“କାହାର କ’ଣ ଖାଦ୍ୟ। କୁହାଯାଏ, ତୃଣାଦି ପଶୁଙ୍କର ଖାଦ୍ୟ। ଆଶା ମନୁଷ୍ୟର ଓ ଶ୍ରଦ୍ଧା ଦେବତାଙ୍କର ଖାଦ୍ୟ।”
ଡକ୍ଟର ସିଦ୍ଧେଶ୍ୱର ମହାପାତ୍ରଙ୍କ ଲିଖିତ ‘ନୀଳ ପାହାଡ଼ର ଡାକ’ ପୁସ୍ତକର ‘ଶ୍ରଦ୍ଧାବିଶ୍ୱାସର କ୍ଷେତ୍ର’ ଅଧ୍ୟାୟର ଶେଷ ପାରାର ପ୍ରଥମ ଦୁଇ ଧାଡ଼ିରେ ଏହା ଲେଖା ହୋଇଛି।
‘ଶ୍ରଦ୍ଧାବିଶ୍ୱାର କ୍ଷେତ୍ର’ ଅଧ୍ୟାୟରେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତି ଭକ୍ତଙ୍କ ଶ୍ରଦ୍ଧା ବିଷୟରେ ଲେଖକ ଅନେକ ସୁନ୍ଦର ସୁନ୍ଦର ଉଦାହରଣ ଦେଇଛନ୍ତି। ଆଉ ସେଥିରେ ସ୍ଥାନିତ ହୋଇଛି, ଚପଳା ବସ୍ ଓ ମହମ୍ମଦ ସିକନ୍ଦର ଆଲାମଙ୍କ କଥା।
ହଁ, ଆପଣମାନେ ଯାହା ଭାବୁଛନ୍ତି, ଠିକ୍ ସେୟା। ଲେଖକ ବିଶିଷ୍ଟ ଗାୟକ ସ୍ୱର୍ଗତ ସିକନ୍ଦର ଆଲାମଙ୍କ କଥା ହିଁ ଲେଖିଛନ୍ତି, ଯାହାଙ୍କୁ ଆଧୁନିକ ଓଡ଼ିଶାର ସାଲବେଗ ବୋଲି କୁହାଯାଏ। ଫିଲ୍ମରେ ବିଭିନ୍ନ ପ୍ରକାରର ଗୀତ ଗାଇଥିବା ସିକନ୍ଦର ଅନେକ ସୁନ୍ଦରର ଭଜନ ବି ଗାଇଛନ୍ତି। ଏମିତିକି ପ୍ରଥମ ଫିଲ୍ମ ‘ଲକ୍ଷ୍ମୀ’ରେ ସେ ଜଗନ୍ନାଥଙ୍କୁ ପ୍ରଣତି କରି ଏକ ସୁନ୍ଦର ଗୀତ- ‘ଆରତ ସୁର ବାରେ କରେ ମିନତୀରେ…’ ଗାଇଥିଲେ। ‘ତୋ ଚକାଡୋଳାକୁ ଚାହିଁ ରହିଥିବି, ମୋ ଆଖିରୁ ଲୁହ ସରିବା ଯାଏ…’, ‘ପତିତପାବନ ବାନା ଆଉ କେତେ ବେଳକୁ…’ ଓ ‘ନୀଳାଚଳେ ବସି କରୁଅଛ ଲୀଳା, ଦାରୁ ଦେହେ ଉଭା ପ୍ରଭୁ ଷୋଳକଳା…’ ଭଳି ଭଜନ ଗାଇଛନ୍ତି ସିକନ୍ଦର, ଯାହା ଭକ୍ତର ହୃଦୟକୁ ଭେଦି ଯାଇଛି। ସେ ଯେ କେବଳ ଗାଇ ପାରୁଥିଲେ ବୋଲି ଭଜନ ଗାଉଥିଲେ, ତାହା ନୁହେଁ। ଯେ ତାଙ୍କ ଭଜନ ଶୁଣିଛି, ସେ ନିଶ୍ଚୟ ଅନୁଭବ କରିଥିବେ କେତେ ଭାବ ଓ ଶ୍ରଦ୍ଧାରେ ସିକନ୍ଦର ଆଲାମ ଏସବୁ ଗୀତଗୁଡ଼ିକୁ ଗାଇଥିଲେ। ତେବେ ତାଙ୍କର ଏକ ଶ୍ରଦ୍ଧା ସଂପର୍କରେ ଲେଖକ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର ଏକ ସୁନ୍ଦର କଥା ଲେଖିଛନ୍ତି। ହୁଏତ ଆପଣମାନେ ଏ ବିଷୟରେ ଜାଣି ନଥିବେ।
ସେ ଲେଖିଛନ୍ତି- “ସେଦିନ ଝଙ୍କଡ଼ରେ ମା’ ସାରଳାଙ୍କ ଉଦ୍ଦେଶ୍ୟରେ ନିବେଦିତ ଭଜନ କାର୍ଯ୍ୟକ୍ରମ ଶେଷ ହେଲା। କଳାକାରମାନଙ୍କୁ ପ୍ରସାଦ ସେବନ ପାଇଁ ମନ୍ଦିର ଭିତରକୁ ନିଆଗଲା। ରହିଗଲେ ବିଶିଷ୍ଟ ଗାୟକ ମହମ୍ମଦ ସିକନ୍ଦର ଆଲାମ୍। କେତେ ସମୟ ପରେ ଜଣେ ଆସି କହିଲେ ତାଙ୍କ ପାଇଁ ହୋଟେଲ୍ରେ ବ୍ୟବସ୍ଥା ହୋଇଛି। ସିକନ୍ଦର ଆଲାମ୍ କହିଲେ- ତମର ଧାରଣା ନାହିଁ, ମୁଁ ଜଗନ୍ନାଥଙ୍କ ଭଜନ ଗାଇବାକୁ ଗଲେ ମନ୍ଦିରରେ ପ୍ରସାଦ, ଯଦି ପ୍ରସାଦ ନ ହୋଇଥାଏ, ତେବେ ଅରୁଆ ଅନ୍ନ, ଡାଲମା ଖାଇ ଶାନ୍ତିରେ ଫେରେ। ଏ ହେଉଛି ମୋର ସଂସ୍କୃତି। ଏ ମୋର ଭକ୍ତି ଓ ବିଶ୍ୱାସ। ସିକନ୍ଦର ଆଲାମଙ୍କ ପତ୍ନୀ ନଇମା ଓ ପୁତ୍ରୀ ନାଜିଆ କହିଛନ୍ତି ଯେ, ତାଙ୍କ ଘରର ଯିଏ ପୁରୀ ଯାଆନ୍ତି ମହାପ୍ରସାଦ ନେଇ ଘରକୁ ଫେରନ୍ତି। ଯେତେ ରାତି ହେଉ, ସମସ୍ତେ ବସି କଦଳୀପତ୍ରରେ ମହାପ୍ରସାଦ ବାଢ଼ି ପରମ ତୃପ୍ତିରେ ଖାଆନ୍ତି। (ସୌଜନ୍ୟ: ଅନ୍ତର୍ଯାମୀ ଜଗନ୍ନାଥ)”
ଏହା ପରେ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର ଯାହା ଲେଖିଛନ୍ତି, ତାହା ବହୁତ ସୁନ୍ଦର ଓ ହୃଦୟସ୍ପର୍ଶୀ। ସେ ଲେଖିଛନ୍ତି, ସୁଖାଦ୍ୟ ଭାବରେ ଆଲାମ୍ଙ୍କ ପରିବାର ମହାପ୍ରସାଦ ଖାଇବାରେ କିଛି ବିଚିତ୍ରତା ନାହିଁ। ଏଭଳି ଦୃଷ୍ଟାନ୍ତ ରହିଛି। ମାତ୍ର କଦଳୀପତ୍ରରେ ବାଢ଼ି ଖାଇବା ଭିତରେ ଫୁଟି ଉଠିଛି ଶ୍ରଦ୍ଧା ଓ ସମ୍ମାନ।
ସେହିଭଳି ମହାପ୍ରଭୁଙ୍କ ପ୍ରତି ଓଡ଼ିଶାର ପୁରପଲ୍ଲୀରେ ଭକ୍ତଙ୍କର ଥିବା ଶ୍ରଦ୍ଧା ବିଷୟରେ ଲେଖିବାକୁ ଯାଇ ସେ ‘ଚପଳା ବସ୍’ର ଉଦାହରଣ ଦେଇଛନ୍ତି।
ଲେଖକ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର
ଚପଳା କଥା ପଢ଼ିଲା ପରେ ସତରେ ଅନୁଭବ ହେଉଛି, ଏହା ମହାପ୍ରଭୁଙ୍କ ପ୍ରତି ଶ୍ରଦ୍ଧା ନୁହେଁ ତ ଆଉ କ’ଣ? ବସ୍ଟିକୁ ଲୋକେ ଆଦର, ସମ୍ମାନ ଓ ଯତ୍ନ କରିବା ମୁଳରେ ରହିଥିଲେ ସେହି ଜଗତର ନାଥ ଜଗନ୍ନାଥ।
ମହାପ୍ରଭୁଙ୍କ ପ୍ରତି ଏ ଶ୍ରଦ୍ଧା ଆମ ରାଜ୍ୟ କି ଦେଶ ଭିତରେ ସୀମିତ ହୋଇ ରହିନାହିଁ। ସେଥିପାଇଁ ତ ସାତ ଦରିଆ ପାର ହୋଇ ଲୋକେ ଚାଲି ଆସନ୍ତି ପୁରୀ।
from OTV Khabar. https://ift.tt/2xu9WsY
No comments: