ଭୁବନେଶ୍ୱର: ବିଧାନସଭାର ଗାନ୍ଧି ମୂର୍ତ୍ତି ତଳେ ସାରା ରାତି ଧାରଣା ଦେଲେ ବିଜେପି ବିଧାୟକ। ଗୃହରେ ବିଲ୍ ପାରିତ ହେବା ବେଳେ ବିରୋଧୀ ଦଳ ନେତାଙ୍କୁ କହିବାର ସୁଯୋଗ ନ ଦେବା ଏବଂ ବିଜେପିର ୩ ସଦସ୍ୟଙ୍କୁ ନିଲମ୍ବିତ କରିବା ପ୍ରତିବାଦରେ ବିଧାୟକମାନେ ସାରା ରାତି ଖୋଲା ଆକାଶ ତଳେ ଧାରଣାରେ ବସି ରହିଥିଲେ।
ଆସନ୍ତାକାଲି ରାଜ୍ୟପାଳଙ୍କୁ ଭେଟିବେ ବିଜେପି ବିଧାୟକ। ଏଥିସହ ଏନେଇ ଆଜି ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯିବ। ଅନ୍ୟପକ୍ଷେ, ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିଥିବା ବିଧାୟକମାନଙ୍କୁ ବାଚସ୍ପତି ବୁଝାସୁଝା କରିଥିଲେ ବି ସେମାନେ ଧାରଣା ସ୍ଥଳରୁ ହଟି ନଥିଲେ।
ବାଚସ୍ପତିଙ୍କ ନିରପେକ୍ଷତାକୁ ନେଇ ବିଜେପି ବିଧାୟକ ମୋହନ ମାଝୀ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ସରକାର ଗଣତନ୍ତ୍ରର ବିରୋଧ କରିଛନ୍ତି। ବାଚସ୍ପତି ଅନ୍ୟ ଲୋକଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି। ବାଚସ୍ପତି ନିରପେକ୍ଷତା ଅବଲମ୍ବନ କରିବା ସହ ତୁରନ୍ତ କ୍ଷମା ମାଗନ୍ତୁ। ଆଗକୁ ଗୃହ ଠିକ୍ରେ ଚଳାଇବାକୁ ଏବେଠୁ ପଦକ୍ଷେପ ନିଅନ୍ତୁ।
ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ବିଜେପିର ଏହି ତିନି ଜଣ ବିଧାୟକଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାରୁ ସସ୍ପେଣ୍ଡ୍ କରିଛନ୍ତି। ଚଳିତ ଅଧିବେଶନ ସରିବା ପର୍ଯ୍ୟନ୍ତ ଏହି ବିଧାୟକମାନେ ଗୃହ କାର୍ଯ୍ୟରେ ଅଂଶ ଗ୍ରହଣ କରିପାରିବେ ନାହିଁ। ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ୍ ସହ ଡଷ୍ଟବିନ୍, କାଗଜ ଏବଂ ଇୟରଫୋନ୍ ଫିଙ୍ଗିବା ନେଇ ଏମାନଙ୍କ ବିରୋଧରେ ଅଭିଯୋଗ ହୋଇଛି।
ଅନ୍ୟପକ୍ଷେ, ଗତକାଲି ଧାର୍ଯ୍ୟ ସମୟ ପୂର୍ବରୁ ବିଧାନସଭା ଅଧିବେଶନ ଶେଷ ହୋଇଥିଲା। ଏପ୍ରିଲ ୯ରେ ସରିବାକୁ ଥିବା ବଜେଟ୍ ଅଧିବେଶନକୁ ଗତକାଲି ୫ଟି କାର୍ଯ୍ୟ ଦିବସ ପୂର୍ବରୁ ଶେଷ କରାଯାଇଛି।
The post ସାରା ରାତି ଧାରଣା ଦେଲେ ବିଜେପି ବିଧାୟକ appeared first on OTV Khabar..
from OTV Khabar. https://ift.tt/39IGuCK
No comments: