ଭୁବନେଶ୍ୱର: ସାଧାରଣ ନିର୍ବାଚନରେ ବିଜେଡିର ୩ ଛାମୁଆ ସଂଗଠନ (ମହିଳା,ଯୁବ ଓ ଛାତ୍ର)ର ମୁଖିଆଙ୍କ ଦୁର୍ବଳ ସାଂଗଠନିକ କାର୍ଯ୍ୟକ୍ରମ ଓ ନୈରାଶ୍ୟଜନକ ପ୍ରଦର୍ଶନ ଏବେ ସେମାନଙ୍କ ପାଇଁ ସମସ୍ୟା ପାଲଟିଛି। ଦଳର ଏହି ୩ ଛାମୁଆ ସଂଗଠନରେ ବଢ଼ି ଚାଲିଥିବା ଗୋଷ୍ଠୀ କନ୍ଦଳ ଓ ଛକାପଞ୍ଝା ଯୋଗୁ ବିଜେଡି ନେତୃତ୍ୱ ଖୁବଶୀଘ୍ର ଦଳର ୩ ଛାମୁଆ ସଂଗଠନର ମୁଖିଆଙ୍କୁ ପରିବର୍ତ୍ତନ କରିବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି।
ନିକଟରେ ବିଜେଡି ମହିଳା ସାମ୍ମୁଖ୍ୟର ସଭାନେତ୍ରୀ ମିନତୀ ବେହେରା ନିଜର ୬ଜଣ ସହଯୋଗୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ମହିଳା ସଂଗଠନରେ ଗୋଷ୍ଠୀ କନ୍ଦଳ ତୀବ୍ରତର ହୋଇଛି। ଏପରିକି ଦଳର ୨୦ବର୍ଷର ମହିଳା ସଂଗଠନକୁ କିଛି କୁଚକ୍ରୀଙ୍କ ପରାମର୍ଶରେ ଭାଗଭାଗ କରାଯାଉଥିବା କିଛି ନେତ୍ରୀ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ , ବିଜେଡି ସଭାନେତ୍ରୀ ଶ୍ରୀମତୀ ବେହେରାଙ୍କ ନେତୃତ୍ୱରେ ଦଳର ମହିଳା ସଂଗଠନର ୬ଜଣ ପଦାଧିକାରୀ ଗତ ୪ଦିନ ତଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଭେଟି ମହିଳା ବିଜେଡି ପକ୍ଷରୁ ‘ଫୋନି’ ସହାୟତା ରାଶି ପ୍ରଦାନ କରିଥିଲେ। ତେବେ ଏହି ପ୍ରତିନିଧି ଦଳରେ ସାମିଲ ହୋଇନଥିବାରୁ କିଛି ପଦାଧିକାରୀ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ବେହେରାଙ୍କ ‘ମନମୁଖୀ’ କାର୍ଯ୍ୟ ଉପରେ ଆପତ୍ତି ଉଠାଇଛନ୍ତି। ଦଳର ଉପସଭାନେତ୍ରୀ ସଂଯୁକ୍ତା ମହଲା ସିଧାସଳଖ ଶ୍ରୀମତୀ ବେହେରାଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହ ୨୦ବର୍ଷର ମହିଳା ସଂଗଠନକୁ କିଛି କୁଚକ୍ରୀଙ୍କ କଥାରେ ଭାଗଭାଗ କରାଯାଉଥିବା ଅଭିଯୋଗ କରିଛନ୍ତି। ଏପରିକି ମହିଳା ସଂଗଠନର ଦୁଇଜଣ ପ୍ରମୁଖ ପଦାଧିକାରୀ ମଧ୍ୟ ‘ଫୋନି’ ସହାୟତା ପାଇଁ ଟଙ୍କାଟିଏ ସହଯୋଗ ଦେଇପାରିବେ ନାହିିଁ ବୋଲି ରୋକଠୋକ୍ କହିଥିବା ଜଣାପଡ଼ିଛି।
ରାଜ୍ୟ ମହିଳା ବିଜେଡି କର୍ମକର୍ତ୍ତାଙ୍କୁ ନେଇ ଗଠିତ ହ୍ୱାଟସ୍ ଆପ୍ ଗ୍ରୁପରେ ସଭାନେତ୍ରୀଙ୍କ ମନମୁଖୀ କାର୍ଯ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସଙ୍ଗେସଙ୍ଗେ ବାକ୍ଯୁଦ୍ଧ ଆରମ୍ଭ ହୋଇଯାଇଛି।
ମହିଳା ସଂଗଠନରେ ଖୋଲାଖୋଲି ଭାବେ ଏଭଳି ବିଶୃଙ୍ଖଳାର ସୂଚନା ବିଜେଡି ନେତୃତ୍ୱ ପାଇବାପରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସାଧାରଣ ନିର୍ବାଚନ ସମୟରେ ୪-୫ଜଣ ରାଜ୍ୟସ୍ତରୀୟ ମହିଳା ପଦାଧିକାରୀଙ୍କୁ ଛାଡ଼ିଦେଲେ ଅନ୍ୟମାନେ ସାଂଗଠନିକ କାର୍ଯ୍ୟରେ ବିଶେଷ ଆଗ୍ରହ ଦେଖାଇ ନଥିଲେ। ଯାହାକି ବିଜେଡି ନେତୃତ୍ୱଙ୍କୁ କ୍ଷୁବ୍ଧ କରିଥିଲା। ଏସବୁକୁ ଦୃଷ୍ଟିରେ ରଖି ଦଳର ମହିଳା ସଂଗଠନକୁ ପୁର୍ନଗଠନ କରି ନୂଆ ସଭାନେତ୍ରୀ ଓ ପଦାଧିକାରୀ ନିଯୁକ୍ତି କରିବା ପାଇଁ ବିଜେଡି ନେତୃତ୍ୱ ଏବେ ଗୁରୁତ୍ୱର ସହ ବିଚାର କରୁଥିବା ଜଣାପଡ଼ିଛି। ଜୁନ୍ ମାସ ଶେଷ ଭାଗରେ ଦଳର ମହିଳା ସଂଗଠନର ପୁର୍ନଗଠନ ହେବାର ସମ୍ଭାବନା ରହିଛି ।
ସେହିପରି ଦଳର ଯୁବ ସଂଗଠନର ମୁଖ୍ୟ ଭାବେ ଅମ୍ରେଶ ପତ୍ରୀ କାର୍ଯ୍ୟ କରୁଥିଲେ ମଧ୍ୟ ସଂଗଠନ ଉପରେ ତାଙ୍କର କର୍ତ୍ତୃତ୍ୱ ନ ରହିବା ଓ ନିର୍ବାଚନବେଳେ ଯୁବ ଶାଖାର ପଦାଧିକାରୀଙ୍କ ମଧ୍ୟରେ ଗୋଷ୍ଠୀକନ୍ଦଳ ତୀବ୍ର ରୂପ ନେବା ତାଙ୍କ ପାଇଁ ସମସ୍ୟା ହୋଇଛି। ଦଳର ଯୁବ ସଭାପତି ପଦରୁ ଶ୍ରୀ ପତ୍ରୀଙ୍କୁ ହଟାଇବାକୁ ବିଜେଡି ନେତୃତ୍ୱ ନିଷ୍ପତ୍ତି ନେଇଛନ୍ତି। ତେବେ ଯୁବ ସଭାପତି ପଦ ହାସଲ ପାଇଁ ଆଶାବାନ୍ଧି ବସିଥିବା ଚାନ୍ଦବାଲି ବିଧାୟକ ତଥା ଛାତ୍ର ସଂଗଠନର ପୂର୍ବତନ ସଭାପତି ବ୍ୟୋମକେଶ ରାୟ ଏବେ ଭଦ୍ରକ ମଦମୃତ୍ୟୁକୁ ନେଇ ବିବାଦୀୟ ଥିବାରୁ ତାଙ୍କ ପରିବର୍ତ୍ତେ ଦଳ ଜଣେ ସ୍ୱଚ୍ଛ-ନିର୍ମଳ ଭାବମୂର୍ତ୍ତି ଓ ସାଂଗଠନିକ ଦକ୍ଷତା ଥିବା ଚେହେରାକୁ ଆଗକୁ ଆଣିବାକୁ ଯୋଜନା କରିଛି। ଅନ୍ୟତମ ଦାବିଦାର ଚିନ୍ମୟ ସାହୁ ମଧ୍ୟ ଦଳରେ ଗୋଷ୍ଠୀବାଦକୁ ପ୍ରୋତ୍ସାହିତ କରୁଥିବାରୁ ତାଙ୍କୁ ଏହି ଦୌଡ଼ରୁ ଦୂରେଇ ରଖାଯାଇଥିବା ଜଣାପଡ଼ିଛି।
ସେହିପରି ଦଳର ଛାତ୍ର ସଂଗଠନର ମୁଖିଆ ରାଣା ପ୍ରତାପ ପାତ୍ର ଚଳିତ ସାଧାରଣ ନର୍ବାଚନରେ ଦଳୀୟ ଟିକେଟ୍ ପାଇଁ ଲବି କରି ବିଫଳ ହୋଇଥିଲେ। ଦଳୀୟ ଟିକେଟ୍ ନମିଳିବାରୁ ରାଣା ଅସନ୍ତୁଷ୍ଟ ହୋଇ ନିର୍ବାଚନ ସମୟରେ ଦଳର ଛାତ୍ର ସଂଗଠନକୁ ରାଜ୍ୟବ୍ୟାପୀ ଯେଭଳି କ୍ରିୟାଶୀଳ କରାଇବା କଥା, ତାହା କରିନଥିବା ଅଭିଯୋଗ ରହିଛି। ରାଣାଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ ବିଜେଡି ନେତୃତ୍ୱ ମଧ୍ୟ କ୍ଷୁବ୍ଧ ଅଛନ୍ତି। ତେଣୁ ଛାତ୍ର ସଂଗଠନର ପଦାଧିକାରୀ ଥିବା ଦୁଇଜଣ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଓ ସୌଭିକ ବିଶ୍ୱାଳଙ୍କ ମଧ୍ୟରୁ ଜଣଙ୍କୁ ଛାତ୍ର ସଂଗଠନର ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।
from OTV Khabar http://bit.ly/2WLOmhQ
No comments: