ନବୀନଙ୍କ ପଞ୍ଚମ ଇଂନିସ : ଏଥର ୧୩ଟି ଜିଲ୍ଲାରେ ମନ୍ତ୍ରୀ ମରୁଡି

ଭୁବନେଶ୍ବର ୨୯|୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ମନ୍ତ୍ରିମଣ୍ଡଳର ରୂପରେଖ ଚୂଡାନ୍ତ ହୋଇଛି। ଆଜି ମନ୍ତ୍ରିମଣ୍ଡଳ ସହ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରିବେ। ଦୁଇଟି ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ମନ୍ତ୍ରୀ ହୋଇଥିଲା ବେଳେ ମନ୍ତ୍ରିମଣ୍ଡଳରେ ଏଥର ୧୩ଟି ଜିଲ୍ଲାର କେହି ମନ୍ତ୍ରୀମଣ୍ଡଳରେ ନାହାନ୍ତି। ସମ୍ବଲପୁର, ସୁନ୍ଦରଗଡ, ଅନୁଗୁଳ, ବୌଦ୍ଧ, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଦେବଗଡ, ଗଜପତି, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡା ଜିଲ୍ଲାର କୌଣସି ବିଧାୟକ ମନ୍ତ୍ରିମଣ୍ଡଳରେ ସାମିଲ ହୋଇନାହାନ୍ତି।

କେନ୍ଦ୍ରାପଡା ଜିଲ୍ଲା‌ରେ ଏଥର ବିଜେଡିର ସବୁ ବିଧାୟକ ପ୍ରାର୍ଥୀ ଜିତିବା ସହ ସାଂସଦ ପ୍ରାର୍ଥୀଙ୍କୁ ମଧ୍ୟ ଜିତାଇଥିଲେ। ଏହି ଜିଲ୍ଲାର ୩ ଜଣ ବିଧାୟକ ପ୍ରତାପ କେଶରୀ ଦେବ, ଶଶିଭୂଷଣ ବେହେରା ଓ ଅତନୁ ସବ୍ୟସାଚ୍ଚୀ ନାୟକ ମନ୍ତ୍ରୀ ପଦ ପାଇଁ ପ୍ରମୁଖ ଦାବିଦାର ଥିଲେ ବି କାହାରିକୁ ସ୍ଥାନ ଦିଆଯାଇ ନାହିଁ।

ସେହିପରି ଯାଜପୁର ଜିଲ୍ଲାରେ ବିଜେଡି ସବୁ ବିଧାନସଭା ଓ ଲୋକସଭା ଆସନ ଜିତିଥିଲେ ବି କାହାରିକୁ ମନ୍ତ୍ରିମଣ୍ଡଳରେ ନିଆଯାଇ ନାହିଁ। ଏହି ଜିଲ୍ଲାକୁ ପୂର୍ବ ଥର ପରି ମୁଖ୍ୟ ସ‌େଚତକ ପଦବି ଦିଆଯାଇ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରାଯାଇଛି। ଗତ ଥର ବଡଚଣା ବିଧାୟକ ଅମର ଶତପଥୀ ମୁଖ୍ୟ ସଚେତକ ଥିଲା ବେଳେ ଏଥର ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ସେହି ପଦବି ଦିଆଯାଇଛି।

ଭଦ୍ରକରେ ୫ଟି ବିଧାନସଭା ଆସନରୁ ବିଜେଡି ୪ଟି ଦଖଲ କରିଛି। ଭଦ୍ରକ ଲୋକସଭା ଆସନ ବି ବିଜେଡିକୁ ଯାଇଛି। କିନ୍ତୁ ଏହି ଜିଲ୍ଲାରେ କାହାରିକୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନାହିଁ। ଗତ ମନ୍ତ୍ରିମଣ୍ଡଳରେ ଥିବା ପ୍ରଫୁଲ୍ଲ ସାମଲଙ୍କୁ ଏଥର ବାଦ୍ ଦିଆଯାଇଛି।

କନ୍ଧମାଳ ଜିଲ୍ଲାର ତିନିଟି ଯାକ ବିଧାନସଭା ଆସନରେ ବିଜେଡି ଜିତିଛି। ମାଲକାନଗିରିରେ ଦୁଇଟି ଯାକ ଆସନରୁ ‌ଗୋଟିଏ ବିଜେଡି ଦଖଲ କରିଛି। ନବରଙ୍ଗପୁରର ଚାରିଟି ବିଧାନସଭା ଆସନ ମଧ୍ୟରୁ ୩ଟିକୁ ବିଜେଡି ଦଖଲ କରିଛି।

ନୂଆପଡା ଜିଲ୍ଲାରେ ଦୁଇଟି ବିଧାନସଭା ଆସନରୁ ଗୋଟିଏ ବିଜେଡି ଜିତିଛି। କିନ୍ତୁ ଏହି ଜିଲ୍ଲାଗୁଡିକରେ କାହାରିକୁ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳି ନାହିଁ। ଦେବଗଡ ଜିଲ୍ଲାର ଏକମାତ୍ର ବିଧାନସଭା ଆସନ ବିଜେପି ଦଖଲ କରିଛି।

ସେହିପରି ଗଜପତି ଜିଲ୍ଲାର ଦୁଇଟି ଯାକ ଆସନ ବିଜେଡି ହାତରେ ନାହିଁ, ଗୋଟିଏ କଂଗ୍ରେସ ଓ ଗୋଟିଏ ବିଜେପି ଦଖଲରେ ରହିଛି। ଗଞ୍ଜାମ ଜିଲ୍ଲାରେ ଏକମାତ୍ର ବିଧାୟକ ଭାବେ ବିକ୍ରମ କେଶରୀ ଆରୁଖ ତାଙ୍କ ମନ୍ତ୍ରୀ ପଦ ବଜାୟ ରଖିଛନ୍ତି। ତେବେ ଜିଲ୍ଲାର ଆଉ ଜଣେ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି ଭାବେ ମନୋନୀତ କରାଯାଇଛି।

ଅନୁଗୁଳ ଜିଲ୍ଲାରେ ୫ଟି ଯାକ ବିଧାନସଭା ଆସନ ବି ବିଜେଡି ଦଖଲ କରିଛି। ଏକାଧିକ ଥର ଜିତିଥିବା ବିଧାୟକ ବି ଏହି ଜିଲ୍ଲାରେ ଅଛନ୍ତି। କିନ୍ତୁ ମନ୍ତ୍ରିମଣ୍ଡଳରେ କାହାରିକୁ ପ୍ରତିନିଧିତ୍ବ କରିବାର ସୁଯୋଗ ମିଳିନି।

ବୌଦ୍ଧ ଜିଲ୍ଲାରେ ଦୁଇଟି ଯାକ ନିର୍ବାଚନମଣ୍ଡଳୀ ବିଜେଡି କବ୍‌ଜାରେ ରହିଛି । ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଗତ ସରକା‌ରର ପ୍ରଥମ ପର୍ଯ୍ୟାୟରେ ଅର୍ଥ ମନ୍ତ୍ରୀ ଥିଲା ବେଳେ ପରବର୍ତ୍ତୀ ସମୟରେ ବାଚସ୍ପତି ହୋଇଥିଲେ। କିନ୍ତୁ ଏଥର ତାଙ୍କୁ ବାଦ୍ ଦିଆଯିବା ସହ ବୌଦ୍ଧ ଜିଲ୍ଲା ମନ୍ତ୍ରୀ ଶୂନ୍ୟ ହୋଇଛି।



from News7 http://bit.ly/2JH5PSt
ନବୀନଙ୍କ ପଞ୍ଚମ ଇଂନିସ : ଏଥର ୧୩ଟି ଜିଲ୍ଲାରେ ମନ୍ତ୍ରୀ ମରୁଡି ନବୀନଙ୍କ ପଞ୍ଚମ ଇଂନିସ : ଏଥର ୧୩ଟି ଜିଲ୍ଲାରେ ମନ୍ତ୍ରୀ ମରୁଡି Reviewed by SUBHENDU BARAL on May 29, 2019 Rating: 5

No comments:

Powered by Blogger.