ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ) : ବାଲେଶ୍ୱରରେ ଶିଳ୍ପର ହାଲ ବେହାଲ । ଏଭଳି ସ୍ଥିତିରେ ଦୀର୍ଘ ୨୨ ବର୍ଷ ପରେ ରାଜ୍ୟ ସରକାରଙ୍କର ଉତ୍ତର ଓଡିଶାରେ ଶିଳ୍ପ ଅଭିବୃଦ୍ଧି କଥା ମନେ ପଡିଛି । ବାଲେଶ୍ୱର ଗସ୍ତରେ ଆସି ଶିଳ୍ପଦ୍ୟୋଗୀମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତୀଙ୍କ ପ୍ରମୁଖ ପରାମର୍ଶଦାତା । ଉତ୍ତର ଓଡିଶାର ବାଲେଶ୍ୱର,ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲାରେ ଶିଳ୍ପର ଅଭିବୃଦ୍ଧି କିପରି ହେବ ସେ ନେଇ ଆଲୋଚନା କରିଥିଲେ । ହେଲେ ପ୍ରକୃତ ଚିତ୍ର ଅଲଗା, ଅନକ ଶିଳ୍ପ ବନ୍ଦ ପଡିଥିବାବେଳେ ଶିଳ୍ପାୟନ ଏବେ ରୁଗଣ ଅବସ୍ଥାରେ ।
ଦିନ ଥିଲା ଉତ୍ତର ଓଡିଶାର ଶିଳ୍ପ କହିଲେ ବାଲେଶ୍ୱରର ବିର୍ଲା ଟାୟାର୍ସ, ଇସ୍ପାତ ଆଲୋଏଜ୍ ଏବଂ ଇମାମି ପେପର ମିଲ୍ସ ଭଳି କିଛି ହାତଗଣତି ବୃହତ ଶିଳ୍ପର ନାଁ ସାମନାକୁ ଆସୁଥିଲା । ଏହି ସବୁ ବଡ଼ ଉଦ୍ୟୋଗ ସହ ଅନେକ ଛୋଟ ଶିଳ୍ପ ମଧ୍ୟ ଗଢି ଉଠିଥିଲା ହେଲେ ବିଗତ ଦୁଇ ଦଶନ୍ଧି ହେବ ବାଲେଶ୍ୱରରେ ଅନେକ ଶିଳ୍ପରେ ତାଲା ଝୁଲୁଛି । ଶିଳ୍ପର ସ୍ଥିତି ନେଇ ଗତ ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ବାଲେଶ୍ୱରରେ ଉତ୍ତର ଓଡିଶାର ଶିଳ୍ପପତିଙ୍କ ସହ ଆଲୋଚନା କରିି ସେମାନଙ୍କ ସମସ୍ୟା ବୁଝିଥିଲେ । ଶିଳ୍ପକୁ ନୂତନ ଦିଗ ଦେବାକୁ ଏପ୍ରିଲରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଡିଷ୍ଟ୍ରି ଇଣ୍ଡଷ୍ଟ୍ରିଜ୍ ପ୍ରମୋସନ ଏଜେନ୍ସି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
୯୦ ଦଶକରେ ତିଆରି ହୋଇଥିବା ଉତ୍ତର ଓଡିଶାର ସବୁଠାରୁ ବଡ କାରଖାନା ବିର୍ଲା ଟାୟାର୍ସ ଏବେ ଏକ ପ୍ରକାର ବନ୍ଦ ପଡିଛି । ଶତାଧିକ ଶ୍ରମିକ ରୋଜଗାର ହରାଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ସେହିପରି ବାଲେଶ୍ୱର ଇସ୍ପାତ ଆଲୋୟଏଜ୍ ମଧ୍ୟ ସମାନ ଅବସ୍ଥା । ମିତ୍ତଲ ଗ୍ରୁପର ଫେରୋ ଆଲଏଜ୍ ସଂସ୍ଥା ରୁଗଣ ଅବସ୍ଥାରେ । ତେବେ ଶିଳ୍ପ ଓ ନିଯୁକ୍ତିର କଥା କହୁଥିବା ସରକାରଙ୍କ ୨୨ ବର୍ଷ ପରେ ପୁଣିଥରେ ଶିଳ୍ପ କଥା ମନେପଡିଛି ବୋଲି ସମାଲୋଚନା କରିଛନ୍ତି ବିରୋଧୀ ଏବଂ ଶ୍ରମିକ ସଂଗଠନର ଅନେକ ନେତା ।
ସେପଟେ ବିଳମ୍ବରେ ହେଉ ପଛେ ରାଜ୍ୟ ସରକାରଙ୍କର ଶିଳ୍ପ କଥା ମନେପଡିଥିବାରୁ ଏହାକୁ ସ୍ୱାଗତ କରିଛି ନର୍ଥ ଓଡିଶା ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି । ରେମୁଣା ବ୍ଲକର ଆର୍ମଳା ଗ୍ରାମବାସୀ କିନ୍ତୁ ସରକାରଙ୍କ ଉପରେ ଖପ୍ପା । ୨୦୧୧ରୁ ଶିଳ୍ପ ନାଁରେ ହଜାରେ ୯୯ ଏକର ଜମି ଅଧିଗ୍ରହଣ ହୋଇଥିଲେ ମଧ୍ୟ ବିସ୍ଥାପିତଙ୍କୁ କ୍ଷତିପୂରଣ ମିଳିନଥିବା ଲୋକେ ଅଭିଯୋଗ କରିଛନ୍ତି ।
The post ବାଲେଶ୍ୱରରେ ଶିଳ୍ପାୟନର ଅଧୋଗତି : ଜିଲ୍ଲାରେ ବନ୍ଦ ପଡିଛି ଏକାଧିକ ବୃହତ ଶିଳ୍ପ appeared first on OTV Khabar..
from OTV Khabar. https://ift.tt/3u6H84K
No comments: