ଭଣ୍ଡାରିପୋଖରୀ ୯।୧୧: ଭୟଙ୍କର ରୂପ ଧାରଣା କଲାଣି ସାମୁଦ୍ରିକ ବାତ୍ୟା ‘ବୁଲବୁଲ’ । ଆଜି ବାତ୍ୟା ‘ବୁଲବୁଲ’ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳର ମଝି ଦେଇ ସ୍ଥଳଭାଗ ଛୁଇଁବ । ସୁନ୍ଦରବନର ଡେଲ୍ଟା ଅଞ୍ଚଳରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ପାରାଦୀପଠାରୁ ୧୩୦କି.ମି. ଦୂରରେ ରହିଛି ‘ବୁଲବୁଲ’ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦କି.ମି. ରହିବ ଏବଂ ଗଷ୍ଟିଂ ୱିଣ୍ଡ ସ୍ପିଡ୍ ପ୍ରାୟ ୧୩୫କି.ମି. ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
‘ବୁଲବୁଲ’ ପ୍ରଭାବରେ ଭଦ୍ରକ ଜିଲ୍ଲାରେ ସାରା ରାତି ପବନ ସହ ବର୍ଷା ଜାରି ରହିଛି । ମୁଖ୍ୟତଃ ସମୁଦ୍ର ଉପକୂଳବର୍ତ୍ତୀ ଧାମରା ଓ ଚାନ୍ଦବାଲିରେ ‘ବୁଲବୁଲ’ର ପ୍ରଭାବ ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର କୌଣସି ଅଞ୍ଚଳରୁ କ୍ଷୟକ୍ଷତିର ସୂଚନା ଆସିନଥିବା ବେଳେ ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ନଜରରେ ରଖିଛି ।
ଯେହେତୁ ‘ବୁଲବୁଲ’ ସକାଳ ୧୦ଟା ସୁଦ୍ଧା ଉପକୂଳ ଅତିକ୍ରମ କରିବ ବୋଲି ସୂଚନା ଅଛି, ସେଥିପାଇଁ ଯଦି ଆବଶ୍ୟକ ପଡେ ସମୁଦ୍ର ଉପକୂଳବର୍ତ୍ତୀ ତଳି ଅଞ୍ଚଳରେ ବସବାସ କରୁଥିବା କିଛି ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇପାରେ ।
ବର୍ଷା ଓ ପବନ ମାଡ଼ରେ ପାଚିଲା ଧାନ ଗଛ ଗୁଡିକ ପଡିଯିବା ଯୋଗୁଁ ଚାଷ କ୍ଷତି ହୋଇପାରେ ବୋଲି ଅନୁମାନ କରାଯାଉଛି, ଯାହାକି ଚାଷୀ ମନରେ ହତାଶଭାବ ଦେଖାଦେଇଛି । ବାତ୍ୟାକୁ କିପରି ମୁକାବିଲା କରିବାକୁ ପଡିବ, ସେଥିପାଇଁ ଜିଲ୍ଲାପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜଣାପଡିଛି ।
from Prameya News7 https://ift.tt/2qAuO1h
No comments: