ନୂଆଦିଲ୍ଲୀ: ମହାମାରୀ କରୋନା ବିରୁଦ୍ଧ ପ୍ରଥମ ଲଢ଼େଇ ଜନତା କର୍ଫ୍ୟୁକୁ ଆଜି ବର୍ଷେ ପୁରୁଛି। ମହାମାରୀ ସ୍ଥିିତିକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଗତ ବର୍ଷ ମାର୍ଚ୍ଚ ୨୨ରେ ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହୋଇଥିଲା। ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ୧୪ ଘଣ୍ଟା ଧରି କଟକଣା ଲାଗୁ କରାଯାଇଥିଲା। ଫଳରେ ଖାଁ ଖାଁ ଲାଗୁଥିଲା ରାସ୍ତାଘାଟ, ବଜାର ଓ ଚାରିଆଡ଼େ ଶୂନଶାନ୍। ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଲୋକମାନଙ୍କ ପାଇଁ ଏହି ନିୟମ କୋହଳ କରାଯାଇଥିଲା
କରୋନା ସଂକ୍ରମଣକୁ ରୋକିବା ପାଇଁ ଲୋକମାନଙ୍କୁ ଘରେ ରହିବା ପାଇଁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ। ଗତ ବର୍ଷ ମାର୍ଚ୍ଚ ୨୨ ତାରିଖ ସୁଦ୍ଧା ଦେଶରେ କରୋନା ପଜିଟିଭ୍ ସଂଖ୍ୟା ମାତ୍ର ୩୩୦ ରହିଥିଲେ ମଧ୍ୟ ସଂକ୍ରମଣକୁ ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଇଥିଲା।
ସେହି ସମୟରେ ଭାରତୀୟ ରେଳବାଇ ପକ୍ଷରୁ ୩ ହଜାର ୭୦୦ ଟ୍ରେନ୍ ବାତିଲ କରାଯାଇଥିଲା। ଏଥିସହ ସବୁ ରାଜ୍ୟରେ ବସ୍ ସେବାକୁ ମଧ୍ୟ ବନ୍ଦ କରାଯାଇଥିଲା। ତେବେ ପେଟ୍ରୋଲ ପମ୍ପ, ଔଷଧ ଦୋକାନ ଖୋଲା ରହିଥିଲା। ମେଡିକାଲ୍ ଭଳି ଅତ୍ୟାବଶ୍ୟକ ସେବାରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଅନ୍ୟମାନେ ଘରର ଛାତ ଉପରକୁ ଯାଇ ତାଳି, ଘଣ୍ଟି କିମ୍ବା ଥାଳି ବାଡ଼େଇ ସେମାନଙ୍କୁ ଧନ୍ୟବାଦ ଦେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ।
ଯଦିଓ ବର୍ତ୍ତମାନ ଦେଶରେ କୋଭିଡ୍ ସ୍ଥିତିରେ ସୁଧାର ଆସିଛି ଓ ଟିକାକରଣ ବି ଜାରି ରହିଛି, ହେଲେ ମହାରାଷ୍ଟ୍ର ଭଳି ରାଜ୍ୟରେ ସଂକ୍ରମଣ ଯେପରି ପୁଣି ହୁହୁ ହୋଇ ବଢୁଛି, ତାହା ସମସ୍ତଙ୍କ ଚିନ୍ତା ବଢ଼ାଇଛି।
The post ଜନତା କର୍ଫ୍ୟୁକୁ ପୁରିଲା ବର୍ଷେ: ଖାଁ ଖାଁ ଲାଗୁଥିଲା ରାସ୍ତାଘାଟ, ବଜାର; ଚାରିଆଡ଼େ ଶୂନଶାନ୍ appeared first on OTV Khabar..
from OTV Khabar. https://ift.tt/312MH87
No comments: