ରାଜ୍ୟରେ ଗଞ୍ଜେଇ ମାଫିଆଙ୍କ ରାଜ୍ : ମାତ୍ର ୩ ମାସରେ ୨୪ ଜଣ ଗିରଫ Kanak News

କନକ ବ୍ୟୁରୋ : ଗଞ୍ଜେଇ ତଥା ସବୁଜ ସୁନା ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି କୋରାପୁଟ ଜିଲ୍ଲାର ଜୟପୁର । ଗଞ୍ଜେଇ ଚାଲାଣ ପାଇଁ ଅଭିନବ ତରିକା ବ୍ୟବହାର କରୁଛନ୍ତି ମାଫିଆ ମାନେ । କେତେବେଳେ ତେଲ ଟ୍ୟାଙ୍କର ତ କେତେବେଳେ ବ୍ୟାଟେରୀ ଟ୍ରକ୍, ଆଉ କେତେବେଳେ ପାଣି ଟାଙ୍କି ମଧୢରେ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଛି ଗଞ୍ଜେଇ । ବିଗତ ଦିନରେ ଗଞ୍ଜେଇ ମାଫିଆମାନେ ପୁଲିସ ଓ ଅବକାରୀ ବିଭାଗର ଆଖିରେ ଆଙ୍ଗୁଠି ଗେଞ୍ଜି ଚୋରା ଚାଲାଣ କରି ନକ୍ସଲ କାର୍ଯ୍ୟକଳାପକୁ ବୃଦ୍ଧି କରୁଛନ୍ତି ତାହାର ସଦ୍ୟ ନମୁନା ନିକଟରେ ଦେଖିବାକୁ ମିଳିଛି ।

ଜୟପୁର ସଦର ଥାନା ପକ୍ଷରୁ ଗତ ତିନି ମାସ ମଧ୍ୟରେ ପାଖାପାଖି ଅଢେଇ ଟନ୍ ଗଞ୍ଜେଇ ଜବତ ହୋଇଥିବାବେଳେ ୨୪ଜଣ ରାଜ୍ୟ ତଥା ରାଜ୍ୟ ବାହାର ଅପରାଧୀଙ୍କୁ ଧରିଛି ପୁଲିସ । ଖାଲି ସେତିକି ନୁହେଁ ଗୋଟିଏ ଟ୍ରକ୍, ୭ଟି କାର ସହ ଗୋଟିଏ ପାଣି ଟାଙ୍କି ଓ ୨ଟି ବାଇକ୍ ଜବତ ହୋଇଛି । ତେବେ ସବୁଠୁ ବଡ ପ୍ରସଙ୍ଗ ହେଲା କୋରାପୁଟ ଜିଲ୍ଲାର ଜୟପୁରରେ ମାତିଛନ୍ତି ‌ରାଜ୍ୟ ବାହାର ଅପରାଧୀ । ଗିରଫ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ମୁଖ୍ୟତଃ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗରୁ ୧୬ଜଣ ଅପରାଧୀ ରହିଥିବାବେଳେ ୮ଜଣ ରାଜ୍ୟର ଅପରାଧୀ ରହିଛନ୍ତି । ତେବେ ରାଜ୍ୟ ବାହାର ଅପରାଧୀମାନେ ଜୟପୁରକୁ ଆସୁଛନ୍ତି ନା ସେମାନଙ୍କୁ ଅଣାଯାଉଛି ତାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅପର ପକ୍ଷରେ ୬୦ରୁ ଊର୍ଧ୍ବ ଅପରାଧୀ ଜାମିନ ପାଇ ମଧ୍ୟ ପଟ୍ଟା ଦେଇପାରୁ ନଥିବାରୁ ବର୍ତ୍ତମାନ ଜୟପୁର ସବଜେଲରେ ରହିଛନ୍ତି। ଫଳରେ ଜୟପୁର ସବଜେଲରେ ଏବେ ଆବଶ୍ୟକତା ଠାରୁ ତିନି ଗୁଣ ବିଚରାଧୀନ କଏଦୀଙ୍କୁ ରଖାଯାଇଛି । ଜୟପୁର ସବଜେଲର କ୍ଷମତା ୧୫୩ ରହିଥିବାବେଳେ ବର୍ତ୍ତମାନ ୨୯୭ ଜଣ କଏଦୀ ରହିଛନ୍ତି। ଗତ ମାସରେ ୨୦ ଜଣ, ଚଳିତ ମାସ ୧୦ତାରିଖରେ ୨୦ଜଣ ବିଚରାଧୀନ କଏଦୀଙ୍କୁ କୋରାପୁଟ ଜେଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆସନ୍ତା ୪ଦିନ ମଧ୍ୟରେ ୪୦ଜଣଙ୍କୁ କୋରାପୁଟ ଜେଲକୁ ପଠାଯିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ତେବେ ଜେଲରେ ଥିବା ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ଅପରାଧୀଙ୍କ ସହ ଜୟପୁର ଅପରାଧୀଙ୍କର ଘନିଷ୍ଠ ସମ୍ପର୍କ ରହିଥିବା ଦେଖିବାକୁ ମିଳିଛି । କାହିଁକି ନା ବିଗତ ଦିନରେ ଯେଉଁ ଅପରାଧୀମାନେ କୋର୍ଟ ଚାଲାଣ ହୋଇଛନ୍ତି ସେମାନେ ଜେଲରେ ରହି ଗଞ୍ଜେଇ ଚୋରା ଚାଲାଣର ନକ୍ସା ପ୍ରସ୍ତୁତ କରୁଛନ୍ତି । ଜୟପୁରରେ ଏକ ରାକେଟ୍ ସକ୍ରିୟ ରହିଥିବାବେଳେ ସେମାନଙ୍କୁ ପାଇଲଟିଂ କରୁଛନ୍ତି କିଛି ମାଫିଆ ।

ଅନ୍ୟପକ୍ଷରେ ପୁଲିସ ଓ ଅବକାରୀ ବିଭାଗ ମତରେ ଗଞ୍ଜେଇ ଚାଷ ଖବର ମିଳିବା ମାତ୍ରକେ ସେଠାରେ ପ୍ରଶାସନ ପହଞ୍ଚି ନଷ୍ଟ କରୁଛି । କିନ୍ତୁ ଗଞ୍ଜେଇ ଚାଷ ହେଉଛି କେଉଁଠି ? କିଏ ଏହି ଚାଷ କରୁଛି? ତାହାକୁ ପୁଲିସ ଜାଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି । ସେହିପରି ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଉପାନ୍ତ ଅଞ୍ଚଳରୁ ଗ‌ଞ୍ଜେଇ ଜୟପୁରକୁ ଆସୁଥିବାବେଳେ କିପରି ଗଞ୍ଜେଇ ହବକୁ ଧରାଯାଉ ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


from Kanak News http://bit.ly/2Zrz92P http://bit.ly/2F7eGIU
ରାଜ୍ୟରେ ଗଞ୍ଜେଇ ମାଫିଆଙ୍କ ରାଜ୍ : ମାତ୍ର ୩ ମାସରେ ୨୪ ଜଣ ଗିରଫ Kanak News ରାଜ୍ୟରେ ଗଞ୍ଜେଇ ମାଫିଆଙ୍କ ରାଜ୍ : ମାତ୍ର ୩ ମାସରେ ୨୪ ଜଣ ଗିରଫ Kanak News Reviewed by SUBHENDU BARAL on June 13, 2019 Rating: 5

No comments:

Powered by Blogger.