କଟକ ନଗର କଂଗ୍ରେସର ସଭାପତି ହେଲେ ସୁରେଶ ମହାପାତ୍ର, ମୋକିମଙ୍କୁ ଝଟକା Kanak News

ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ୍‌ଙ୍କ ପକ୍ଷଛେଦନ କରିଛି କଂଗ୍ରେସ। ମୋକିମଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଥିବା ତଥା ତାଙ୍କର ଏକାନ୍ତ ଅନୁଗତ ଗିରିବାଳା ବେହେରାଙ୍କୁ ଅନ୍ତର କରି ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତା ସୁରେଶ ମହାପାତ୍ରଙ୍କୁ ନଗର କଂଗ୍ରେସ ସଭାପତି ଭାବେ ନିଯୁକ୍ତ କରାଯାଇଛି। ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ସୁରେଶଙ୍କ ନିଯୁକ୍ତି ସଂପର୍କିତ ବିଜ୍ଞପ୍ତି ଜାରି କରିଛନ୍ତି। ଏହାସହିତ ନଗର କଂଗ୍ରେସ ଅନ୍ତର୍ଗତ ସମସ୍ତ ବ୍ଲକ୍ କଂଗ୍ରେସ କମିଟିକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ନଗର ମହିଳା କଂଗ୍ରେସ ଠିକ୍‌ଭାବେ କାମ କରୁନାହିଁ ଏବଂ ଦିନକୁଦିନ ଦୁର୍ବଳ ହୋଇଯାଉଛି ବୋଲି ଦର୍ଶାଇ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। କେବଳ ମୋକିମ୍‌ଙ୍କୁ କଡ଼ା ଜବାବଦେବାକୁ ଏହିଭଳି ଏକ ନିଷ୍ପତ୍ତି ନିଆଯାଇଥିବା ଏବେ ଦଳୀୟ ମହଲରେ ଜୋର୍‌ଦାର୍ ଆଲୋଚନା ହେଉଛି।

ଶରତ ପଟ୍ଟନାୟକ ରାଜ୍ୟ କଂଗ୍ରେସ ସଭାପତି ନିଯୁକ୍ତ ହେବାପରେ ମୋକିମ୍‌ ଅସନ୍ତୁଷ୍ଟ ଥିବାନେଇ ଆଲୋଚନା ଜୋର୍‌ ଧରିଥିଲା। ଶରତଙ୍କୁ ସ୍ବାଗତ ପାଇଁ ହୋଇଥିବା କାର୍ଯ୍ୟକ୍ରମରେ ମୋକିମଙ୍କୁ ଦେଖିବାକୁ ମିଳି ନଥିଲା। ପରେ ମୋକିମ୍ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ରାଷ୍ଟ୍ରପତି ନିର୍ବାଚନରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିଲେ। ପରେପରେ ମୋକିମଙ୍କ ଘରକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସୌଜନ୍ୟମୂଳକ ଗସ୍ତ କରିଥିଲେ। ଦୁଇଦିନ ପୂର୍ବରୁ କଟକ ଅଞ୍ଚଳରେ ମୋକିମ୍‌ଙ୍କ ଦୃଢ଼ ସମର୍ଥକ କୁହାଯାଉଥିବା ବରିଷ୍ଠ ନେତା ଅଶୋକ ସାମଲ, ବିଶ୍ବଜିତ ଦାସ, ନିକୁଞ୍ଜ ପଶାୟତ ପ୍ରମୁଖ ଦଳର ହାଇକମାଣ୍ଡଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରି ଦଳରୁ ଇସ୍ତଫା ଦେଇଥିଲେ। ଏହିପରି ଗୋଟିଏ ପରେ ଗୋଟିଏ ଘଟଣା ଦଳକୁ ମୋକିମ୍‌ଙ୍କ ଜବାବ ବୋଲି ଆଲୋଚନା ହେଉଥିବାବେଳେ ଆଜି ହଠାତ୍ ନଗର କଂଗ୍ରେସ ସଭାପତି ପରିବର୍ତ୍ତନ ସହ ନଗର ମହିଳା କଂଗ୍ରେସ କମିଟି ଓ ବ୍ଲକ୍ କମିଟି ଭାଙ୍ଗିଦେଇ ଦଳର ‌ରାଜ୍ୟ ନେତୃତ୍ବ ମୋକିମଙ୍କୁ ପାଲଟା ଜବାବ ଦେଇଥିବା କୁହାଯାଉଛି।

ପୁରୀଘାଟସ୍ଥିତ ମୋକିମଙ୍କ ଘରେ ନଗର କଂଗ୍ରେସ କାର୍ଯ୍ୟାଳୟ କାର୍ଯ୍ୟ କରି ଆସୁଥିଲା। ୨୦୧୧ରୁ ୨୦୨୦ ପର୍ଯ୍ୟନ୍ତ ମୋକିମ୍ ୧୦ ବର୍ଷ ନଗର କଂଗ୍ରେସ ସଭାପତି ଭାବେ କାର୍ଯ୍ୟ କରିବା ଏବଂ ପରେ ଗିରିବାଳା ବେହେରା ନଗର କଂଗ୍ରେସ ସଭାପତି ହେବାସମୟରେ ଦଳୀୟ କାର୍ଯ୍ୟାଳୟ ପୁରୀଘାଟରେ କାର୍ଯ୍ୟ କରିଆସୁଛି। ତା’ପୂର୍ବରୁ ଅର୍ଥାତ୍‌ ୨୦୦୨ରୁ ୨୦୧୧ ଯାଏ ସୁରେଶ ମହାପାତ୍ର ସଭାପତି ଥିବାସମୟରେ କଲେଜ ଛକରେ ନଗର କଂଗ୍ରେସ କାର୍ଯ୍ୟାଳୟ କାର୍ଯ୍ୟ କରି ଆସୁଥିଲା। ଯଦିଓ ସୁରେଶ ଏବେବି ତାହାକୁ କଂଗ୍ରେସ ଅଫିସ୍ ଭାବେ ବ୍ୟବହାର କରି ଆସୁଛନ୍ତି, ବର୍ତ୍ତମାନ ସେଠାରେ ପୁଣିଥରେ ନଗର କଂଗ୍ରେସ କାର୍ଯ୍ୟାଳୟ ଚାଲିବ ବୋଲି ଜଣାପଡ଼ିଛି।

ପୂର୍ବରୁ ସୁରେଶ ଓ ମୋକିମ୍‌ଙ୍କ ଶିବିର ମଧ୍ୟରେ ଶୀତଳଯୁଦ୍ଧ ଲାଗିରହିଥିବା ବେଳେ ନିକଟରେ କଟକ ପୌର ନିଗମ ନିର୍ବାଚନରେ ଦୁଇଜଣ କିଛି ପରିମାଣରେ ଏକାଠି କାମ କରୁଥିବା ଦେଖିବାକୁ ମିଳିଥିଲା। ଏବେ ମୋକିମ ଓ ତାଙ୍କ ସମର୍ଥକମାନେ କଂଗ୍ରେସରେ ରହିବେ ନରହିବେ, ତାହାକୁ ନେଇ ତର୍ଜମା ଆରମ୍ଭ ହୋଇଥିଲାବେଳେ ପୁଣିଥରେ ଦୁଇ ଶିବିର ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହେବ ବୋଲି ଅନୁମାନ ଅନୁମାନ କରାଯାଉଛି।

ତେବେ, ଏ ସମ୍ପର୍କରେ ଭିନ୍ନ ମତ ପ୍ରଦାନ କରିଛନ୍ତି ନବନିଯୁକ୍ତ ସଭାପତି ସୁରେଶ। ସେ କହିଛନ୍ତି, କାହା ସହ ତାଙ୍କର ବିବାଦ ନାହିଁ। ମହମ୍ମଦ ମୋକିମ, ଗିରିବାଳା ବେହେରାଙ୍କୁ ନେଇ କାମ କରିବାରେ ତାଙ୍କର କୌଣସି ସମସ୍ୟା ନାହିଁ। କଂଗ୍ରେସ ସଂଗଠନକୁ କଟକରେ ଅଧିକ ମଜଭୁତ୍ କରିବା ପାଇଁ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଅନ୍ୟପଟେ ସଭାପତି ପଦ ହରାଇଥିବା ଗିରିବାଳା ବେହେରା କହିଛନ୍ତି ଯେ ତାଙ୍କୁ ଏ ସଂପର୍କରେ ପୂର୍ବରୁ କେହିକିଛି କହି ନଥିଲେ।‌ ସେ ଆଜି ନୂଆ ସଭାପତି ନିଯୁକ୍ତି ସଂପର୍କରେ ଅନ୍ୟମାନଙ୍କଠାରୁ ଶୁଣିଲେ। ଏଥିରେ ତାଙ୍କର କୌଣସି ପ୍ରକାର ଦୁଃଖ ନାହିଁ। ‌ଦଳ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ବ ଦେଇଛି ସେ ତାହାକୁ ନିଷ୍ଠାର ସହ ପାଳନ କରିଛନ୍ତି। ସେ କଂଗ୍ରେସ ଛାଡ଼ି ଅନ୍ୟ କୁଆଡ଼େ ଯିବାକୁ ଚିନ୍ତା ବି କରିନାହାନ୍ତି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ନୂଆ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର ଦଳର ଜଣେ ଟାଣୁଆ ତଥା ସଂଗ୍ରାମୀ ନେତା ଭାବେ ପରିଗଣିତ। ସେ ୧୦ ବର୍ଷ ନଗର କଂଗ୍ରେସ ସଭାପତି ରହିବା ସହିତ ରାଜ୍ୟ କଂଗ୍ରେସର ସାଧାରଣ ସଂପାଦକ ଏବଂ ଉପସଭାପତି ଭାବେ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟ କରିଆସିଛନ୍ତି। ସେ ବିଧାନସଭା ନିର୍ବାଚନରେ ଏଯାଏ ବିଜୟୀ ହୋଇ ପାରି ନଥିଲେ ବି ବିଭିନ୍ନ ସମୟରେ କଟକ ସହର, ଚୌଦ୍ବାର-କଟକ ଏବଂ ଆଠଗଡ଼ ବିଧାନସଭା ଆସନରୁ ନିର୍ବାଚନ ଲଢି ପ୍ରତିଦ୍ବନ୍ଦ୍ବୀଙ୍କୁ କଡ଼ାଟକ୍କର ଦେବା ସହିତ ନିଜର ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇ ଆସିଛନ୍ତି।

The post କଟକ ନଗର କଂଗ୍ରେସର ସଭାପତି ହେଲେ ସୁରେଶ ମହାପାତ୍ର, ମୋକିମଙ୍କୁ ଝଟକା first appeared on Kanak News.



from Kanak News https://ift.tt/XIReYmp https://ift.tt/R2CiaJs
କଟକ ନଗର କଂଗ୍ରେସର ସଭାପତି ହେଲେ ସୁରେଶ ମହାପାତ୍ର, ମୋକିମଙ୍କୁ ଝଟକା Kanak News କଟକ ନଗର କଂଗ୍ରେସର ସଭାପତି ହେଲେ ସୁରେଶ ମହାପାତ୍ର, ମୋକିମଙ୍କୁ ଝଟକା Kanak News Reviewed by SUBHENDU BARAL on August 12, 2022 Rating: 5

No comments:

Powered by Blogger.