ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୫୫ କରୋନା ପଜିଟିଭ୍ ଚିହ୍ନଟ । ରୋଗୀ, ସହାୟକ ଓ ନର୍ସ ସଂକ୍ରମିତ : ଏସସିବିରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନର ସୂଚନା Kanak News
କନକ ବ୍ୟୁରୋ : କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୫୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୮ ରୋଗୀ ହୋଇଥିବାବେଳେ ଅନ୍ୟମାନେ ସହାୟକ ଓ ନର୍ସ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏତେ ସଂଖ୍ୟାରେ କ୍ୟାନସର ରୋଗୀ କରୋନା ସଂକ୍ରମିତ ହେବା ଚିନ୍ତା ଜନକ ବିଷୟ । କାରଣ କ୍ୟାନସର ଭଳି ମାରାତ୍ମକ ରୋଗ ସହ ଲଢ଼ୁଥିବା ରୋଗୀଙ୍କୁ କରୋନା ହେବା ସେମାନଙ୍କ ପାଇଁ ବିପଦକୁ ଅଧିକ ବଢ଼ାଇ ଦେଇଛି ।
ଏହା ପୂର୍ବରୁ ଏହି ହସ୍ପିଟାଲରୁ ୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରେ ଡାକ୍ତର, ନର୍ସ ଓ ସହାୟକ ରହିଛନ୍ତି । ଅନ୍ୟପଟେ କଟକ ଏସସିବି ମେଡିକାଲରୁ ମଧ୍ୟ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ହସ୍ପିଟାଲରେ ଥିବା ଅନ୍ୟ ରୋଗୀ, ଡାକ୍ତର, କର୍ମଚାରୀଙ୍କର ମଧ୍ୟ କୋଭିଡ୍ ପରୀକ୍ଷା କରାଯିବ । କ୍ୟାନସର ହସ୍ପିଟାଲ ହେଉ କି କଟକ ବଡ ଡାକ୍ତରଖାନାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତା ବଢାଇ ଦେଇଛି । ଆଗକୁ ଏହା ବଡ ବିସ୍ଫୋରକ ରୂପ ନେଲେ ସ୍ଥିତି ଅସମ୍ଭାଳ ହେବ ବୋଲି କୁହାଯାଉଛି ।
from Kanak News https://ift.tt/3is1JM7 https://ift.tt/2YJCtcf
No comments: