- ଭୁବନେଶ୍ୱରରୁ ୬ ଡେଙ୍ଗୁ ରୋଗୀ ଚିହ୍ନଟ
- ଶୈଳଶ୍ରୀବିହାର ଏବଂ କଳ୍ପନା ଅଞ୍ଚଳରୁ ଚିହ୍ନଟ
- ଡେଙ୍ଗୁ ବ୍ୟାପିବାର କାରଣ ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟ ଅଧିକାରୀ
- ନୀଳାଦ୍ରି ବିହାର ଓ ଶୈଳଶ୍ରୀ ବିହାରର ବିଭିନ୍ନ କଲୋନୀ ବୁଲିଲେ
ଭୁବନେଶ୍ୱର : ରାଜ୍ୟରେ କରୋନା କାୟା ଥମି ନଥିବାର ବେଳେ ରାଜଧାନୀବାସୀଙ୍କ ପାଇଁ ନୂଆ ସଙ୍କଟ ସୃଷ୍ଟି କରିଛି ଡେଙ୍ଗୁ ରୋଗ । ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୬ ଜଣ ଡଙ୍ଗୁ ରୋଗୀ । ଶୈଳଶ୍ରୀବିହାର ଏବଂ କଳ୍ପନା ଅଞ୍ଚଳରୁ ସମସ୍ତ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ବିଏମସି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଭୁବନେଶ୍ୱରର ବସ୍ତି ଅଞ୍ଚଳ ଏବଂ ନିଳାଦ୍ରି ବିହାର ଓ ଶୈଳଶ୍ରୀ ବିହାରର ବିଭିନ୍ନ କଲୋନୀ ବୁଲି ଡେଙ୍ଗୁ କାହିଁକି ବ୍ୟାପୁଛି, ତାର ସ୍ଥିତି ପରଖିଥିଲେ ।
ଘର ଚାରିପାଖ ପରିଷ୍କାର ପରିଚ୍ଛନ୍ନ ରଖିବା ଏବଂ ସଚେତନତା ଉପରେ ଗୁରୁତ୍ୱ ଦେଇଥିଲେ । ବିଶେଷଜ୍ଞ ଟିମ୍ ତା ସହ ବିଏମସି ପକ୍ଷରୁ ମଶା ଧୂଆଁ ସ୍ପ୍ରେ କରାଯାଇଥିଲା । ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଡେଙ୍ଗୁ ବ୍ୟାପୁଥିବା କହିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ ।ଗାଈଗୋରୁ ଓ ଅନ୍ୟାନ୍ୟ ପଶୁଙ୍କୁ ଖାଦ୍ୟ, ପାନୀୟ ଦେବା ପାଇଁ ବିଭିନ୍ନ ସ୍ଥାନରେ ପାଣି ରଖୁଛନ୍ତି ଲୋକେ । ନିୟମିତ ସଫା ହେଉନଥିବାରୁ ମଶାବଂଶ ବୃଦ୍ଧି ପାଇଛି । ଘର ସାମ୍ନାରେ ପଡ଼ି ରହିଥିବା ଡବା, ଫୁଲକୁଣ୍ଡ ଆଦିରେ ପାଣି ଜମିଥିବାରୁ ସେଠାରେ ଅଣ୍ଡା ଦେଉଛନ୍ତି । ଟିମର ସଦସ୍ୟମାନେ ଅନୁଧ୍ୟାନ ସମୟରେ ଏସବୁ ଦେଖିବାକୁ ପାଇଥିଲେ ।
ଘର ଅଗଣାରେ ପାଣି ଜମିଲେ ତଥା ଟାୟାର, ପାଣି କୁଣ୍ଡ, ମାଟି କୁଡ଼ିଆ ଆଦିରେ ପାଣି ଜମିରହିଥିଲେ ଜରିମାନା ଆଦାୟ କରାଯିବ ବୋଲି କହିଛନ୍ତି ବିଏମ୍ସି ଉତ୍ତର ଜୋନ୍ ଡେପୁଟି କମିସନର । ତେବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଯେପରି ବୃଦ୍ଧି ନହେବ ସେଥିପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିଛି। ପୋଷ୍ଟର, ବ୍ୟାନର୍ ଲଗାଯାଇ ଅଧିକ ସଚେତନତା କାର୍ଯ୍ୟକ୍ରମ ହେଉଛି।
ସେପଟେ ରାଜ୍ୟରେ ବ୍ଲାକ୍ଫଙ୍ଗସରେ ପ୍ରାଣ ହରାଇଛନ୍ତି ୧୮ ଜଣ । ଏଯାଏଁ ୧୨୯ ଜଣ ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର। ତେବେ ରାଜ୍ୟରେ ଏବେ ଆଉ କାଁ ଭାଁ ବ୍ଲାକ୍ଫଙ୍ଗସ୍ କେସ୍ ସାମ୍ନାକୁ ଆସୁଛି। ବ୍ଲାକ୍ଫଙ୍ଗସ୍ ନେଇ ଏତେ ଭୟଙ୍କର ଅବସ୍ଥା ରାଜ୍ୟରେ ଏବେ ନାହିଁ ବୋଲି ସେ କହିଛନ୍ତି।
The post ରାଜଧାନୀ ଭୁବନେଶ୍ୱରରୁ ୬ ଡେଙ୍ଗୁ ରୋଗୀ ଚିହ୍ନଟ appeared first on OTV Khabar..
from OTV Khabar. https://ift.tt/3yqG8ea
No comments: