ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୁଲିସ୍ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଏସ୍. ଆର. ଦାରାପୁରୀଙ୍କ ପରିବାରକୁ ଭେଟିବାକୁ ଯିବା ସମୟରେ ପୁଲିସ୍ ତାଙ୍କୁ ଅଟକାଇବା ସହ ଦୁର୍ବ୍ୟବହାର କରିଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି।
ଏହି ଘଟଣାକୁ ନେଇ ପ୍ରିୟଙ୍କା ଅଭିଯୋଗ ଆଣି କହିଛନ୍ତି, ‘ଦାରାପୁରୀଜୀଙ୍କ ପରିବାରକୁ ଭେଟିବା ପାଇଁ ଆମେ ଯାଉଥିବା ସମୟରେ ବାଟରେ ଅଚାନକ୍ ଏକ ପୁଲିସ୍ ଗାଡ଼ି ଆସି ଆମ ଗାଡ଼ି ସାମ୍ନାରେ ରଖି ଦେଇଥିଲେ। ଏହାପରେ ସେମାନେ(ପୁଲିସ୍) ଆମକୁ ଯିବା ପାଇଁ ମନା କରିଥିଲେ। ମୁଁ ସେମାନଙ୍କୁ କାରଣ ପଚାରିଥିଲି। ହେଲେ ସେମାନେ କହିଥିଲେ ନାଁ ଆପଣ ଯାଇପାରିବେନି। ଏହାପରେ ମୁଁ ଗାଡ଼ିରୁ ଓହ୍ଲାଇ ଚାଲି ଚାଲି ଯାଇଥିଲି। ଏହି ସମୟରେ ସେମାନେ ମୋତେ ଘେରି ଯାଇ ମୋ ତଣ୍ଟିକୁ ଧରି ପକାଇଥିଲେ। ଏପରିକି ଜଣେ ମହିଳା ପୁଲିସ୍ କର୍ମୀ ମୋତେ ଧକ୍କା ମଧ୍ୟ ମାରିଥିଲେ। ଫଳରେ ମୁଁ ତଳେ ପଡ଼ି ଯାଇଥିଲି। ଏସବୁ ପରେ ମଧ୍ୟ ମୁଁ ଚାଲି ଚାଲି ଯାଇଥିଲି। କିଛି ସମୟରେ ପୁଣି ମୋତେ ଅଟକାଇଥିଲେ। ଫଳରେ ମୁଁ ଜଣେ କାର୍ଯ୍ୟକର୍ତ୍ତାଙ୍କ ଦୁଇ ଚକିଆ ଯାନରେ ବସି ଯାଇଥିଲି। ଏହାସତ୍ତ୍ୱେ ବି ପୁଲିସ୍ କର୍ମୀମାନେ ଦୁଇ ଚକିଆ ଗାଡ଼ିକୁ ବି ଘେରିଥିଲେ। ’
ଶନିବାର ସନ୍ଧ୍ୟାରେ ଏହି ହାଇଭେଲ୍ଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ପ୍ରିୟଙ୍କାଙ୍କ ଏଭଳି ଅଭିଯୋଗକୁ ୟୁପି ପୁଲିସ୍ ପକ୍ଷରୁ ଖଣ୍ଡନ କରାଯାଇଛି।
ସୂଚନାଥାଉ କି, ନାଗରିକତା ସଂଶୋଧନ ଆଇନ୍(ସିଏଏ) କୁ ବିରୋଧ କରିବା ନେଇ ଦାରାପୁରୀଙ୍କୁ ଗିରଫ କରାଯାଇଛି।
from OTV Khabar. https://ift.tt/2u0S1eS
No comments: