ଭୁବନେଶ୍ବର ୩୦|୫: ବିଶ୍ବରେ କ୍ୟାନ୍ସର ହେଉଛି ମୃତ୍ୟୁର ଦ୍ବିତୀୟ ବଡ଼ କାରଣ । କ୍ୟାନ୍ସର ଯୋଗୁଁ ପ୍ରାୟ ୧୮ ନିୟୁତ ଲୋକଙ୍କର ମୃତ୍ୟୁ ହେଉଛି ଓ ଏହା ମଣିଷ ସମାଜକୁ ଏକପ୍ରକାର ଭୟଭୀତ କରିରଖିଛି । କିନ୍ତୁ ଏଭଳି ଭୟାବହ ବ୍ୟାଧିର ନିରାକରଣ ମଧ୍ୟ କରାଯାଇପାରିବ । ରୋଗର ବିପଦପୂର୍ଣ୍ଣ ଦିଗଗୁଡ଼ିକୁ ଦୂରରେ ରଖିବା ସହ ନିୟମିତ ସ୍କ୍ରିନିଂ ଦ୍ବାରା କ୍ୟାନ୍ସର ଠାରୁ ଦୂରରେ ରହିହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।
ପ୍ରାୟତଃ କ୍ୟାନ୍ସର ସେତିକିବେଳେ ହିଁ ଚିହ୍ନଟ ହୋଇଥାଏ ଯେତେବେଳେ କି ଖୁବ୍ ବିଳମ୍ବ ହୋଇଯାଇଥାଏ ଏବଂ କିଛି କରିବା ପାଇଁ ହାତରେ ଉପାୟ ନଥାଏ । ମାତ୍ର କ୍ୟାନ୍ସର ଖୁବ୍ ଦ୍ରୁତ ଗତିରେ ଅଗ୍ରସର ହୋଇ ନଥାଏ । ନର୍ମାଲରୁ ଆବନର୍ମାଲଟିସୁକୁ ପରିଣତ ହେବା ପାଇଁ ମାସ ମାସ ଏପରିକି ବର୍ଷ ବର୍ଷ ଲାଗିଯାଇଥାଏ ବୋଲି ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଏବଂ ସମ୍ ହସ୍ପିଟାଲର ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ମନୋଜ କୁମାର ସାହୁ କହିଛନ୍ତି ।
ୱାଲ୍ଡ ଡାଇଜେଷ୍ଟିଭ୍ ହେଲଥ୍ ଡେ’ ଅବସରରେ ୱାଲ୍ଡ ଗ୍ୟାଷ୍ଟ୍ରୋଏନଟେରୋଲୋଜି ଅର୍ଗାନାଇଜେସନ୍ ଏବଂ ସମ୍ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଡାକ୍ତର ସାହୁ କହିଛନ୍ତି କ୍ୟାନ୍ସର ବଢ଼ିବା ଦିଗରେ ଅନେକ ଗୁଡିଏ ବିପଦପୂର୍ଣ୍ଣ ସଂକେତ ରହିଛି । ଏହି ସଂକେତଗୁଡ଼ିକୁ ଜାଣିବା ଦ୍ବାରା ରୋଗ ଶୀଘ୍ର ଚିହ୍ନଟ କରାଯାଇପାରିବ । ସ୍କ୍ରିନିଂ କରିବା ଏବଂ ଚିକିତ୍ସା ଦ୍ବାରା କ୍ୟାନ୍ସରଜନିତ ମୃତ୍ୟୁ ସଂଖ୍ୟା କମିପାରିବ ବୋଲି ଡାକ୍ତର ସାହୁ ମତ ଦେଇଛନ୍ତି ।
ଜାତୀୟ କ୍ୟାନ୍ସର ରେଜିଷ୍ଟ୍ରି ଅନୁଯାୟୀ ଭାରତରେ ଦିନକୁ ୧୩୦୦ରୁ ଅଧିକ ଲୋକଙ୍କ କ୍ୟାନ୍ସର ଜନିତ ମୃତ୍ୟୁ ଘଟୁଛି । ସେହିପରି ଶରୀରର ୭ଟି ସବୁଠାରୁ ଅଧିକ ସ୍ଥାନରେ ହେଉଥିବା କ୍ୟାନ୍ସର ମଧ୍ୟରୁ ୪ଟି ଖାଦ୍ୟନଳୀରେ ହୋଇଥାଏ ।
