ପରଦା ହଟାଇବା କି କ୍ରାଇମବ୍ରାଞ୍ଚ ? ଜେରା ବେଳେ କାନ୍ଦି ପକାଇଲେ ବିଦ୍ୟାଶ୍ରୀ !

ଭୁବନେଶ୍ୱର ୦୧।୦୮: ସମାଜସେବୀ ଆଦିତ୍ୟ ଦାଶଙ୍କ ଡେଥ୍‌ ମିଷ୍ଟ୍ରିରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତର ଦ୍ୱିତୀୟ ଦିନ । ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କୁ ଗତକାଲି ତଦନ୍ତକାରୀ ଟିମ୍‌ର ମାରାଥନ ଜେରାକୁ ସାମ୍ନା କରିଛନ୍ତି । ଆଦିତ୍ୟଙ୍କ ବାପା ମାଙ୍କୁ ବି ଟିମ୍‌ ପଚରାଉଚରା କରିଛି । ଆଦିତ୍ୟଙ୍କ ପରିବାରର ସଦସ୍ୟମାନଙ୍କୁ ପୃଥକ ଜେରା କରିଛି ଟିମ୍‌ । ମୃତ୍ୟୁର ରହସ୍ୟ ଖୋଜିବାକୁ ଚେଷ୍ଟା କରିଛି ।

ସୁନ୍ଦରପଦା ଏବରଙ୍ଗସ୍ଥିତ ଏକ୍ରାମବିହାର ପ୍ଲଟ୍‌ ୧୭୩/୧୧୬୫ରେ ଥିବା ‘ସୁହାସ ଆର୍ଶୀବାଦ’ ବିଲ୍ଡିଂରେ ଅପରାହ୍ଣ ସାଢ଼େ ୩ଟା ବେଳେ ପହଞ୍ଚିଥିଲା ଟିମ୍‌ । ସିନିୟର ଇନ୍ସପେକ୍ଟର ଦେବୀ ପ୍ରସାଦ ଦାସଙ୍କ ସହ ଇନ୍ସପେକ୍ଟର ମମତା ପଣ୍ଡା ଓ ଅନ୍ୟ ଜଣେ ଅଫିସର ଟିମ୍‌ରେ ଥିଲେ । ପ୍ରାୟ ୫ ଘଣ୍ଟା ଧରି ତନାଘନା କରିବା ପରେ ଟିମ୍‌ ସନ୍ଧ୍ୟା ୮ଟା ପରେ ଉକ୍ତ ବିଲ୍ଡିଂରୁ ଫେରିଛି । ଟିମ୍‌ର ଫୋକସ୍‌ରେ ଥିଲେ ବିଦ୍ୟାଶ୍ରୀ । ଦୀର୍ଘ ୩ ଘଣ୍ଟା ଧରି ସେ କ୍ରାଇମ୍‌ବ୍ରାଞ୍ଚର ପ୍ରଶ୍ନବାଣର ସାମ୍ନା କରିଥିଲେ। ଜେରା ବେଳେ ବିଦ୍ୟାଶ୍ରୀ କାନ୍ଦି ପକାଇଥିବା ଜଣାପଡି଼ଛି । ମୃତ୍ୟୁ ପୂର୍ବରୁ ଆଦିତ୍ୟଙ୍କ ସହ କାହିଁକି ଝଗଡ଼ା ହୋଇଥିଲା? କେଉଁ କାରଣ ଯୋଗୁଁ ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ହେଉଥିଲା? ଲକ୍‌ଡାଉନ୍‌ ବେଳେ ତରବରିଆ ଭାବେ କାହିଁକି କେନ୍ଦ୍ରାପଡ଼ାସ୍ଥିତ ମନ୍ଦିରରେ ବିବାହ କରିଥିଲେ? ଏସବୁ ପ୍ରଶ୍ନର ଉତ୍ତର ରଖିଥିଲେ ବିଦ୍ୟାଶ୍ରୀ । ତେବେ ‘ପିପୁଲ ଫର୍‌ ସେବା’ ଫାଉଣ୍ଡେସେନର ଅର୍ଥ କାରବାରକୁ ନେଇ ବିଦ୍ୟାଶ୍ରୀ ଖୁସି ନଥିବା ଜେରା ବେଳେ କହିଥିବା ସୂଚନା ମିଳିଛି ।

ଜେରା ପରେ ଏହି ଦିଗକୁ ଗୁରୁତ୍ୱ ଦେଇଛି ତଦନ୍ତକାରୀ ଟିମ୍‌ । ଆଗକୁ ଫାଉଣ୍ଡେସନ ଅର୍ଥ କାରବାର ସମ୍ପର୍କରେ ହିସାବ କରିବ ଟିମ୍‌ । ଫାଉଣ୍ଡେସନ ନାଁରେ ଥିବା ବ୍ୟାଙ୍କ ଆକାଉଣ୍ଟର ସବିଶେଷ ତଥ୍ୟକୁ ଛାନଭିନ୍‌ କରିବ । ଏହାଛଡ଼ା ଆଦିତ୍ୟଙ୍କ ବାପା ନନ୍ଦକିଶୋର ଦାଶ ଓ ମା ପଦ୍ମାଳୟା ଦାଶଙ୍କଠାରୁ ଟିମ୍‌ ମଧ୍ୟ ଆଦିତ୍ୟଙ୍କ ଡିପ୍ରେସନର କାରଣ ପଚାରି ବୁଝିଛି । କ୍ରାଇମ୍‌ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସବୁ ଦିଗରୁ ତଦନ୍ତ ଚାଲିଛି । ପରିବାରବର୍ଗଙ୍କୁ ପଚରାଉଚରା କରାଗଲା , ପରେ ବୃଦ୍ଧ ଆଶ୍ରମ ଓ ପିପୁଲ ଫର୍‌ ସେବାରେ ଟିମ୍‌ ତଦନ୍ତ କରିବ । ଏହାଛଡ଼ା ଆଦିତ୍ୟଙ୍କ ଫେସ୍‌ବୁକ୍‌ ପେଜ୍‌ର ଉଦାସଭରା ପୋଷ୍ଟକୁ ନେଇ ଜିଆରପି ଦ୍ୱାରା ଫେସ୍‌ବୁକ୍‌କୁ ମଗାଯାଇଥିବା ତଥ୍ୟକୁ ଅପେକ୍ଷା କରିଛୁ । ତଦନ୍ତ ଚାଲିଥିବାରୁ ଅଧିକ କିଛି କହିହେବନି । ସମୟ ଗଡିବା ସହିତ ଦିନକୁ ଦିନ ଅଧିକ ଜଟିଳ ହୋଇଚାଲିଛି ଆଦିତ୍ୟଙ୍କ ମୃତ୍ୟୁ ଘଟଣା । ଆଗକୁ ଘଟଣାରେ କି ରୂପ ନେବ , ତାହା ଦେଖିବାକୁ ବାକି ରହିଲା ।



from Prameya News7 https://ift.tt/3k2OWjK
ପରଦା ହଟାଇବା କି କ୍ରାଇମବ୍ରାଞ୍ଚ ? ଜେରା ବେଳେ କାନ୍ଦି ପକାଇଲେ ବିଦ୍ୟାଶ୍ରୀ ! ପରଦା ହଟାଇବା କି କ୍ରାଇମବ୍ରାଞ୍ଚ ? ଜେରା ବେଳେ କାନ୍ଦି ପକାଇଲେ ବିଦ୍ୟାଶ୍ରୀ ! Reviewed by SUBHENDU BARAL on July 31, 2020 Rating: 5

No comments:

Powered by Blogger.