ପୁରୀ: ପୁରୀ ସ୍ୱର୍ଗଦ୍ୱାରରୁ ହଟିବ ବିଜୁବାବୁଙ୍କ ସ୍ମୃତି ସ୍ଥଳ। ସ୍ୱର୍ଗଦ୍ୱାରର ବିକାଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ବିଜେଡି ନେତା ସଞ୍ଜୟ ଦାସବର୍ମା। ତେବେ ସ୍ମୃତି ସ୍ଥଳରେ କେବଳ ସ୍ମୃତି ଫଳକଟିଏ ରହିବ।
ସ୍ୱର୍ଗଦ୍ୱାରର ବିକାଶ ପାଇଁ ଏହା ସମ୍ପୂର୍ଣ୍ଣ ସମର୍ପିତ ବୋଲି ଦାସବର୍ମା କହିଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ପୁରୀବାସୀ। ସୂଚନାଥାଉ କି, ସ୍ୱର୍ଗଦ୍ୱାରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୫ କୋଟି ଟଙ୍କା ଘୋଷଣା କରିଛନ୍ତି।
ଅନ୍ୟପକ୍ଷରେ ବିଜୁ ବାବୁଙ୍କ ସମାଧି ପୀଠକୁ ହଟାଇବା ପାଇଁ ଆବେଦନ କରିଥିବା ଆବେଦନକାରୀଙ୍କ କହିବା କଥା, ପୂର୍ବରୁ ଏହାକୁ ହଟାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୧୯୯୯ ମସିହାରେ ବିଜୁ ବାବୁଙ୍କ ସମାଧି ପୀଠକୁ ହଟାଇବା ପାଇଁ ପୁରୀ ମୁନ୍ସିଫ୍ କୋର୍ଟରେ ଆବେଦନ କରାଯାଇଥିଲା। ୨୦୧୪ ମସିହାରେ ଏହି ଆବେଦନକୁ ନେଇ ମୁନ୍ସିଫ୍ କୋର୍ଟଙ୍କ ରାଏ ଆବେଦନକାରୀଙ୍କ ସପକ୍ଷରେ ଯାଇଥିଲା। ୩ ମାସ ଭିତରେ ଏହି ସମାଧିକୁ ହଟାଇବା ପାଇଁ ନିର୍ଦ୍ଦେଶ ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତତ୍ କାଳୀନ ପୁରୀ ଜିଲ୍ଲାପାଳ ଏବଂ ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଜିଲ୍ଲା ଜଜ୍ଙ୍କ କୋର୍ଟରେ ଅପିଲ କରିଥିଲେ। ଦୀର୍ଘ ବର୍ଷ ଧରି ଅପିଲର ଶୁଣାଣି ହୋଇ ନ ଥିବାରୁ ଆବେଦନକାରୀ ମାନେ ଅପିଲର ଶୁଣାଣି କରିବା ପାଇଁ ନିବେଦନ କରିଥିବା ବେଳେ ଏବେ ରାଜ୍ୟ ସରକାର ତରବରିଆ ଭାବେ ଏଭଳି ନିଷ୍ପତ୍ତି ନେଇଛନ୍ତି।
ଆଉ ଏବେ ଫଳକକୁ ବି ଭାଙ୍ଗିବାକୁ ଆବେଦନକାରୀ ଦାବି କରିଛନ୍ତି।
from OTV Khabar. https://ift.tt/2JIgdaZ
No comments: