ନୂଆବର୍ଷ ପାଇଁ କମିସନରେଟ ପୋଲିସର ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା । ମଦ୍ୟପାନ କରି ଗାଡି ଚଳାଉଥିଲେ ଜବତ ହେବ ଗାଡି, ଡ୍ରାଇଭିଂ ଲାଇସେନ୍ସ ବି ହେବ ରଦ୍ଦ । ଆବଶ୍ୟକ ପଡିଲେ ଜେଲ ପଠାଇବାକୁ ପଛାଇବ ନାହିଁ ପୋଲିସ । Kanak News
କନକ ବ୍ୟୁରୋ : ଆଗକୁ ଆସୁଛି ନୂଆବର୍ଷ ୨୦୨୦ । ନୂଆବର୍ଷ ସେଲିବ୍ରେସନ ପାଇଁ ସ୍ମାର୍ଟସିଟିରେ ଆରମ୍ଭ ହୋଇଛି ପ୍ରସ୍ତୁତି । ବଡ ବଡ ହୋଟେଲରୁ ଆରମ୍ଭ କରି ଇଭେଣ୍ଟ ସଂସ୍ଥା ଏବେଠୁ ଜିରୋନାଇଟ ସେଲିବ୍ରେସନ ପାଇଁ ଆରମ୍ଭ କଲେଣି ପ୍ରସ୍ତୁତି । ଆଉ ଏସବୁ ଭିତରେ ନୂଆବର୍ଷରେ ଯେପରି କୌଣସି ସମସ୍ୟା ସୃଷ୍ଟି ନ ହୁଏ ସେଥିପାଇଁ ବେଶ ତତ୍ପର ହୋଇଉଠିଛି କମିସନରେଟ ପୋଲିସ । ଜିରୋନାଇଟ ପାଇଁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା ରହିବ । ଭୁବନେଶ୍ୱରରେ ପ୍ରାୟ ୧୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ । ବିଶେଷ କରି ହେଟେଲ ଗୁଡ଼ିକ ଉପରେ କଡ଼ା ନଜର ରଖାଯିବ। ଏଥିପାଇଁ ଡିସିପି ଅନୁପ ସାହୁ ବିଭିନ୍ନ ଜୋନ୍ ଏସିପି ଓ ଇନ୍ସପେକ୍ଟରମାନଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି।
ଏଥର ନୂଆବର୍ଷ ବୁଧବାର ପଡ଼ୁଥିବାରୁ ତା’ର ଭରପୂର ଉପଭୋଗ କରିବାକୁ ସମସ୍ତେ ଚାହିଁବେ। ଏହି ସମୟରେ ସାମାନ୍ୟ କାରଣରୁ ଗଣ୍ଡଗୋଳ ହେବାର ଆଶଙ୍କା ଥାଏ। ବିଶେଷକରି ନୂଆବର୍ଷ ପାଳନ ପାଇଁ ଯୁବ ପିଢ଼ି ରାତି ଅଧରେ ରାଜରାସ୍ତାକୁ ଚାଲି ଆସିବା ଓ ମଉଜ ମସ୍ତି କରିବାର ସମ୍ଭାବନା ଥିବାରୁ ଆଇନ ଶୃଙ୍ଖଳା ଭଙ୍ଗର ମଧ୍ୟ ଆଶଙ୍କା ରହିଛି। ଏପରିକି କିଛି ଯୁବକ ନିଶାସକ୍ତ ଅବସ୍ଥାରେ ରାତି ଅଧରେ ରାସ୍ତାରେ ନୂଆବର୍ଷ ପାଳନ କରିବାର ପୂର୍ବରୁ ନଜିର ଥିବାରରୁ ସେ ସମୟରେ ପରିସ୍ଥିତି ଜଟିଳ ହେବାର ସମ୍ଭାବନା ବି ରହିଛି। ବିଭିନ୍ନ ତାରକା ହୋଟେଲରେ ଜିରୋନାଇଟ ପାଳନ ହେବା ସହିତ ଅନେକ କ୍ଲବ, କଲୋନି, ଜିମ୍, ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ଭୋଜିଭାତ ମଧ୍ୟ ହୋଇଥାଏ। ଏସବୁକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି।
ଭୁବନେଶ୍ୱରକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ଜଣେ ଜଣେ ଆଡିସନାଲ ଡିସିପି ପାହ୍ୟାର ଅଧିକାରୀ ଏହି ଜୋନ୍ ଦାୟିତ୍ୱରେ ରହିବେ। ସେହିପରି ରାଜଧାନୀରେ ୪୦ଟି ପାଖାପାଖି ସମ୍ବେଦନଶୀଳ ଛକ ଓ ସ୍ଥାନ ଚିହ୍ନଟ ହୋଇଛି। ସେ ସବୁ ସ୍ଥାନରେ ଜିରୋନାଇଟ ପାଳନ ବେଳେ ପୁଲିସ ପକ୍ଷରୁ ବ୍ରିଦିଂ ଆନାଲାଇଜର ସହଯୋଗରେ ବ୍ଲକି˚ ଓ ଚେକିଂ କରାଯିବ। ଯେଉଁମାନେ ମଦ୍ୟପାନ କରି ଗାଡ଼ି ଚଳାଉଥିବେ ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ ସାଙ୍ଗକୁ ଗାଡ଼ି ଚାଳକଙ୍କୁ ଗିରଫ କରାଯିବ। ଆବଶ୍ୟକ ହେଲେ ସେମାନଙ୍କୁ ଜେଲ୍ ପଠାଇ ଦିଆଯିବ । ବଡ଼ କଥା ହେଉଛି ମଦ ପିଇ ବାଇକ୍ କିମ୍ବା କାର ଚଳାଉଥିବା ଧରାପଡ଼ିଲେ ଗାଡି ଜବତ କରାଯିବା ସହିତ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ସଂଧ୍ୟାରୁ ପିସିଆର ଭ୍ୟାନ, ଥାନା ଗାଡ଼ି ଓ ବାଇକରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବ। ଯେଉଁମାନେ ବିନାନୁମତିରେ ଜିରୋନାଇଟ ପାଳନ କରୁଥିବେ ସେମାନଙ୍କ ବିରୋଧରେ ମଧ୍ୟ କମିସନରେଟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।
ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟା, ନାଚ ଗୀତ ଉପରେ ମଧ୍ୟ କଟକଣା ରହିଛି। ଏସବୁ ନିୟମକୁ ଯିଏ ଫାଙ୍କିବ ପୁଲିସ ସେମାନଙ୍କୁ ଆବଶ୍ୟକ ହେଲେ ଗିରଫ କରାଯିବ। ଏସବୁର ଯାଞ୍ଚ ପାଇଁ ଥାନା ଇନ୍ସପେକ୍ଟର ନିଜେ ପାଟ୍ରୋଲିଂ କରିବା ସହିତ ଥାନା ଅଫିସରମାନଙ୍କୁ ମଧ୍ୟ ଏଥିରେ ସାମିଲ୍ କରାଇବେ। ସାଧାରଣ ଲୋକ ମଧ୍ୟ ଚାହିଁଲେ ସେ ନିଜ ଅଭିଯୋଗ ପୁଲିସ କଣ୍ଟ୍ରୋଲ୍ ରୁମ ନମ୍ବର ୧୦୦କୁ କଲ୍ କରି ଜଣାଇ ପାରିବେ।
ଚଳିତବର୍ଷ ଦୁର୍ଘଟଣାକୁ ରୋକିବା ଲାଗି ଖଣ୍ତଗିରି, ଖାରବେଳନଗର, ଲିଙ୍ଗରାଜ, ଚନ୍ଦ୍ରଶେଖରପୁର, ନୂଆପଲ୍ଲୀ, କ୍ୟାପିଟାଲ ଥାନା ଅଧୀନରେ ଥିବା ୩୫ଟି ଦୁର୍ଘଟଣାପ୍ରବଣ ଛକ ଚିହ୍ନଟ ହୋଇଛି। ସେଠାରେ ବ୍ୟାରିକେଡ ବ୍ୟବସ୍ଥା କରାଯିବ। ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ଖାରବେଳନଗର, ଲକ୍ଷ୍ମୀସାଗର ଥାନା ଅଧୀନରେ ବହୁ ତାରକା ହୋଟେଲ୍ ଓ ବାର୍ ଥିବାରୁ ସେ ସବୁ ଅଞ୍ଚଳ ଉପରେ ପୁଲିସ୍ ବେଶି ନଜର ରଖିବ। ବିଭିନ୍ନ ହୋଟେଲ୍ ନିକଟରେ ସାଦା ପୋଷାକରେ ପୁଲିସ୍ ମୁତୟନ ହେବେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
from Kanak News https://ift.tt/2Svxol1 https://ift.tt/37f2a5R
No comments: