କନକ ବ୍ୟୁରୋ : ରଥଯାତ୍ରା ବେଳେ ବଡ ବିଭ୍ରାଟ ଦେଖିବାକୁ ମିଳିଛି । ୪ ଘଣ୍ଟା ଉପାସରେ ରହିଲେ ମହାପ୍ରଭୁ । ଅଧା ବାଟରେ ଗୋଟିଏ ରାତି ଅଟକି ରହିବା ପରେ, ଶରଧା ବାଲିରେ ପହଁଚିଛି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ମା ସୁଭଦ୍ରାଙ୍କ ଦର୍ପଦଳନ ରଥ । ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥରେ ଦର୍ଶନ ଦେଉଛନ୍ତି ତିନି ଠାକୁର । କିନ୍ତୁ ବିଡମ୍ବନାର ବିଷୟ ହେଉଛି, ଗୁଣ୍ଡିଚାରେ ରଥଟଣା ବିଳମ୍ବ ହେବା ପରେ ଦ୍ୱିତୀୟ ଦିନରେ ମହାପ୍ରଭୁଙ୍କ ନୀତି ବିଳମ୍ବ ହୋଇଛି । ସକାଳୁ କେବଳ ମଙ୍ଗଳ ଆଳତି ଓ ଅବକାଶ ପରେ ନୀତି ଆଉ ଆଗକୁ ବଢ଼ି ପାରିନଥିଲା ।
ନିୟମ ଅନୁସାରେ ରଥ ଲାଗିବା ପରେ, ଗୋପାଳ ବଲ୍ଲଭ ନୀତି ହେବାକୁ ଥିବାବେଳେ, ଅପରାହ୍ନ ୨ଟା ପର୍ଯ୍ୟନ୍ତ ହୋଇପାରିନଥିଲା । ଯାହା ଫଳରେ ରଥାରୁଢ଼ ମହାପ୍ରଭୁଙ୍କୁ ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ଉପାସ ରହିବାକୁ ପଡିିଥିଲା । ଠାକୁରଙ୍କ ନୀତି ପୁଣି ଥରେ ଆରମ୍ଭ ହୋଇଥିଲେ ବି, ସମନ୍ୱୟ ଅଭାବ ଯୋଗୁଁ ନୀତି ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି । ସେବାୟତଙ୍କ କହିବା ଅନୁସାରେ ଜେଟିପି ଓ କୋଠ ଭୋଗ ସୁଆରଙ୍କୁ ପୋଲିସ ନଛାଡିବାରୁ ବିଳମ୍ବ ହୋଇଛି । ତେବେ ଆଜି ମହାପ୍ରଭୁଙ୍କ ଆଡପ ବିଜେ । ଜନ୍ମବେଦୀକୁ ଯିବେ ମହାପ୍ରଭୁ । ଆସନ୍ତାକାଲିଠାରୁ ଆଡପ ଅବଡା ମିଳିବ ।
ମଙ୍ଗଳବାର ଦିନ ରଥଟଣାରେ ବିଳମ୍ବ ଯୋଗୁ ଦୁଇରଥ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ସନ୍ଧ୍ୟା ପୂର୍ବରୁ ପହଞ୍ଚି ପାରି ନଥିଲେ। ବଡ଼ଠାକୁରଙ୍କ ତାଳଧ୍ବଜ ରଥ ରାତି ୭ଟା ୪୫ରେ ଶରଧାବାଲିରେ ପହଞ୍ଚିଥିଲେ ବି ରାତି ଯୋଗୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଳଗଣ୍ଡି ଛକ ମାଉସୀ ମା’ଙ୍କ ମନ୍ଦିର ପାଖରେ ଏବଂ ଦେବୀ ସୁଭଦ୍ରାଙ୍କ ରଥ ବଡ଼ଶଙ୍ଖଠାରେ ଅଟକି ରହିଥିଲେ। ଏଣୁ ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବଡ଼ଦାଣ୍ଡ ଭକ୍ତଙ୍କ ଗହଳଚହଳରେ ଭରି ରହିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ରଥାରୁଢ଼ ଶ୍ରୀବିଗ୍ରହଙ୍କୁ ଦର୍ଶନ ପାଇଁ ଭକ୍ତମାନେ ରଥ ପାଖରେ ଗହଳି ଲଗାଇଥିଲେ ।
ବୁଧବାର ସକାଳୁ ରଥ ଉପରେ ମଙ୍ଗଳ ଆଳତି ସହ ତଡ଼ପଲାଗି, ଅବକାଶ ପୂଜା ଓ ବେଶ ଶେଷପରେ ସକାଳ ପ୍ରାୟ ୯ଟାରେ ରଥଟଣା ଆରମ୍ଭ ହୋଇଥିଲା । ପ୍ରଥମେ ଦର୍ପଦଳନ ଓ ପରେ ନନ୍ଦିଘୋଷ ରଥ ଟଣାଯାଇଥିଲା। ହଜାରହଜାର ସଂଖ୍ୟାରେ ଭକ୍ତ ଏକାଠି ହୋଇ ଦୁଇରଥକୁ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାରକୁ ଟାଣି ନେଇଥିଲେ। ‘ଜୟ ଜଗନ୍ନାଥ’ ସହ ହରିବୋଲ, ହୁଳହୁଳିରେ ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଥିଲା। ପ୍ରଥମେ ପୂର୍ବାହ୍ନ ୧୦ଟା ୨୫ରେ ଦର୍ପଦଳନ ରଥ ଶରଧାବାଲିରେ ବିଜେ କରିଥିଲା । ପରେ ପରେ ୧୦ଟା ୩୫ରେ ନନ୍ଦିଘୋଷ ରଥ ବିଜେ କରିଥିଲା।
The post ରଥ ଉପରେ ଠାକୁର ଉପାସ : ୪ ଘଣ୍ଟା ବିଳମ୍ବରେ ହେଲା ନୀତିକାନ୍ତି; ଆଜି ମହାପ୍ରଭୁଙ୍କ ଆଡପ ବିଜେ, ଜନ୍ମବେଦୀକୁ ଯିବେ ତିନି ଠାକୁର first appeared on Kanak News.
from Kanak News https://ift.tt/nYPcCxR https://ift.tt/ucJz4Pa
No comments: