ବ୍ରହ୍ମପୁର ( ଜଗନ୍ନାଥ ସାହୁ) : ଦକ୍ଷିଣ ଓଡ଼ିଶାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଗିରିମାର୍କେଟ୍ଠାରୁ ବଡ଼ବଜାର ପର୍ଯ୍ୟନ୍ତ ଟ୍ରାଫିକ୍ରେ କୌଣସି ପରିବର୍ତ୍ତନ ଘଟିନାହିଁ । ବିଏମସି ଓ ପୋଲିସ ପ୍ରଶାସନ ପକ୍ଷରୁ ଏହାକୁ ସୁଧାରିବା ଲାଗି ପ୍ରୟାସ ଜାରି ରହିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି ।
ଦକ୍ଷିଣ ଓଡ଼ିଶାର ସପିଂ ହବ୍ ବ୍ରହ୍ମପୁର। ଗଞ୍ଜାମ ଜିଲ୍ଲା ସହ ଏହାର ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ସାମଗ୍ରୀ କିଣିବାକୁ ଏଠାକୁ ଆସିଥାନ୍ତି । ବ୍ରହ୍ମପୁର ଗିରିମାର୍କେଟଠାରୁ ବଡ଼ବଜାର ପର୍ଯ୍ୟନ୍ତ ବ୍ୟବସାୟର କେନ୍ଦ୍ରସ୍ଥଳ ହୋଇଥିବାବେଳେ, ଏହି ଅଞ୍ଚଳରେ ହିଁ ବିପର୍ଯ୍ୟସ୍ତ ହୋଇପଡିଛି ଟ୍ରାଫିକ୍ ବ୍ୟବସ୍ଥା। ଏହି ବଜାରରେ ଏବେବି ସଂକୀର୍ଣ୍ଣ ହୋଇ ରହିଛି ରାସ୍ତା ।
ସଡ଼କ ରାସ୍ତାକୁ ଚଉଡ଼ା କରିବା ପାଇଁ ଉଭୟ ପାର୍ଶ୍ୱରୁ ଉଚ୍ଛେଦ ହୋଇଥିଲେ ବି ଆବଶ୍ୟକ ମୁତାବକ ପ୍ରଶସ୍ତ ହୋଇପାରିନି । ରାସ୍ତାରେ ଗାଡିମୋଟର ପାର୍କିଂ କରାଯାଉଥିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଗାଡି ଚଳାଚଳ ସୁରୁଖୁରୁରେ କରିବାକୁ ଟ୍ରାଫିକ୍ ପୋଲିସ ମୁତୟନ ହୋଇଥିଲେ ମଧ୍ୟ କିଛି ବି ସୁଫଳ ମିଳୁନାହିଁ।
ବର୍ଷ ବର୍ଷ ଧରି ସହରର ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଥିବାବେଳେ ଏହା ଉପରେ ପ୍ରଶାସନର ନଜର ପଡୁନାହିଁ । ଏହି ଅଞ୍ଚଳରେ ଗାଡି ପାର୍କିଂ ପାଇଁ ବିଏମସି ପକ୍ଷରୁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇନାହିଁ। କେବଳ ମଙ୍ଗଳାବାରୀ ସାହିକୁ ଛାଡ଼ି ଦେଲେ ଅନ୍ୟ କେଉଁଠି ପାର୍କିଂ ସ୍ଥଳବି କରାଯାଇନାହିଁ।
ଆଉ କିଛି ଦିନ ପରେ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଆରମ୍ଭ ହେଉଥିବାବେଳେ ଟ୍ରାଫିକ ବ୍ୟବସ୍ଥା ଆହୁରି ବିଗିଡିଯିବ ବୋଲି କହିଛନ୍ତି ସ୍ଥାନୀୟ ବ୍ୟବସାୟୀ । ଅନ୍ୟପଟେ ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ପୋଲିସ ପକ୍ଷରୁ ଗାଡିଚାଳକଙ୍କୁ ସଚେତନ କରିବା ସହ ଜରିମାନା ମଧ୍ୟ ଆଦାୟ କରାଯାଉଛି। ଏହାସତ୍ତ୍ୱେ ଲୋକେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା କହିଛନ୍ତି ଏସ୍ପି । ସେପଟେ ଖୁବଶୀଘ୍ର ବଡ଼ବଜାର ଅଞ୍ଚଳରେ ରାସ୍ତାରେ ହ୍ୱାଇଟ ଲାଇନ ସହ ମଲ୍ଟି ଷ୍ଟୋରିଡ୍ ପାର୍କିଂ ବ୍ୟବସ୍ଥା କରାଯିବା ବୋଲି କହିଛନ୍ତି ବିଏମସି କମିଶନର।
from OTV Khabar https://ift.tt/2GNyNys
No comments: