କାଳିଆ ସାଆନ୍ତଙ୍କ କୋଠ ଭୋଗରୁ ମଠ ଭୋଗ Pramod Behera

ସେ ହେଉଛି ଭାବର ଠାକୁର। ଭାବରେ ଦେଲେ ସେ ସବୁକିଛି ଗ୍ରହଣ କରେ। ସେଥିପାଇଁ ତ ଦିନେ ସେ ଦାସିଆ ବାଉରୀ ହାତରୁ ନଡିଆ ଖାଇଥିଲା, ମାଣିକ ଗଉଡୁଣୀ ହାତରୁ ଦହି ବି ପିଇଥିଲା ଖାଦ୍ୟଲୋଭୀ କାଳିଆ। ଠାକୁରଙ୍କ ମନ ଜାଣି ସେଥିପାଇଁ ତ ବିଭିନ୍ନ ପର୍ବ ପର୍ବାଣୀ ଜାନିଯାତ୍ରାରେ ଲାଗି ହୋଇଥାଏ ବିଭିନ୍ନ ପ୍ରକାର ଭୋଗ।

ଭୋଗପ୍ରିୟ କାଳିଆ ସାଆନ୍ତଙ୍କ ଭୋଗ ବି ଦୁଇ ପ୍ରକାର। ଗୋଟେ କୋଠ ଭୋଗ ଓ ଅନ୍ୟଟି ମଠ ଭୋଗ। ମଠ ଭୋଗ ସାଧାରଣତଃ ବରାଦି ଭୋଗ ହୋଇଥିବା ବେଳେ କୋଠ ଭୋଗ ଯାହା କେବଳ ଜଗନ୍ନାଥ ଓ ତାଙ୍କ ସେବକଙ୍କ ଛଡା ଅନ୍ୟ କେହି ଖାଆନ୍ତି ନାହିଁ। ଏହା ହେଉଛି ପ୍ରଭୁଙ୍କ ପାଖେ ଲାଗି ହେଉଥିବା ଦୈନଦିନ ଭୋଗ।

ଦୈନିକ ଏଠି ୬୨ ପ୍ରକାର ଭୋଗ ନୀତି ଅନୁଯାୟୀ ଲାଗିହୁଏ। ଶ୍ରୀଜିଉଙ୍କ ଏହି କୋଠଭୋଗ ତିନି ପ୍ରକାର - ଦୈନିକ, ପର୍ବଜାତ ଓ ରହଣୀ ଭୋଗ। ରହଣୀ ଭୋଗ କହିଲେ ଶୁଖିଲା ଭୋଗକୁ ବୁଝା ଯାଇଥାଏ। ଶ୍ରୀମନ୍ଦିରର ବିଭିନ୍ନ ଯାନିଯାତ୍ରା ସମୟରେ ଶ୍ରୀଜୀଉମାନଙ୍କ ଚଳନ୍ତି ପ୍ରତିମା ଯେତେବେଳେ ମନ୍ଦିର ବାହାରକୁ ଯାତ୍ରାରେ ଅସିଥାନ୍ତି, ସେତବେଳେ ଏ ଭୋଗ ସେମାନଙ୍କ ପାଖେ ଲାଗି ହୋଇଥାଏ।

ସେହିପରି ରହଣୀ ଭୋଗର ଆଉ ଏକ ମାହାତ୍ମ୍ୟ ହେଉଛି, ଏ ଭୋଗ ମାସାଧିକ କାଳ ଭଲ ରହିପାରେ। କୁହାଯାଏ ପୂର୍ବରୁ ଜଗନ୍ନାଥ ସଂସ୍କୃତିର ପ୍ରଚାରକ, ସେବାୟତ ଓ ଭକ୍ତମାନେ ଦେଶର ବିଭିନ୍ନ ସ୍ଥାନକୁ ଗଲାବେଳେ ବଡ ଦିଅଁଙ୍କ ଏହି ଭୋଗ ହିଁ ସାଙ୍ଗରେ ନେଇକି ଯାଉଥିଲେ, ଯାହା ଜଗନ୍ନାଥ ଚେତନାକୁ ଆହୁରି ବ୍ୟାପକ କରି ତୋଳିଥିଲା।

ପ୍ରତିବର୍ଷ ଶ୍ରୀମନ୍ଦିରରେ ପ୍ରାୟ ୫୬ ରୁ ଊର୍ଦ୍ଧ୍ୱ ବିଶେଷ ପର୍ବ ପର୍ବାଣୀ ପାଳିତ ହୋଇଥାଏ, ଆଉ ସେଇ ସମୟରେ ଯେଉଁ ବିଶେଷ ଭୋଗ ଲାଗି ହୁଏ ତାହା ପର୍ବଯାତ ଭୋଗ ଭାବେ ପରିଚିତ। ଶ୍ରୀମନ୍ଦିରରେ ସବୁଠୁ ଅଧିକ ପ୍ରକାରର ଭୋଗ ମକର ସଂକ୍ରାନ୍ତିରେ ହିଁ ଲାଗି ହୋଇଥାଏ। ସେହିଦିନ ପାଖାପାଖେି ୮୪ ପ୍ରକାର ଭୋଗ ଠାକୁରଙ୍କୁ ଲାଗିହୁଏ। ଏ ଭୋଗ ପଛରେ କାରଣ ବି ରହିଛି।

ସେହିପରି ଶ୍ରୀମନ୍ଦିରରେ ପଣାର ମଧ୍ୟ ରହିଛି ସ୍ୱାତନ୍ତ୍ର୍ୟ। ବିଶେଷ କରି ଚନ୍ଦନ ଯାତ୍ରା ସମୟରେ ଶ୍ରୀଜିଉମାନଙ୍କୁ ଗରମରୁ ରକ୍ଷା କରିବା ପାଇଁ ପଣା ଭୋଗ ଲାଗି ହୁଏ। ଏହାଛଡା ଓଡିଆଙ୍କ ଖାଦ୍ୟ, ଯାହା ଓଡିଆଙ୍କୁ ଏକ ବିଶେଷ ପରିଚୟ ଦିଏ, ତାହା ହେଉଚି ପଖାଳ। ଓଡିଆଙ୍କ ଆରାଧ୍ୟ ଦେବତା ବା ଏଥିରୁ ବାଦ୍ ଯାଆନ୍ତେ କିପରି। କେବଳ ଗୋପାଳ ବହ୍ଳବ ନୀତିକୁ ଛାଡି ଅନ୍ୟ ସବୁ ନୀତିରେ ଦିଅଁଙ୍କ ପାଖେ ବିଭିନ୍ନ ପ୍ରକାର ସୁବାଶିତ ପଖାଳ ଓ ବ୍ୟଞ୍ଜନ ଲାଗିହୁଏ।

କୁହାଯାଏ ଅନ୍ୟ ସବୁଠି ଭୋଗକୁ ଭଗବାନ କେବଳ ଆଘ୍ରାଣ କରିଥାନ୍ତି, କିନ୍ତୁ ଏ ଧାମରେ ଭଗବାନ ସ୍ୱୟଂ ଭୁଞ୍ଜନ କରିଥାନ୍ତି। କାରଣ ଏଠି ମହାଲକ୍ଷ୍ମୀ ରନ୍ଧନ କରିଥାନ୍ତି। ସେହିପରି ମହାପ୍ରଭୁଙ୍କ ପିଠା ତାଲିକା ମଧ୍ୟ ବେଶ ଲମ୍ବା। ମାଣ୍ଡୁଅ, କାନ୍ତି କାକରା, ଆରିସା, ଟିକିଲି, ମାଠପୁଳି, ବଡହଂସ, ସାନକାନ୍ତି ଏପରି ଅନେକ ପିଠା ବର୍ଷ ବର୍ଷରୁ ଲାଗି ହୋଇ ଆସୁଛି ମହାପ୍ରଭୁଙ୍କ ପାଖରେ। କିନ୍ତୁ ପିଠାଗୁଡିକ ମଧ୍ୟରୁ ସୁଆର ପିଠାର ରହିଛି ଏକ ସ୍ୱତନ୍ତ୍ର ପରିଚୟ। କଥିତ ଅଛି, ତତ୍କାଳୀନ ଗଜପତି ମହାରାଜାମାନେ ଯୁଦ୍ଧରେ ବିଜୟ ଲାଭ କରି ଫେରିବା ପରେ ମହାପ୍ରଭୁଙ୍କୁ ଖୁସି କରେଇବା ପାଇଁ ଏହି ପିଠା ଯାଚିଥିଲେ।

ଖାଦ୍ୟ ପ୍ରିୟ ଭଗବାନ ସ୍ନାନ ଯାତ୍ରା ପରେ ଯେତେବେଳେ ଅଣସର ଘରେ ରୁହନ୍ତି ସେବେ ତାଙ୍କ ସ୍ଥାନରେ ପୂଜା ପାଉଥିବା ପଟିଦିଅଁଙ୍କ ପାଖେ କିଛି ବିଶେଷ ଭୋଗ ଲାଗିହୁଏ। ଯେମିତି ମଣିଷ ଅସୁସ୍ଥ ଥିବାବେଳେ ଫଳାହାର କରିଥାଏ, ସେମିତି ଦିଅଁଙ୍କ ପାଖେ ବି ଫଳ ଭୋଗ ଅର୍ପଣ କରାଯାଏ।

ଅନବସର କ୍ରିୟାର ଅନ୍ତ ଘଟାଇ ପ୍ରଭୁ ଜନ୍ମବେଦୀ ଯାତ୍ରା କଲା ସମୟରେ ତାଙ୍କ ପାଖେ ଆଉ କିଛି ବିଶେଷ ଭୋଗ ବି ଲାଗିହୁଏ। ଯେମିତି ପୋଡ ପିଠା, କଦଳୀ ତରିଆ ଇତ୍ୟାଦି। ଶ୍ରୀଜୀଉଙ୍କ ବ୍ୟତୀତ ଶ୍ରୀମନ୍ଦିରର ଅନ୍ୟ ଦେବାଦେବୀଙ୍କ ପାଖରେ ଅନ୍ନ ଭୋଗ ଲାଗି ହୁଏନି ବରଂ ଶୁଖିଲା ଭୋଗ ଯେମିତି ପିଠା, ଖଜା ଇତ୍ୟାଦି ଅର୍ପଣ କରାଯାଏ।



from Latest Odisha News, Breaking News Today | Top Updates on Corona - OTV News https://ift.tt/5FUBZkj
କାଳିଆ ସାଆନ୍ତଙ୍କ କୋଠ ଭୋଗରୁ ମଠ ଭୋଗ Pramod Behera କାଳିଆ ସାଆନ୍ତଙ୍କ କୋଠ ଭୋଗରୁ ମଠ ଭୋଗ Pramod Behera Reviewed by SUBHENDU BARAL on June 29, 2022 Rating: 5

No comments:

Powered by Blogger.