ଗ୍ୟାଷ୍ଟ୍ରିକ୍ କ୍ୟାନ୍ସର ମୁଖ୍ୟତଃ ଦକ୍ଷିଣ ଏବଂ ପୂର୍ବଭାରତରେ ଅଧିକ ଦୃଷ୍ଟିଗୋଚର ହେଉଥିବା ବେଳେ ଗ୍ୟାଷ୍ଟ୍ରୋଇନଟେଷ୍ଟିନାଲ ଟ୍ରାକ୍ଟ, ଗଲବ୍ଲାଡର ଓ ପାନକ୍ରିୟାସ କ୍ୟାନ୍ସର ଅଧିକ ମାତ୍ରାରେ ଓଡ଼ିଶାରେ ଚିହ୍ନଟ ହେଉଥିବା ଡାକ୍ତର ସାହୁ କହିଛନ୍ତି ।
ଚଳିତବର୍ଷର ୱାଲ୍ଡ ଡାଇଜେଷ୍ଟିଭ୍ ଡେ’ର ଥିମ୍ ରହିଛି “ଗ୍ୟାଷ୍ଟ୍ରୋଇନଟେଷ୍ଟିନାଲ କ୍ୟାନ୍ସରର ଶୀଘ୍ର ପରୀକ୍ଷା ଏବଂ ଚିକିତ୍ସା ।”
ପ୍ରାରମ୍ଭିକ ସ୍ତରରେ ହେଉଥିବା କ୍ୟାନ୍ସରରୁ ମୁକ୍ତି ପାଇବା ପାଇଁ ଆଗୁଆ ପରୀକ୍ଷାର ଆବଶ୍ୟକତା ରହିଛି । ଗିଳିବାରେ କଷ୍ଟ ହେବା, ଖାଇବା ପାଇଁ ଇଚ୍ଛା ନ ହେବା, ଓଜନ କମିବା, ଝାଡାରେ ରକ୍ତ ଆସିବା ପ୍ରଭୃତି ଦେଖାଗଲେ ଏହା ଗ୍ୟାଷ୍ଟ୍ରୋଇନଟେଷ୍ଟିନାଲ ଟ୍ରାକ୍ଟରେ କ୍ୟାନ୍ସରର ସମ୍ଭାବନା ସୁଚାଇଥାଏ ।
ଏହି କାର୍ଯ୍ୟକ୍ରମ ଅବସରରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଂଟ ଡାକ୍ତର ପୁଷ୍ପରାଜ ସାମନ୍ତସିଂହାର, ଗ୍ୟାଷ୍ଟ୍ରୋଏନଟେରୋଲୋଜିଷ୍ଟ ଡାକ୍ତର ଜିମି ନାରାୟଣ, ଅଙ୍କୋଲୋଜିଷ୍ଟ ଡାକ୍ତର ସୁନିଲ ଅଗ୍ରୱାଲ, ଡାକ୍ତର ଅମିତାଭ ଜେନା ଏବଂ ଡାକ୍ତର ସୌରଭ ମିଶ୍ର ଗ୍ୟାଷ୍ଟ୍ରୋଇନଟେଷ୍ଟିନାଲ କ୍ୟାନ୍ସରର ଚିକିତ୍ସା, ପରୀକ୍ଷା ଏବଂ ଏହାର ନିରାକରଣ ଉପରେ ଗୁରୁତ୍ବାରୋପ କରିଥିଲେ ।
ଧୂମ୍ରପାନ କରିବା ଏବଂ ତମାଖୁ ସେବନ କରିବା ଦ୍ବାରା ଶରୀରର ବିଭିନ୍ନ ଅଂଶରେ କ୍ୟାନ୍ସର ହୋଇପାରେ ବୋଲି ଏହି ବିଶେଷଜ୍ଞମାନେ ମତ ଦେଇଥିଲେ । ସେହିପରି ମଦ୍ୟପାନ କରିବା, ଅଧିକ ମସଲାଯୁକ୍ତ, ପ୍ରୋସେସଡ ଏବଂ ପ୍ରିଜର୍ଭଡ ଖାଦ୍ୟ ସୋଡା ଏବଂ ସ୍ମୋକଡ ମାଂସ ଖାଇବା ଦ୍ବାରା ମଧ୍ୟ ଗ୍ୟାଷ୍ଟ୍ରୋଇନଟେଷ୍ଟିନାଲ ଟ୍ରାକ୍ଟ କ୍ୟାନ୍ସରର ସମ୍ଭାବନା ରହିଛି ବୋଲି ସେମାନେ କହିଛନ୍ତି ।
from News7 http://bit.ly/2VXf82h
No comments: