ମାଟି ଓ ମୌସୁମୀର ମିଳନର ପର୍ବ ହେଉଛି ରଜ। କୃଷକର ଭାବର ଆଦାନ ପ୍ରଦାନ ହେଉଛି ରଜ। ଆଦ୍ୟ ଆଷାଢର ପ୍ରଥମ ବର୍ଷାରେ ପୃଥିବୀ ଋତୁମତୀ ହେବା ପରେ ଖୁସିରେ ଉତ୍ସବ ମୁଖର ହୋଇଉଠେ ଚାରିଆଡେ, ଖେଳିଯାଏ ବିଶ୍ରାମ ଓ ଆନନ୍ଦର ମାହୋଲ।
ପ୍ରଥମ ବର୍ଷାର ପ୍ରଥମ ବୁନ୍ଦା ମାଟି ଛୁଇଁଲେ, ଆଦ୍ର ହୋଇ ଉଠେ ପୃଥିବୀ। ଶୀତଳତା ଭରିଯାଏ ସବୁଆଡେ। ଗ୍ରୀଷ୍ମର ପ୍ରକୋପରୁ ମିଳେ ମୁକ୍ତି। ପୃଥିବୀର ମାତୃତ୍ଵ କାମନା କରି ସୃଷ୍ଟିର ଜୟ ଗୀତ ଗାନ କରେ କୃଷକ। କୁଆଁରୀଙ୍କ ଓଠରୁ ଝରିଆସେ ରଜଗୀତର ଲହରା ସ୍ଵର। ପୋଡପିଠା ଖିଆ, ତାସ୍-ବାଗୁଡି ଖେଳ, ଅଭିଆଡିଙ୍କ ଗାଁ ବୁଲା, ଅଳତା ଲଗା ସହ ରଜ ପାନ ଖିଆ ଓଠରେ ରଙ୍ଗୀନ ହୁଏ ଓଡିଶା।
ଏ ପର୍ବରେ ପରିବାରର ଲୋକେ କି ଆତ୍ମୀୟସ୍ଵଜନ ଯିଏ ଯେଉଁଠି ଥିଲେ ବି, ଗାଁକୁ ଫେରନ୍ତି। ବନ୍ଧୁ ବାନ୍ଧବଙ୍କ ଗହଳି ଆଉ ହସ କୌତୁକକରେ ପୂରିଉଠେ ଘର।
ରଜର ଶେଷ ଦିନରେ ଭୋଗ ରାଗ ସହ ହୁଏ ବସୁମତି ସ୍ନାନ। ଏହା ପରେ ହିଁ ପବିତ୍ର ଓ ଉତ୍ପାଦନ କ୍ଷମ ହୁଏ ମାଟି । ଧରା ଋତୁମତୀ ହେବା ପରେ ଅକ୍ଷୟ ତୃତୀୟାରେ ଧାନ ଅନୁକୂଳ କରି ଚାହିଁ ବସିଥିବା ଚାଷୀ କ୍ଷେତକୁ ଯିବାକୁ ପ୍ରସ୍ତୁତ ହୁଏ।
ଚାଷୀ ଘରେ ଖେଳିଯାଏ ମଉଜ ମଜଲିସ। ବର୍ଷ ସାରା ନିଜକୁ କର୍ମ କ୍ଷେତ୍ରରେ ଜଡିତ ରଖିଥିବା ଚାଷୀ ଏହି ରଜ ତିନି ଦିନ ବିଶ୍ରାମ ନିଏ। ଆନନ୍ଦା ଉଲ୍ଲାସରରେ ପରିବାର ସହ କାଟେ ଦିନ। କୃଷକ ବର୍ଷର ଥକାପଣାକୁ ଏହି ତିନି ଦିନ ମେଣ୍ଟାଇବାକୁ ଚେଷ୍ଟା କରେ।
ଆଦିବାସୀମାନଙ୍କ ଗଭୀର ବିଶ୍ଵାସ ଯେ ମା ସୀତା ଏହିଦିନ ଗର୍ଭବତୀ ହୋଇଥିଲେ। ତେଣୁ ସ୍ଥାନୀୟ ଶବର ନୃତ୍ୟ ମାଧ୍ୟମରେ ଆର୍ଯ୍ୟଦେବତା ଓ ଆର୍ଯ୍ୟ ସଂସ୍କୃତିକୁ ସମ୍ମାନ ଜଣାଏ । ଶବରୁଣୀ ଶବରକୁ କୃଷି କର୍ମରେ ତତ୍ପର ଦେବାକୁ ପ୍ରବର୍ତ୍ତାଏ।
ରଜ ପର୍ବର ତିନି ଦିନ କୃଷକ ପରିବାର ସମସ୍ତ କୃଷି କାର୍ଯ୍ୟରୁ ବିରତ ରହି ପୃଥିବୀ ମାଆଙ୍କୁ ବିଶ୍ରାମ ଦେଇଥାନ୍ତି। କୃଷିଜୀବୀ ବାଥୁଡି ଜନଜାତିର ଲୋକେ ନିଜକୁ ବାସୁକୀ ବସୁମାତାଙ୍କ ଵଂଶଜ ବୋଲି ବିଶ୍ୱାସ କରିଥାନ୍ତି। ବାଥୁଡି ଜନଜାତିର ଲୋକେ ଶକ୍ତି ବା ଦେବୀ ଉପାସକ ଅଟନ୍ତି। କୃଷିର ଦେବୀ ମାତା ଲଷ୍ମୀ ଓ ଉତ୍ପାଦକାରିଣୀ ଭୂ ଅର୍ଥାତ ବସୁ ମାତା ଉଭୟ ଶକ୍ତି ସ୍ୱରୂପିଣୀ ହୋଇ ଥିବାରୁ ଏହି ରଜ ପର୍ବ ବାଥୁଡି ସମ୍ପ୍ରଦାୟର ଲୋକଙ୍କ ପାଇଁ ବିଶେଷ ମହତ୍ତ୍ୱ ରଖେ।
ବାଥୁଡି ସମ୍ପ୍ରଦାୟ ପକ୍ଷରୁ ରଜ ପର୍ବକୁ ଅତି ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥାଏ। ପାଣି ବୁହା ରଜ, ରଜ, ରଜ ବାସୀ, ଏଭଳି ତିନି ଦିନ ରଜ ପାଳନ କରାଯାଇଥାଏ। ଏହି ତିନି ଦିନ ସମସ୍ତେ କୃଷି କାର୍ଯ୍ୟରୁ ନିଜକୁ ନିବୃତ୍ତ ରଖିଥାନ୍ତି। ଏହା ପରେ ଆରମ୍ଭ ହୁଏ କୃଷି କାମ।
from Latest Odisha News, Breaking News Today | Top Updates on Corona - OTV News https://ift.tt/4VZSAfJ
No comments: