ଭୁବନେଶ୍ୱର ୨୯।୦୩ : ଆଜି ରଙ୍ଗର ପର୍ବ ହୋଲି । ଛୋଟରୁ ବଡ ସଭିଏଁ ରଙ୍ଗ ଅବିରରେ ରଙ୍ଗେଇ ହେବେ । ଘରେ ଘରେ ଜମିଛି ହୋଲିର ଆସର । ଏ ବର୍ଷ କରୋନା କଟକଣା ହୋଲିକୁ ଟିକେ ଫିକା କରିଛି ସତ ହେଲେ ଘରେ ଘରେ ହୋଲି ମନାଉଛନ୍ତି ସଭିଏଁ ।
ଗାଁଠୁ ସହର ସବୁଠି ହୋଲିର ମାହୋଲ । ଛୋଟ ପିଲାମାନେ ଭଳିକି ଭଳି ଫଗୁ ସହ ପିଚକାରୀ,ଟୋପି, ମାସ୍କ ଲଗାଇ ହୋଲି ଖେଳୁଛନ୍ତି । ନିଜର ପ୍ରିୟଜନ ଓ ସାଙ୍ଗସାଥୀଙ୍କ ସହ ସମସ୍ତେ ଏହି ରଙ୍ଗର ପର୍ବ ପାଳନ କରୁଛନ୍ତି । ବର୍ଷକରେ ଥରେ ଆସିଛି ହୋଲି , ନେଇ ଆସିଛି ଅସୁମାରି ଖୁସି । ହେଲେ ଟ୍ବିନ ସିଟିରେ ନିରାଡମ୍ବରରେ ପାଳନ ହେବ ରଙ୍ଗର ଉତ୍ସବ । କରୋନା ପାଇଁ କଟକଣା ଲଗାଇଛି ପ୍ରଶାସନ। ଆଉ ଫିକା ପଡିଛି ହୋଲି । ରାଜଧାନୀ ଭୁବନେଶ୍ବରରେ କଟକଣା ଯୁକ୍ତ ହୋଲି ପାଳନ ହେଉଛି । ଏକତ୍ରିତ ହୋଇ ହୋଲି ଖେଳିବା ପରିବର୍ତ୍ତେ ଘରେ ରହି ପରିବାର ସହ ରଙ୍ଗ ଖେଳିବାକୁ ମନ ବଳାଇଛନ୍ତି ରାଜଧାନୀବାସୀ ।
ସେହିପରି ଯାଜପୁରରେ ହୋଲିର ଗୋଟିଏ ଦିନ ପୂର୍ବରୁ ପାଳିତ ହୋଇଛି ହୋଲି ପର୍ବ । ବିରଜା ପାଞ୍ଜି ଅନୁସାରେ ହୋଲିର ଠିକ୍ ଗୋଟିଏ ଦିନ ପୂର୍ବରୁ ହୋଲି ପାଳିଥାନ୍ତି ଯାଜପୁର ବାସୀ । ପରସ୍ପର ପରସ୍ପରକୁ ଅବିର ବୋଳି ନିଜ ଭାଇଚରାକୁ ପ୍ରଦର୍ଶିତ କରିଥାନ୍ତି ସହରବାସୀ । ହେଲେ ଏଥର କରୋନା କଟକଣା ପାଇଁ ସହରରେ ସେତେ ଗହଳି ଦେଖାଯାଇନଥିଲା ।
from Prameya News7 https://ift.tt/39qvb2a
No comments: