ନୂଆଦିଲ୍ଲୀ: ସିରିଆରେ ଆମେରିକା ସେନାର ସାମରିକ କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦୀ ସଂଗଠନ ISIS ମୁଖ୍ୟ ଅବୁ ବକର ଅଲ୍ ବାଗଦାଦି ନିହତ ହୋଇଛି। ଏ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ସିରିଆର ଇଦ୍ଲିବ ଅଞ୍ଚଳରେ ISIS ଆତଙ୍କବାଦୀ ଅବୁ ବକର ଅଲ୍ ବାଗଦାଦିକୁ ମାରିବା ପାଇଁ ଘେରି ଯାଇଥିଲା ଆମେରିକା ସେନା। ବାଗଦାଦି ଜୀବନ ବଞ୍ଚାଇବାକୁ ଯାଇ ଏକ ସୁଡ଼ଙ୍ଗ ଭିତରେ ଲୁଚିଯାଇଥିଲା। ବାଗ୍ଦାଦି ସହ ତା’ର ସ୍ତ୍ରୀ, ୩ ସନ୍ତାନ ଓ ଅନେକ ସହଯୋଗୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବା କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ଆମେରିକା ସେନା ତାର ପିଛା କରିବାରୁ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛି ବାଗଦାଦି।
ଟ୍ରମ୍ପ ବାଗଦାଦି କିପରି ମଲା ତାର ବିବରଣୀ ମଧ୍ୟ ଦେଇଛନ୍ତି । ସୁଡ଼ଙ୍ଗ ଭିତରେ ବାଗ୍ଦାଦି ଦୌଡ଼ୁଥିଲା। ଆମେରିକା ଆର୍ମିର ଭୟଙ୍କର କୁକୁରମାନେ ତାକୁ ଗୋଡ଼ାଉଥଲେ। ଦୌଡ଼ିବା ସମୟରେ ବାଗ୍ଦାଦି କାନ୍ଦୁଥିଲା, ଚିତ୍କାର ବି କରୁଥିଲା। ଏମିତି ଦୌଡ଼ୁ ଦୌଡ଼ୁ ଗୁମ୍ଫା ଶେଷ ହୋଇଗଲା। ବୁଲି ଦେଖିଲା ବେଳକୁ ମୃତ୍ୟୁ ସାମ୍ନାରେ ଠିଆ ହୋଇଛି। ଆର୍ମି କୁକୁରଙ୍କ ଶିକାର ହେବ ପୂର୍ବରୁ ବାଗଦାଦି ତାର ବିସ୍ଫୋଟକ ଜ୍ୟାକେଟ ଉଡ଼ାଇ ଦେଇଥିଲା। ଏକ ଭୟଙ୍କର ଶବ୍ଦ ସହ ଭୁଶୁଡ଼ି ପଡ଼ିଥିଲା ସୁଡ଼ଙ୍ଗ।
ଅପରେଶନର ଏହି ଦୃଶ୍ୟ ଆମେରିକା ରାଷ୍ଟପତି ଡୋନାଲ୍ଡ ଟ୍ରମ୍ପ, ଉପରାଷ୍ଟ୍ରପତି ଏବଂ ସେନାର ବରିଷ୍ଠ ଅଧିକାରୀମାନ ହ୍ୱାଇଟ ହାଉସ୍ରେ ବସି ଦେଖୁଥିଲେ।
ଶେଷ ସମୟରେ ବାଗ୍ଦାଦିଙ୍କ ଅସହାୟତା ଦେଖିବା ପରେ ଟ୍ରମ୍ପ କହିଛନ୍ତି, ସାରା ଦୁନିଆକୁ ଡରାଉଥିବା ବାଗ୍ଦାଦି ଶେଷ ମୁହୂର୍ତ୍ତରେ ଆଖି ସାମ୍ନାରେ ମୃତ୍ୟୁକୁ ଦେଖି ଭୟରେ କାନ୍ଦୁଥିଲା। ଶେଷରେ କୁକୁରଙ୍କ ପରି ମରିଥିଲା। ଏହି ଅପରେଶନ ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା।
ସେ କହିଛନ୍ତି, ଅପରେଶନ ପୂର୍ବରୁ ୧୧ ଜଣ ପିଲାଙ୍କୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ବିସ୍ଫୋରଣ ପରେ ଆମେରିକା ସେନା ପ୍ରଥମେ ଏକ ମୃତଦେହ ଉଦ୍ଧାର କରିଥିଲେ। ପରୀକ୍ଷା ପରେ ଏହା ବାଗ୍ଦାଦିର ବୋଲି ସେମାନେ ନିଶ୍ଚିତ ହୋଇଥିଲେ।
ଏହି ଅପରେଶନରେ ରୁଷ, ସିରିଆ ଏବଂ ତୁର୍କୀ ସହଯୋଗ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ।
ସୂଚନାଯୋଗ୍ୟ ଯେ, ବାଗଦାଦି ଅଲ୍-କାଏଦାରେ ପ୍ରଥମେ ମିଶିଥିଲା। ଏହାପରେ ଅନ୍ୟ ଇସ୍ଲାମିକ୍ ସଂଗଠନଙ୍କୁ ସାମିଲ କରି ଇସ୍ଲାମିକ୍ ଷ୍ଟେଟ୍ ଅଫ୍ ଇରାକ୍ ଗଠନ କରିଥିଲା। ୨୦୧୦ରେ ସେ ଏହାର ମୁଖ୍ୟ ହୋଇଥିଲା।
ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଗୁଇନ୍ଦା ସଂସ୍ଥା ବାଗଦାଦିକୁ ଖୋଜିବାରେ ଲାଗିଥିଲା। ଏପରିକି ତା’ ବାବଦରେ ସୂଚନା ଦେଲେ ୨୫ ଆମେରିକୀୟ ଡଲାର ମିଳିବ ବୋଲି ଘୋଷଣା ହୋଇଥିଲା। କିନ୍ତୁ ଏସବୁକୁ ଧୂଳିଦେଇ ବାଗଦାଦି ଖସିଆସୁଥିଲା।
from OTV Khabar. https://ift.tt/2qIsKnU
No comments: