ନୂଆଦିଲ୍ଲୀ ୪/୧୧: ଦେଶର ରାଜଧାନୀ ନୂଆଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ସଙ୍ଗୀନ୍ । ରବିବାର ଦିଲ୍ଲୀ-ଏନ୍ସିଆର୍ରେ ହାଲକା ବର୍ଷା ହୋଇଥିଲେ ମଧ୍ୟ ପରିସ୍ଥିତିରେ ବିଶେଷ କିଛି ସୁଧାର ଆସିନାହିଁ । ପ୍ରଦୂଷଣର ସ୍ତର ଏବେ ଗମ୍ଭୀର ସ୍ତରରେ ଅଛି । ଦିଲ୍ଲୀର ବାୟୁ ପ୍ରଦୂଷଣ ୫ ବର୍ଷରେ ସବୁଠୁ ଖରାପ ସ୍ଥିତିରେ ପହଞ୍ଚିଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ।
ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ।ଆଜି ଦେଶର ରାଜଧାନୀରୁ ବିଭିନ୍ନ ସ୍ଥାନକୁ ଯିବା ଆସିବା କରୁଥିବା ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଦିଲ୍ଲୀରେ ମଙ୍ଗଳବାର ପର୍ଯ୍ୟନ୍ତ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ପ୍ରଦୂଷଣ ଯୋଗୁଁ ଦିଲ୍ଲୀରୁ ଆଜି ସକାଳ ୯ଟାରୁ ଗୋଟାଏ ଭିତରେ ଉଡ଼ାଣ ଭରୁଥିବା ୩୭ଟି ଫ୍ଲାଇଟ୍କୁ ଡାଇଭର୍ଟ କରାଯାଇଛି ।ଏହି ଫ୍ଲାଇଟ୍ ଗୁଡ଼ିକ ଜୟପୁର, ଅମୃତସର ଓ ଲକ୍ଷ୍ନୌରୁ ଚଳାଚଳ କରିବ । ଅତ୍ୟଧିକ ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀର ହସ୍ପିଟାଲ ଗୁଡ଼ିକରେ ଆଇସିୟୁ ଗୁଡ଼ିକ ଓଭର ବୁକିଂ ହୋଇଛି ।
ବର୍ତ୍ତମାନ ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ଥିତି ଯାହା ଦିନକୁ ୫୦ଟି ସିଗାରେଟ୍ ପିଇବା ସହିତ ସମାନ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି । ପିଲାମାନଙ୍କ ପାଇଁ ଏଭଳି ବାୟୁ ପ୍ରଦୂଷଣ ଅତି ବିପଜ୍ଜନକ । ଆଜି ସକାଳ ୧୦ଟା ବେଳେ ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ ୬୨୫ରେ ପହଞ୍ଚିଯାଇଥିଲା ।ଗତ ୨୪ ଘଣ୍ଟା ଭିତରେ ୦.୩ ମିଲିମିଟର ବର୍ଷା ହୋଇଥିବା ବେଳେ ଆଗାମୀ ୨୪ ଘଣ୍ଟା ଭିତରେ ମଧ୍ୟ ସାମାନ୍ୟ ବର୍ଷା ହେବାର ସମ୍ଭାବନା ଅଛି । ଏମିତି ସ୍ଥିତିରେ ବାୟୁ ପ୍ରଦୂଷଣ କମିବା ସମ୍ଭାବନା ଦେଖାଯାଉନାହିଁ ।ସାଧାରଣ ଲୋକେ ଆଖିରେ ଜଳାପୋଡ଼ା ଏବଂ ନିଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭବ କରୁଛନ୍ତି ।
ସୋମବାର ଠାରୁ ଦିଲ୍ଲୀରେ ଅଡ୍-ଇଭିନ୍ ଫର୍ମୁଲା ଲାଗୁ ହେବ । ଏହା ନଭେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଯାତ୍ରୀଙ୍କ ସୁବିଧା ପାଇଁ ୨୦୦୦ ଅତିରିକ୍ତ ବସ୍ ଚାଲିବ । ଦିଲ୍ଲୀ ସରକାର ଏହି ପ୍ରଦୂଷଣ ପାଇଁ ପଂଜାବ ହରିୟାଣା ଉପରେ ଦୋଷ ଲଦିଛନ୍ତି। ସେପଟେ କ୍ୟାବିନେଟ ସଚିବ ଆଜି ସ୍ଥିତିର ସମୀକ୍ଷା କରିଛନ୍ତି।
ପ୍ରଦୂଷଣକୁ ଦିଲ୍ଲୀରେ ମାସ୍କ ବଣ୍ଟା ଯାଉଛି। ତେବେ ଲୋକଙ୍କ ଜୀବନ ଧାରଣ ଏବେ ମୁସ୍କିଲ ହେବାରେ ଲାଗିଛି।
from Prameya News7 https://ift.tt/2C5zejl
No comments: