କନକ ବ୍ୟୁରୋ : ଦିନ ଗଡ଼ୁଛି । ହେଲେ ମୌସୁମୀର ଦେଖା ନାହିଁ । ପ୍ରଥମେ ଜୁନ୍ ୪ରେ ମୌସୁମୀ କେରଳ ଛୁଇଁବ ବୋଲି ଆକଳନ କରାଯାଇଥିଲା । ଏହାପରେ ଜୁନ୍ ୬ ବୋଲି କହିଥିଲା ଭାରତୀୟ ପାଣିପାଗ ବିଭାଗ । ଏପରିକି ୪୮ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ କେରଳରେ ସକ୍ରିୟ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା । ଗତକାଲି ମଧ୍ୟ ବିଭାଗ ସମାନ ଆକଳନ କରିଛି ।
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ କେରଳ ଛୁଇଁବ । ଅର୍ଥାତ୍ ଜୁନ୍ ୮ରେ ଦକ୍ଷିଣ ପଶ୍ଚିମ ମୌସୁମୀ ଭାରତ ଭୂଖଣ୍ଡରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି । ଆହୁରି କୁହାଯାଇଛି ଯେ ୨ରୁ ୩ ଦିନ ମଧ୍ୟରେ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମୌସୁମୀ ସକ୍ରିୟ ହେବ । ସେଠାରେ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି । ଏଥିସହ କେରଳ ଓ ଏହାର ନିକଟବର୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି । ଏହାର ପ୍ରଭାବରେ ମୌସୁମୀ ଅଧିକ ସକ୍ରିୟ ହେବା ସହ ବର୍ଷା ହେବ ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷା ହୋଇଥିବାରୁ ଆଜି ବହୁ ସ୍ଥାନରେ ତାପମାତ୍ରା କମିଛି । ଗତକାଲି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ଆଜି କେବଳ ୪ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ଥିଲା । ଆଜି ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରି ରହିଥିବା ବେଳେ ହୀରାକୁଦରେ ୪୨.୧, ସୋନପୁରରେ ୪୨, ଝାରସୁଗୁଡ଼ାରେ ୪୧.୮ ଡିଗ୍ରି ରେକର୍ଡ ହୋଇଛି । ଭୁବନେଶ୍ୱର ଓ କଟକରେ ଯଥାକ୍ରମେ ତାପମାତ୍ରା ୩୪.୬ ଏବଂ ୩୫ ଡିଗ୍ରି ରହିଥିଲା । ଗତକାଲି ଭୁବନେଶ୍ୱର ସମେତ ପୁରୀ, ଖୋର୍ଦ୍ଧା, ବାଲେଶ୍ୱର ଓ ମୟୂରଭଞ୍ଜ ସହ ଅଧିକାଂଶ ଉପକୂଳବର୍ତ୍ତୀ ଜିଲ୍ଲାରେ ପବନ ସାଙ୍ଗକୁ ବର୍ଷା ହୋଇଥିଲା । ଏଥିସହ ବଜ୍ରପାତ ମଧ୍ୟ ହୋଇଥିଲା ।
from Kanak News http://bit.ly/2wFyQoX http://bit.ly/2Xw6Srx
No comments: