୋଧୀ ଦଳ ନେତା ଭାବେ ମନୋନୀତ ହୋଇଥିଲେ। ନୂଆ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅଧିବେଶନ ପରିଚାଳିତ ହୋଇଥିଲା।
ଅଧିବେଶନର ପ୍ରଥମ ଦିନ ଅର୍ଥାତ ୨୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୭ ତାରିଖରେ ଉପବାଚସ୍ପତି ନିର୍ବାଚନ ହୋଇ ରଜନୀକାନ୍ତ ସିଂହଙ୍କୁ ସର୍ବସମ୍ମତିକ୍ରମେ ଉପବାଚସ୍ପତି ଭାବେ ନିର୍ବାଚିତ କରାଯାଇଥିଲା। ୨୮ ତାରିଖରେ ନୂଆ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ଗତ ଫେବ୍ରୁ୍ଆରି ମାସରେ ତତକାଳୀନ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା ୨୦୧୯-୨୦ ଆର୍ଥିକ ବର୍ଷର କାମଚଳା ବଜେଟ୍ ଉପସ୍ଥାପନ କରିଥିଲେ, ଯେଉଁଥିରେ କି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବ୍ୟୟବରାଦ କରାଯାଇଥିଲା। ସାଧାରଣ ନିର୍ବାଚନ ଥିବାରୁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହୋଇପାରି ନ ଥିଲା।
ଜୁଲାଇ ୩ରୁ ୧୧ ତାରିଖ ଯାଏ ବିଧାନସଭା ବନ୍ଦ ରହିଥିଲା। ୧୨ ତାରିଖରେ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ଏହି ଅଧିବେଶନରେ ୫ ଜଣ ପୂର୍ବତନ ମନ୍ତ୍ରୀ/ସଦସ୍ୟ ଏବଂ ସାମରିକ କର୍ମଚାରୀ/ପୁଲିସ୍ କର୍ମଚାରୀଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ୨୦୦୪ ତାରକା ଚିହ୍ନିତ ପ୍ରଶ୍ନ ଓ ୨୪୧୬ ଅଣତାରକା ଚିହ୍ନିତ ପ୍ରଶ୍ନ ଉପରେ ନୋଟିସ୍ ଗ୍ରହଣ କରାଯାଇଥିଲା। ୧୨ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ୧୯ଟି ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇଥିଲା। ଜୁଲାଇ ୩୧ରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହୋଇଥିଲା ବେଳେ ୨ ତାରିଖରେ ସ୍ବତନ୍ତ୍ର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍-୨୦୧୯ ପାରିତ ହୋଇଥିଲା।
from Kanak News https://ift.tt/2ZqypeV https://ift.tt/2Kh7Rrw

No comments: